କାମରେ ଆସୁନି ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପ, ୩ଟି ପ୍ରକଳ୍ପରେ ବ୍ୟୟ ୧୨୦ କୋଟି

୪ ବର୍ଷ ବିତିଲା, କେବେ ମିଳିବ ପାଣି

ସୁନ୍ଦରଗଡ଼: ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ତିଆରି ହୋଇଛି ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ। ୩ଟି ପ୍ରକଳ୍ପରେ ବ୍ୟୟ ହୋଇଛି ୧୨୦ କୋଟି। କିନ୍ତୁ ୪ ବର୍ଷ ପରେ ମଧ୍ୟ ପ୍ରକଳ୍ପ କାମରେ ଆସୁନି, ଚାଷ ଜମିକୁ ମିଳୁନି ପାଣି। ଜଳଉତ୍ସ ନଦୀ ଶୁଖିଲା ଥିବାରୁ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ସୁନ୍ଦରଗଡ଼ ସଦର ଓ ବଡ଼ଗାଁ ବ୍ଲକରେ ଥିବା ଏହି ମେଗା ପ୍ରକଳ୍ପ ଏବେ ପ୍ରଶ୍ନବାଚୀ ପାଲଟିଛି। ତେବେ ବିଡ଼ମ୍ବନାର ବିଷୟ, ମେଗା ଉଠାଜଳସଚେନ ପ୍ରକଳ୍ପରେ ଦ୍ବାହିରେ ଏ ଅଞ୍ଚଳର ଚାଷୀ ମରୁଡ଼ି ସହାୟତାରୁ ବଞ୍ଚିତ ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲାପରେ ଜଳସେଚନର ବିଶେଷ ସୁବିଧା ନଥିବା ବେଳେ ଚାଷୀ ବର୍ଷା ଜଳ ଉପରେ ନିର୍ଭର କରିଆସୁଛି। କିନ୍ତୁ ଗତ କିଛି ବର୍ଷ ହେଲା ସ୍ବଳ୍ପ ବୃଷ୍ଟିପାତ ବା ଅଭାବୀ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି।

ପ୍ରତିବର୍ଷ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଚାଷୀଙ୍କୁ ଜଳସେଚନ ସୁବିଧା ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପ। ଗୋଟିଏ ପ୍ରକଳ୍ପର ନିର୍ମାଣ ମୂଲ୍ୟ ୪୦ କୋଟି। ନାବାର୍ଡ ସହାୟତାରେ ଏଲଏଣ୍ଡଟି କମ୍ପାନି ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ସଦର ବ୍ଲକ ସାଲେପାଲିରେ ଗୋଟିଏ ଓ ବଡ଼ଗାଁ ବ୍ଲକ ଫୁଲବାରିରେ ଦୁଇଟି ତିଆରି କରିଛି। ବଡଗାଁ ବ୍ଲକରେ ନିର୍ମିତ ଦୁଇଟି ପ୍ରକଳ୍ପରେ ବଡ଼ଗାଁ ପଞ୍ଚାୟତର ବଡଗାଁ, ଜାଙ୍ଗଲି, ବରପାଲି, ଚାରପାଲି, କଣ୍ଟିଅମୁରା ଓ ଭୋଇପାଲି ଗ୍ରାମର ୭୨୧ ହେକ୍ଟର ଜମି ଓ ସଦର ବ୍ଲକରେ ନିର୍ମିତ ପ୍ରକଳ୍ପରେ ଫୁଲବାରି ପଞ୍ଚାୟତର ବୁଦୁନା, ଫୁଲବାରି, ସାଲେପାଲି, ଛେମଡା ଓ କୁରେଇବଗା ଗ୍ରାମର ୧୨ଶହ ହେକ୍ଟର ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି।

ପ୍ରକଳ୍ପ ହୋଇଥିବା ସ୍ଥାନରେ ଲାଗିଥିବା ବଡବଡ ମେସିନ, ମୋଟା ପାଣି ପାଇପକୁ କେହି ଦେଖିଲେ ଅଞ୍ଚଳର ଚାଷ ଜମିକୁ ଯେ ପାଣିର ଅଭାବ ରହୁଥିବ, ସେ କଥାକୁ ବିଶ୍ବାସ କରିବ ନାହିଁ। କିନ୍ତୁ ପ୍ରକଳ୍ପ କାମ ଶେଷ ହେବାର ଏହା ମଧ୍ୟରେ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଜମିକୁ ପାଣି ମାଡୁନି। ପ୍ରକଳ୍ପରେ କରାଯାଇଥିବା ଆଉଟଲେଟ୍ ଗୁଡିକ ଖାଲ ଜମିରେ ରହିଥିବାରୁ ପାଣି ଉଚ୍ଚ ସ୍ଥାନକୁ ଯାଇପାରୁ ନଥିବା ପ୍ରକାଶ ପାଇଛି। ବଡ଼ଗାଁ ବ୍ଲକର ମେଗା ପ୍ରକଳ୍ପରେ ୬ଟି ଗାଁ ଚାଷ ଜମିକୁ ପାଣି ପହଞ୍ଚାଇବାକୁ ୧୭୯ଟି ଆଉଟଲେଟ୍ ଓ ସଦର ବ୍ଲକର ପ୍ରକଳ୍ପର ୫ଟି ଗାଁ ଚାଷ ଜମି ପାଇଁ ୨୯୬ଟି ଆଉଟଲେଟ୍ ତିଆରି କରାଯାଇଥିଲା। ଏବେ ଅନେକ ଆଉଟଲେଟ୍ ଭାଙ୍ଗି ଗଲାଣି। ଅନ୍ୟପଟେ ବଡ଼ଗାଁ ସଫେଇ ନଦୀରୁ ପାଣି ଉଠାଇ ଏହି ଅଞ୍ଚଳକୁ ପାଣି ଯୋଗାଇ ଦିଆଯିବା କଥା। କିନ୍ତୁ ନଦୀ ଶୁଖିଲା ଥିବାରୁ ପ୍ରକଳ୍ପ ଅଚଳ ରହିଛି। ଫଳରେ ଚାଷୀ ମେଗା ପ୍ରକଳ୍ପ ଥିବା ସତ୍ତ୍ବେ ବର୍ଷା ଜଳ ଉପରେ ନିର୍ଭର କରି ପୂର୍ବ ପରି ମରୁଡ଼ିର ସମ୍ମୁଖୀନ ହେଉଛି। ନଦୀରେ ଏକ ବ୍ୟାରେଜ ନିର୍ମାଣ କରି ଜଳ ସଂରକ୍ଷଣ କରାଗଲେ ପ୍ରକଳ୍ପ କାମ କରିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। କିନ୍ତୁ ଅଧିକାରୀମାନେ ଚାଷୀମାନଙ୍କ ସହ ଆଲୋଚନା ନକରି କାମ ସବୁ ନିଜ ମନମର୍ଜିରେ କରି ନେଉଥିବାରୁ କୋଟି କୋଟିର ପ୍ରକଳ୍ପ ଏମିତି ଖତ ଖାଉଛି।

ସମ୍ବନ୍ଧିତ ଖବର