ଚାଷୀଙ୍କ କାମରେ ଆସୁନି କାଙ୍କୁବାଡ଼ି ପ୍ରକଳ୍ପ: ୧୦ କୋଟି ଖର୍ଚ୍ଚ ସତ୍ତ୍ବେ କେନାଲରେ ଆସୁନି ପାଣି

ପାଣିକୁ ଚାହିଁ ଚାଷୀ ଜଳକା, ଚଳିତ ବର୍ଷ ୧୪୭୦ ହେକ୍ଟର କମ ଜମିରେ ଧାନ ଚାଷ

ରାୟଗଡ଼ା: ୮ଟି ଗାଁର ଚାଷ ଜମିକୁ ମାଡିବ ପାଣି। ଦୁଇ ଫସଲ କରି ଚାଷୀ ହେବେ ଲାଭବାନ୍। ଏହି ଲକ୍ଷ୍ୟ ନେଇ ତିଆରି ହେଲା କାଙ୍କୁବାଡି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଆଡିବନ୍ଧ, କେନାଲ ନିର୍ମାଣ ବାବଦରେ ଖର୍ଚ୍ଚ ହେଲା କୋଟି କୋଟି ଟଙ୍କା। ହେଲେ ବୈଷୟିକ ତ୍ରୁଟି ଓ ନିମ୍ନମାନର କାମ ଯୋଗୁ ପ୍ରକଳ୍ପ ଏବେ ଚାଷୀଙ୍କ କାମରେ ଆସୁନି। କେନାଲ ପାଣିକୁ ଚାହିଁ ଚାଷୀ ଜଳକା ସାଜିଥିବା ବେଳେ ବର୍ଷା ଅଭାବରୁ ପଡିଆ ପଡିଛି ଜମି।

ବିଷମକଟକ ବ୍ଲକ୍ କାଙ୍କୁବାଡ଼ି ପଞ୍ଚାୟତର କାଙ୍କୁବାଡ଼ି, ଡେଗାଲବୁଡୁଣି, ବୋରିଖାଲ, ପାଟବନ୍ଧ, ନାନିରିଗୁଡା ଏପରି ୮ଟି ଗାଁର ୨୧୦ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ନିର୍ମାଣ ହୋଇଛି କାଙ୍କୁବାଡ଼ି ଜଳସେଚନ ପ୍ରକଳ୍ପ। ୨୦୦୫ ମସିହାରେ ତତ୍କାଳୀନ ଜଳସଂପଦ ମନ୍ତ୍ରୀ ରବି ନାରାୟଣ ନନ୍ଦ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ୫ କୋଟି ବ୍ୟୟ ଅଟ୍ଟକଳରୁ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ବାବଦକୁ ଏଯାବତ୍ ୧୦ କୋଟିରୁ ଉର୍ଧ୍ବ ଟଙ୍କା ଖର୍ଚ୍ଚ ହେଲାଣି। କାଙ୍କୁବାଡି ଗାଁରୁ ବାହାରିଥିବା ଝରଣା ଉପରେ ଆଡିବନ୍ଧ ବନ୍ଧାଯାଇଥିବା ବେଳେ ବିଭିନ୍ନ ଗାଁର ଚାଷ ଜମି ପର୍ଯ୍ୟନ୍ତ ନିର୍ମାଣ ହୋଇଛି କେନାଲ। ନିର୍ମାଣ ହୋଇଥିବା ମୁଖ୍ୟ କେନାଲ ପ୍ରକଳ୍ପ ନିକଟରୁ ହିଁ ଭାଙ୍ଗି ପଡିଥିବାରୁ ଶାଖା କେନାଲ ମାଧ୍ୟମରେ ଜମିକୁ ମାଡ଼ି ପାରୁନି ପାଣି। ମୁଖ୍ୟ ଓ ଶାଖା କେନାଲର ନିର୍ମାଣ ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ବିଭାଗ ପକ୍ଷରୁ ଖର୍ଚ୍ଚ ହେଉଛି। କିନ୍ତୁ ଯନ୍ତ୍ରୀ-ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଖର୍ଚ୍ଚ ଟଙ୍କାରେ ଠିକାଦାର, ଯନ୍ତ୍ରୀଙ୍କ ଭାଗ୍ୟ ବଦଳୁଛି ସିନା ଭଙ୍ଗା କେନାଲର ସ୍ଥିତି ସୁଧୁରିପାରୁନି। ୨୦୦୭-୦୮ରୁ କେନାଲ ନିର୍ମାଣ, ମରାମତି ଚାଲିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଶତ ପ୍ରତିଶତ ଚାଷୀ ପ୍ରକଳ୍ପ ମାଧ୍ୟମରେ ପାଣି ପାଉନାହାନ୍ତି। ଜଳ ପ୍ରକଳ୍ପକୁ ସଂଲଘ୍ନ କରି କେନାଲ ନିର୍ମାଣ ହୋଇନଥିବାରୁ ଡ୍ୟାମରୁ ଛଡ଼ା ଯାଉଥିବା ପାଣି ଜମିକୁ ନ ପହଞ୍ଚି ଅନ୍ୟତ୍ର ବୋହି ଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି।

