ଦୃଷ୍ଟି ଆଢ଼ୁଆଳରେ ଦୁର୍ଗାପାଡୁ ଜଳପ୍ରପାତ: ବଢ଼ୁଛନ୍ତି ପର୍ଯ୍ୟଟକ, ବିକାଶକୁ ଅଣଦେଖା
ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଆନ୍ଧ୍ର ଏବଂ ଓଡ଼ିଶାରୁ ଆସୁଛନ୍ତି ପର୍ଯ୍ୟଟକ
ରାୟଗଡ଼ା: ପର୍ଯ୍ୟଟନ ବିଭାଗ ଦୃଷ୍ଟି ଆଢ଼ୁଆଳରେ ରହିଛି ଦୁର୍ଗାପାଡୁ ଜଳପ୍ରପାତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଜଳପ୍ରପାତର ବିକାଶ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଆଖି ଦୃଶିଆ ହୋଇପାରିନି। ତଥାପି ଧୀରେ ଧୀରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବାରେ ଲାଗିଛି। ଉଭୟ ଓଡ଼ିଶା-ଆନ୍ଧ୍ରରୁ ଦୈନିକ ଶହଶହ ପର୍ଯ୍ୟଟକ ଜଳପ୍ରପାତ ବୁଲିବାକୁ ଆସି ମଜା ଉଠାଉଛନ୍ତି। ରାୟଗଡ଼ା ବ୍ଲକର ଦୁର୍ଗାପାଡୁ ଗ୍ରାମରେ ରହିଛି ଜଳପ୍ରପାତ। ବହୁ ପୁରୁଣା ଏହି ଜଳପ୍ରପାତକୁ ଯାତାୟାତ ପାଇଁ ରାସ୍ତା ନଥିବାରୁ ଲୁକ୍କାୟିତ ଅବସ୍ଥାରେ ଥିଲା। ୨ ବର୍ଷ ତଳେ କିଛି ପର୍ଯ୍ୟଟକ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଜଳପ୍ରପାତ ନିକଟରେ ପହଞ୍ଚିବା ପରେ ବିକାଶ ପାଇଁ ସରପଞ୍ଚ, ସମିତିସଭ୍ୟ ଓ ତତ୍କାଳୀନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ପୁଆଲାଙ୍କ ଉଦ୍ୟମରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩ ଲକ୍ଷ ବ୍ୟୟରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ଦୁର୍ଗାପାଡୁ ଗ୍ରାମରୁ ୮୦୦ ମିଟର ଦୂରରେ ଥିବା ଜଳପ୍ରପାତକୁ ଯିବା ଲାଗି ପ୍ରଥମେ ଘାଟ କଟିଂ କରାଯାଇଥିଲା। ପାହାଡ଼ିଆ ଘାଟି ରାସ୍ତାକୁ ସମତୁଲ କରି ନିତିଦିନିଆ ରାସ୍ତା ନିର୍ମାଣ କରିବାକୁ ବହୁ ଅଧିକ ଅନୁଦାନର ଆବଶ୍ୟକତା ରହିଛି। ପଞ୍ଚାୟତ ସମିତି ଅନୁଦାନ ଆବଶ୍ୟକ ପରିମାଣରେ ମିଳି ପାରୁନଥିବାରୁ ନିର୍ମାଣ ସମ୍ଭବପର ହୋଇପାରୁନି।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ପର୍ଯ୍ୟଟକଙ୍କ ଆଶ୍ରୟସ୍ଥଳୀ, ସ୍ବାଗତ ତୋରଣ ଓ ଜଳପ୍ରପାତ ନିକଟରେ ପହଞ୍ଚିବା ପାଇଁ ଷ୍ଟିଲ ରେଲିଂ ବ୍ୟବସ୍ଥା କରୁଛି ବ୍ଲକ୍ ପ୍ରଶାସନ। ପର୍ୟ୍ୟଟନ ବିଭାଗ ଜଳପ୍ରପାତର ବିକାଶ ପାଇଁ ଅନୁଦାନ ତ ଦୂରର କଥା ଏଯାବତ କୌଣସି ପ୍ରସ୍ତାବ ଦେଇନାହିଁ। ଦୁର୍ଗାପାଡୁ ଗ୍ରାମ ଚମ୍ପି ପାହାଡରୁ ଝରି ଆସିଛି ଏହି ଜଳପ୍ରପାତ। ଆନ୍ଧ୍ର ସୀମାନ୍ତ ଘଞ୍ଚ ଜଙ୍ଗଲ ଭିତରେ ଜଳପ୍ରପାତ ଥିବାରୁ ସବୁ ସମୟରେ ଏହି ସ୍ଥାନକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ରାୟଗଡ଼ା ଜିଲ୍ଲା ସଦର ମହକୁମାରୁ ୪୦ କିମି ଦୂରରେ ଜଳପ୍ରପାତ ଅବସ୍ଥିତ ରହିଛି। ରାୟଗଡ଼ାରୁ ବାଇସିଂହ ଘାଟି, ପିପିଳଗୁଡା, କାରୁବାଇ, ମୀରାବାଲି ଦେଇ ଜଳପ୍ରପାତକୁ ଯିବା ପାଇଁ ଯାତାୟତ ବ୍ୟବସ୍ଥା ରହିଛି। ପର୍ଯ୍ୟଟନ ବିଭାଗର କୌଣସି ଅଧିକାରୀଙ୍କ ନଜରକୁ ଏହି ଜଳପ୍ରପାତ ଆସିନଥିବାରୁ ପର୍ଯ୍ୟଟନ ତାଲିକାରେ ମଧ୍ୟ ଏହା ସ୍ଥାନ ପାଇପାରିନି। ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ଉଦ୍ୟମ ପରେ ବ୍ଲକ ପ୍ରଶାସନ ଏହାର ବିକାଶ ଦାୟିତ୍ବ ନେଇଛି। ସର୍ବନିମ୍ନ ବିକାଶକୁ ଗୁରୁତ୍ବ ଦେଇ ନିର୍ମାଣ କାର୍ଯ୍ୟ ଚାଲିଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ଇଂ. ଜୟ ପ୍ରକାଶ ଭଟ୍ଟରାୟ। ପର୍ଯ୍ୟଟନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଅନୁଦାନ ମିଳିଲେ ଜଳପ୍ରପାତର ବିକାଶ ଆଖିଦୃଶିଆ ହେବା ସହିତ ଆଗାମୀ ଦିନରେ ଏହା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ପାରିବ।