କୋରକୁଣ୍ଡା: ମାଲକାନଗିରି ବ୍ଲକର ଚାଲାଣଗୁଡା ପଞ୍ଚାୟତର ତଡିଗୁଡା ଗ୍ରାମ। ଏହି ଗ୍ରାମରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରନ୍ତି। ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତଟିଏ ନାହିଁ। ଫଳରେ ଲୋକେ ବର୍ଷାଦିନେ ନାହିଁ ନଥିବା ହଇରାଣ ହୁଅନ୍ତି। ଖରାଦିନେ ଯେକୌଣସି ପ୍ରକାରେ ଲୋକେ ଗାଁରୁ ବାହାରକୁ ବାହାରି ନିଜ ଦୈନନ୍ଦିନ କାମ କରିପାରନ୍ତି। ତେବେ ରାସ୍ତାକୁ ନେଇ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରି ଥକି ପଡିଥିବା ଗ୍ରାମବାସୀ କହନ୍ତି। ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେଲାବେଳେ ରାସ୍ତାରେ ହିଁ ତାଂକର ମୃତ୍ୟୁ ମଧ୍ୟ ଘଟିଥିବା ଲୋକେ ଦୁଃଖର ସହ ପ୍ରକାଶ କରିଥିଲେ।
କେବଳ ରାସ୍ତା ହିଁ ସମସ୍ୟା ନାହିଁ ବରଂ ଗାଁରେ ପାଣିର ଘୋର ଅଭାବ ଦେଖିବାକୁ ମିଳିଛି। ଗାଁରେ ସୋଲାର ପାଇପ ଜଳ ଯୋଗାଣର ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା ଦୀର୍ଘ ଦିନ ହେଲା ଖରାପ ହୋଇ ପଡି ରହିଛି। ଏହାକୁ ନା ସଂପୃକ୍ତ ବିଭାଗ ମରାମତି କରୁଛି ନା ପ୍ରଶାସନ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁଛି। ପାଣି ପାଇଁ ଗ୍ରାମବାସୀ ଏବେ ଚୁଆ ଉପରେ ହିଁ ନିର୍ଭର କରୁଛନ୍ତି। ଗାଁରେ ରହିଥିବା ନଳକୂପ ମଧ୍ୟ ଖରାପ ହୋଇ ପଡିଛି। ଲୋକେ ବିଶେଷକରି ଖରାଦିନେ ପାଣି ପାଇଁ ନାହିଁ ନଥିବା ହଇରାଣ ହେଉଥିବା କହିଛନ୍ତି।
ନିର୍ବାଚନ ସମୟରେ ମାଳମାଳ ନେତା ଗାଁକୁ ଆସି ପ୍ରତିଶ୍ରୁତିର ପାହାଡ ଛିଡା କରି ଚାଲିଯାନ୍ତି। ଭୋଟ ଦେବା ପରେ ସେମାନଙ୍କର ଆଉ ଦେଖା ମିଳିନଥାଏ ବୋଲି ଲୋକେ କ୍ଷୋଭର ସହ କହିଛନ୍ତି। ତେଣୁ ଏଥର ରାସ୍ତା ଓ ପାଣି ନାହିଁ ତ ଭୋଟ ନାହିଁ ବୋଲି ସଫା ସଫା ଧମକ ଦେଇଛନ୍ତି। ପୂର୍ବରୁ ଏହି ଗ୍ରାମଟି କୋରକୁଣ୍ଡା ବ୍ଲକରେ ରହିଥିବା ବେଳେ ଏବେ ଗ୍ରାମଟି ମାଲକାନଗିରି ବ୍ଲକକୁ ଚାଲିଯାଇଛି। ତୁରନ୍ତ ଏହି ଗ୍ରାମର ସମସ୍ୟା ସମାଧାନ ନକଲେ ଲୋକେ ଆଗାମୀ ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି, ଯାହା ଗଣତନ୍ତ୍ର ପାଇଁ ଏକ ଅଶୁଭ ସଂକେତ ହୋଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।