ଚଳିତ ଖରିଫ୍ ଋତୁରେ ବିଷମକଟକ ବ୍ଲକରେ ୫ ହଜାର ୧୮୦ ହେକ୍ଟର ଜମିରେ ଧାନ ଚାଷ ହେବା ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି। କିନ୍ତୁ ବର୍ଷା ସ୍ବାଭାବିକ ହେଉନଥିବା ବେଳେ କେନାଲରେ ପାଣି ମଧ୍ୟ ନଥିବାରୁ ଏଯାବତ୍ ମାତ୍ର ୧୨୧୦ ହେକ୍ଟର ଜମିରେ ରୁଆ ବେଉଷଣ ସରିଛି। ବାକି ୩ ହଜାର ୯୭୦ ହେକ୍ଟର ଜମି ପଡିଆ ପଡିଛି। ନିଅଣ୍ଟିଆ ବର୍ଷା ଓ ଜଳସେଚନ ଅଭାବରୁ ୨୦୨୦-୨୧ ଖରିଫ ଋତୁରେ ଧାନ ଚାଷ ଲକ୍ଷ୍ୟ ହାସଲ କରିପାରିନଥିଲା। ଗତ ବର୍ଷ ୬୬୫୦ ହେକ୍ଟର ବଦଳରେ ମାତ୍ର ୪୫୬୭ ହେକ୍ଟରରେ ଧାନ ଚାଷ ସମ୍ଭବ ହୋଇଥିଲା। ଫଳରେ କୃଷି ବିଭାଗ ଚଳିତ ଖରିଫରେ ୧୪୭୦ ହେକ୍ଟର କମ ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖିଥିବା ସତ୍ତ୍ବେ ୩୦ ପ୍ରତିଶତ ଜମିରେ ଏବେ ସୁଦ୍ଧା ଧାନ ଚାଷ ସମ୍ଭବ ହୋଇଛି। ସେହିପରି ଅଣଧାନ ଓ ଡାଲି ଜାତୀୟ ଫସଲ ୧୪ ହଜାର ୩୫୦ ହେକ୍ଟର ଜମିରେ ହେବାକୁ ଲକ୍ଷ୍ୟ ଥିବା ବେଳେ ଆଜି ସୁଦ୍ଧା ୯ ହଜାର ୭୮୬ ହେକ୍ଟର ଜମିରେ ଚାଷ ସରିଛି। ଅଗଷ୍ଟ ମାସର ଆଜି ସୁଦ୍ଧା ବିଷମକଟକ ବ୍ଲକରେ ୧୫.୮୦ ମିମି ବର୍ଷା ହୋଇଥିବା ବେଳେ ଜୁଲାଇରେ ୯୪.୯୦ ମିମି, ଜୁନରେ ୧୦୩.୬୦ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର