ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଣି ନାହିଁ, ପଡ଼ି ଉଠି ଚାଲିଛି ଡାଇଲିସିସ୍‌ କେନ୍ଦ୍ର

ଝାରସୁଗୁଡ଼ା: ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ପ୍ରତିବର୍ଷ ଗ୍ରୀଷ୍ମ ଦିନରେ ପାଣି ସମସ୍ୟା ଉଗ୍ରରୂପ ଧାରଣ କରେ । ଏହା ଫଳରେ ରୋଗୀ ଏବଂ ତାଙ୍କ ସଂପର୍କିୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥାଏ ଏଠାରେ ଥିବା ଡାଇଲିସିସ୍‌ ‌କେନ୍ଦ୍ର । କିଡିନି ସମସ୍ୟା ଥିବା ରୋଗୀ ମାନଙ୍କୁ ଏଠାରେ ଡାଇଲିସିସ ସେବା ଯୋଗାଇ ଦିଆଯାଇଥାଏ। ଡାଇଲିସିସ୍‌ ସମୟରେ ପ୍ରଚୁର ପରିମାଣରେ ବିଶୁଦ୍ଧ ପାନୀୟ ଜଳ( ଆର୍‌ଓ) ଆବଶ୍ୟକ ହେଉଥିବାରୁ ଏଠାରେ ଉଚ୍ଚ କ୍ଷମତା ସଂପନ୍ନ ଆର୍‌ଓ ମେସିନ ଲାଗିଛି। ଯେଉଁଥିରେ ପ୍ରଚୁର ପରିମାଣର ପାଣି ଆବାଶ୍ୟକ ହୋଇଥାଏ। ଏଥିପାଇଁ ବୋରିଂରୁ ପମ୍ପ ଯୋଗେ ପାଣି ଉଠାଇ ଓଭରହେଡ୍‌ ଟାଙ୍କିରେ ଭର୍ତ୍ତି କରାଯାଇ ସେଠାରୁ  ଆର୍‌ଓକୁ ପାଣି ସଂଯୋଗ କରାଯାଇ ଥାଏ। ଜଳ ବିଶୋଧନ ପ୍ରକ୍ରିୟାରେ ପର୍ଯ୍ୟାପ୍ତ ଜଳର ଆବଶ୍ୟକତା ହଉଥିବା ବେଳେ ଗ୍ରୀଷ୍ମ ଦିନରେ ଏହି ଅଞ୍ଚଳରେ ପାଣି ସମସ୍ୟା ଦେଖା ଦେଇଥିାଲ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଞ୍ଚଳରେ ଭୂତଳ ଜଳସ୍ତର କମି ଯାଉଥିବାରୁ ଏଠାରେ ବୋରୱେଲ୍‌ ଗୁଡ଼ିକରୁ ପାଣି ଯୋଗାଣ ସମ୍ଭବ ହୋଇନଥାଏ। ଏପଟେ ବିଶୁଦ୍ଧ ପାନୀୟ ଜଳ ନହେଲେ ଡାଇଲିସିସ୍‌ କରିବା ସମ୍ଭବ ନଥିବାରୁ ରୋଗୀ ମାନଙ୍କୁ ଠିକ୍‌ ସମୟରେ ଡାଇଲିସିସ କରାଯିବାରେ ସମସ୍ୟା ଦେଖା ଦେଇଛି। ଏହି କେନ୍ଦ୍ରରେ ୯ ଗୋଟି ଡାଇଲିସିସ୍‌ ମେସିନ୍‌ ଥିବା ବେ‌ଳେ ଦୈନିକ ତିନି ଗୋଟି ସିଫ୍ଟରେ ମୋଟ ୨୭ ଜଣଙ୍କୁ ଏଠାରେ ଡାଇଲିସିସ୍ କରାଯାଇଥାଏ। ତେବେ ପାଣି ସମସ୍ୟା ଯୋଗୁଁ ଏବେ ଗୋଟିଏ ଗୋଟିଏ ସିଫ୍ଟ ବନ୍ଦ କରି ଦିଆଯାଉଥିବାରୁ  ଡାଇଲିସିସ୍‌ ହେବାକୁ ଆସୁଥିବା ବହୁ ରୋଗୀ ଦୀର୍ଘ ସମୟ ଅପେକ୍ଷା କରି ଫେରି ଯିବାକୁ ବାଧ୍ୟ ହେଉଛନ୍ତି।
ଗତ ୨୦୧୯ ମସିହାରେ ମଧ୍ୟ ଏଭଳି ପାଣି ସମସ୍ୟା ଯୋଗୁଁ ଡାଇଲିସିସ କେନ୍ଦ୍ର ଅଚଳ ହୋଇ ପଡ଼ିଥିଲା। ଗତ ବର୍ଷ ଏହି ସମୟରେ ଲକ୍‌ଡାଉନ୍‌ ଥିବାରୁ  ଅପେକ୍ଷାକୃତ ଅଳ୍ପ ରୋଗୀ ଆସୁଥିବାରୁ ପାଣି ସମସ୍ୟା ସେପରି ଦେଖା ଯାଇନଥିଲା। ମାତ୍ର ଚଳିତ ବର୍ଷ ମାର୍ଚ୍ଚ ମାସରୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ପାଣି ସମସ୍ୟା ଉଗ୍ର ହେବାରେ ଲାଗିଲାଣି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଡାଇଲିସିସ୍‌ କେନ୍ଦ୍ର ଏବେ ପିପିପି ମୋର୍ଡ଼ରେ ଚାଲୁଥିବା ବେଳେ ଚଣ୍ଡିଗଡ଼ର ‘ରାହି କେୟାର’ ନାମକ ଏକ  ଘରୋଇ ସଂସ୍ଥା ଏହାର ପରିଚାଳନା କରୁଛି। ସାମୟିକ ପାଣି ସମସ୍ୟା ଦୂର ପାଇଁ ପିଏଚ୍‌ଡି ଟ୍ୟାଙ୍କର ଯୋଗ‌େ ପାଣି ଅଣାଯାଇ ତାକୁ ଲିଫ୍ଟିଂ କରାଯାଇ କାମ ଚଳା ଯାଉଥିବା ବେଳେ ଏବେ ଗ୍ରୀଷ୍ମପ୍ରବାହ ବୃଦ୍ଧି ଯୋଗୁଁ  ପିଏଚ୍‌ଡି ମଧ୍ୟ ଟ୍ୟାଙ୍କର ଯୋଗାଇବାକୁ ଅକ୍ଷମତା ପ୍ରକାଶ କରୁଥିବାରୁ ଏକ ‌ଘରୋଇ ଟ୍ୟ‌ାଙ୍କରରେ ପାଣି ଅଣାଯାଇ କାମ ଚଳା ଯାଉଛି। ସ୍ବାସ୍ଥ୍ୟମନ୍ତ୍ରୀ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧରଣରେ ଦାବି ହେଉଛି।
ସମ୍ବନ୍ଧିତ ଖବର