ପୁରୀ: ରଥ ନିର୍ମାଣ ପାଇଁ ରଥଖଳାରେ ପହଞ୍ଚି ପାରୁନି ଆବଶ୍ୟକ କାଠ। ଅସନ୍ତୋଷ ପ୍ରକାଶ କଲେ ବିଶ୍ଵକର୍ମା ମହାରଣା। ପୋଟଳ, ଚନ୍ଦ୍ରଶାଳୀ, ଦୁଆର ବେଢ଼ା ନିର୍ମାଣ ପାଇଁ ରଥଖଳାରେ ପହଞ୍ଚି ନାହିଁ କାଠ। ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ଦାୟୀ କଲେ ବିଶ୍ଵକର୍ମା ସେବାୟତ। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ। ନଚେତ୍ ରଥ ନିର୍ମାଣ କାର୍ଯ୍ୟ ଠିକ୍ ସମୟରେ ଶେଷ ହୋଇପାରିବ ନାହିଁ।‌ ଚାଳିରେ କାଠ ନଥିବାରୁ ହାତ ବାନ୍ଧି ବସିଛନ୍ତି ବିଶ୍ଵକର୍ମା। ତେବେ ବର୍ତ୍ତମାନ ସୁଦ୍ଧା ତିନିରଥରେ ଚଉଦ ନାହାକା ବୁଲିବା ସହ ଚାରି ନାହାକାରେ ମୂଳ ଭୂଇଁ ଓ ମଝି ଭୂଇଁ ପଡ଼ିବା ଶେଷ ହୋଇଛି। ତିନି ରଥରେ ଚଉଦ ନାହାକା ଖମ୍ବିି ଗୁଡ଼ିକୁ ପ୍ରତି ରଥର ଚାରି ନାହାକା ଠାରୁ ଅଢେଇ ଫୁଟ ବ୍ୟବଧାନରେ ଚାରି ନାହାକା ଚାରି ପାର୍ଶ୍ୱରେ ବୁଲିବା ସହ ପ୍ରଥମ ଭୂଇଁ ଛ କାଠିରେ ପାଖୁଡ଼ା ସଂଯୋଗ ହୋଇ ତିନି ରଥରେ ମଝି ଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ ସଂଯୋଗ ହୋଇଛି। ଏଥିସହ ରଥ ଚାଳିରେ ତିନି ରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଛି।

Advertisment

ଅଗ ଭୂଇଁ ଫ୍ରେମ ୪ଟି ଚଉତା ବର୍ଗାକାରରେ ସଂଯୋଗ ହୋଇ ତାର ଚାରି କୋଣରେ ୪ଟି ଭୂଇଁ ଗୋଡ ଉଠି ଭୂଇଁର ଚାରି ପଟେ, ପ୍ରତି ପାର୍ଶ୍ୱରେ ୬ଟି ଲେଖାଏଁ ଛିଆଣ ସଂଯୋଗ ହୋଇ ତୃତୀୟ ଭୂଇଁ ଫ୍ରେମ ନିର୍ମାଣ ଶେଷ ହୋଇଛି ଏବଂ ତିନି ରଥର ୪ ଗୋଟି ଲେଖାଏଁ କତରା ନିର୍ମାଣ ଶେଷ ହୋଇଛି। ଏଥି ସହ ଗତକାଲି ମହାରଣା ସେବକମାନେ ତିନି ରଥର ଗୋଟିଏ ଗୋଟିଏ ଧୂଳି ଦଣ୍ଡା ଚଉପଟ କରି ରୂପକାର ସେବକମାନଙ୍କୁ ଯୋଗାଇ ଦେଇଛନ୍ତି। ରୂପକାର ସେବକମାନେ ସେଥିରେ ୫ଟି ଲେଖାଏଁ ପଦ୍ମ ଫୁଲ ,ଏବଂ ଦୁଇ ପାର୍ଶ୍ୱରେ ପଦ୍ମ କଢି ଖୋଦେଇ ଆରମ୍ଭ କରିଛନ୍ତି। ଏଥି ସହ ଆଜି ତିନିରଥ ସମ୍ମୁଖ ଚକଗୁଡିକର ଉଭୟ ପାର୍ଶ୍ଵରେ ପଇ ,ପଇ ସଂଯୋଗ ସ୍ଥାନରେ ଲୁହା ପ୍ଲେଟ ମାନ ନଟ ବୋଲ୍ଟ ଦେଇ ମହାରଣା ସେବକମାନେ ଫିଟିଙ୍ଗ କରିଛନ୍ତି।