ରାଇରଙ୍ଗପୁର: ଗତ ୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଇରଙ୍ଗପୁର ଗସ୍ତରେ ଆସି ପାନୀୟ ଜଳ ମେଗା ପ୍ରକଳ୍ପ ନିମନ୍ତେ ଘୋଷଣା କରିଥିଲେ । ଉକ୍ତ ପ୍ରକଳ୍ପରେ ଗ୍ରାମାଂଚଳର ପ୍ରତ୍ୟେକ ପରିବାରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି । ଉକ୍ତ ପ୍ରକଳ୍ପ ଗତ ୨୦୧୯ ମସିହାରୁ ଆରମ୍ଭ ମଧ୍ୟ ହୋଇଯାଇଛି । ତେବେ କାର୍ଯ୍ୟ ଆରମ୍ଭ ହେବାର ୫ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ଗ୍ରାମର ଗ୍ରାମବାସୀ ମେଗା ପ୍ରକଳ୍ପର ପାନୀୟ ଜଳ ପାଇବାରୁ ବଂଚିତ ହୋଇଛନ୍ତି । ସୂଚନା ଅନୁଯାୟୀ ରାଇରଙ୍ଗପୁର ଆରଡବ୍ଲୁଏସଏସ୍ ଡିଭିଜନ୍ ଅଧିନରେ ରାଇରଙ୍ଗପୁର, ବିଜାତଳା, କୁସୁମୀ ଓ ବିଶୋଇ ବ୍ଲକ ରହିଛି । ବର୍ତ୍ତମାନ ସୁଦ୍ଧା ମେଗା ପ୍ରକଳ୍ପରେ ରାଇରଙ୍ଗପୁର ବ୍ଲକର ୧୧୨ଟି ଗ୍ରାମ ଥିବାବେଳେ ୧୯ଟି ଗ୍ରାମର ଗ୍ରାମବାସୀ ପାନୀୟ ଜଳ ପାଉଛନ୍ତି । ରାଇରଙ୍ଗପୁର ବ୍ଲକର ୧୧୨ଟି ଗ୍ରାମ ନିମନ୍ତେ ସର୍ବମୋଟ୍ ୨୯ଟି ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ହେବାର ସ୍ଥିରୀକୃତ ହୋଇଥିବା ବେଳେ ମାତ୍ର ୫ଟି ଓଭରହେଡ୍ ଟାଙ୍କି କାର୍ଯ୍ୟକ୍ଷମ ହେଉଛି ।

Advertisment

୧୧୨ଟି ଗ୍ରାମ ନିମନ୍ତେ ୧୯୩.୭୩ କୋଟି ଟଙ୍କା ମଂଜୁର ହୋଇଛି । ସେହିପରି କୁସୁମୀ ବ୍ଲକର ୧୧୩ଟି ଗ୍ରାମ ନିମନ୍ତେ ୨୦୬.୫୧ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ୧୧୨ ଗ୍ରାମରୁ ୫୬ଟି ଗ୍ରାମର ଜନସାଧାରଣଙ୍କୁ ପାନୀୟ ଜଳ ମିଳୁଛି । କୁସୁମୀ ବ୍ଲକରେ ୧୪ଟି ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ହେଉଥିବାବେଳେ ୧୧ଟି ପାଣି ଟାଙ୍କି କାର୍ଯ୍ୟକ୍ଷମ ହେଉଛି । ବିଶୋଇ ବ୍ଲକରେ ୧୪୫ଟି ଗ୍ରାମ ମଧ୍ୟରୁ ୧୧୧ଟି ଗ୍ରାମର ଗ୍ରାମବାସୀ ଜଳ ପାଉଛନ୍ତି । ସେଥିରେ ମୋଟ୍ ୨୫ଟି ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ହେବ । ବିଜାତଳା ବ୍ଲକର ୧୨୭ଟି ଗ୍ରାମ ମଧ୍ୟରୁ ୮୮ ଟି ଗ୍ରାମର ଗ୍ରାମବାସୀ ପାନୀୟ ଜଳ ପାଉଛନ୍ତି । ବିଜାତଳା ବ୍ଲକର ୨୫ଟି ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ହେବ ବୋଲି ସୂଚନା ମିଳିଛି । ରାଇରଙ୍ଗପୁର ବ୍ଲକ୍ ନିମନ୍ତେ ଏଲଏଣ୍ଡଟି କମ୍ପାନୀ ପକ୍ଷରୁ ପୁରୁଣାପାଣି ଗ୍ରା.ପର କୋଲୋରଦାସ୍ଥ ଖଡଖାଇ ନଦୀରୁ ପାଣି ଆସିବା ପରେ ପୋଖରିଆଠାରେ ବିଶଧନ କରାଯାଇ ଜନସାଧାରଣଙ୍କ ନିମନ୍ତେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା ଅଛି ।

ତେବେ ୫ ବର୍ଷ ବିତିଯାଇଥିଲେ ମଧ୍ୟ କଚ୍ଛପ ଗତିରେ କାର୍ଯ୍ୟ ଚାଲୁଥିବାରୁ ଆଗାମୀ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ପାଇଁ ବହୁ ଗ୍ରାମର ଗ୍ରାମବାସୀମାନେ ପାଣି ପାଇଁ ଡହଳବିକଳ ହେବାର ସମ୍ଭାବନା ରହିଛି । ଏଣୁ ଉକ୍ତ ପ୍ରକଳ୍ପର କାର୍ଯ୍ୟ ସମାପ୍ତ କରାଯାଇ ଜନସାଧାରଣଙ୍କ ନିମନ୍ତେ ପାନୀୟ ଜଳ ଯୋଗାଇ ଦିଆଯାଉ ବୋଲି ଦାବି ହେଉଛି । ଏନେଇ ରାଇରଙ୍ଗପୁର ଡିଭିଜନର ନିର୍ବାହୀଯନ୍ତ୍ରୀ ଇଂ ଶ୍ରୀକାନ୍ଫଚ୍ଛ ରାଉତଙ୍କ ସହିତ ଯୋଗାଯୋଗ କରିବାରୁ ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ କାର୍ଯ୍ୟ ସରିଯାଇଛି । ତେବେ ଖରାଦିନ ପୂର୍ବରୁ ସମାପ୍ତ କରିବାକୁ ଚେଷ୍ଟା କରୁଛୁ ବୋଲି ମତ ରଖିଛନ୍ତି ।