ରାଉରକେଲା: ‘ସରକାରୀ କା ମାଲ୍, ଦରିଆ ମୈ ଡାଲ୍’। ଅର୍ଥାତ୍ ସରକାରୀ ଅର୍ଥ କେମିତି ଖର୍ଚ୍ଚ ହେଉଛି ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ରୋଗୀଙ୍କ ବ୍ୟବହାର ପାଇଁ ପଡ଼ିଥିବା ଲକ୍ଷ ଲକ୍ଷ ଟଙ୍କାର ଗାଡ଼ି ଏହାର ଜ୍ବଳନ୍ତ ଉଦାହରଣ। ଖରାପ ହେଉଥିବା ଗାଡ଼ିଗୁଡ଼ିକୁ ମରାମତି ହେଉ ନାହିଁ। ସେମିତି ଛାଡି ଦିଆଯାଉଛି। ବଦଳରେ ବିଭିନ୍ନ ଫାଣ୍ଠିରୁ ନୂଆ ଗାଡି କିଣି ବ୍ୟବହାର କରାଯାଉଛି। ମାତ୍ର ବର୍ଷେ କି ଦୁଇ ବର୍ଷ ଚାଲିଥିବା ଗାଡିଗୁଡ଼ିକ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ ଭୁଲି ଯାଉଛନ୍ତି।
ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନଜର ମଧ୍ୟ ପଡୁ ନାହିଁ। ଫଳରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ସେମିତି ଡାକ୍ତରଖାନା ପରିସରରେ ପଡି ଖତ ଖାଉଛି। ଗୋଟିଏ କି ଦୁଇଟି ନୁହେଁ ଏକାଧିକ ଗାଡିରୁ ସେହି ସମାନସ୍ଥିତି। ଏଥି ମଧ୍ୟରେ ରହିଛି ‘ମହାପ୍ରୟାଣ’, ଆମ୍ବୁଲାନ୍ସ, ରକ୍ତ ସଂଗ୍ରହ ଭ୍ୟାନ୍ ଆଦି ଗାଡ଼ି। ଡାକ୍ତରଖାନରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କୁ ଘରେ ପହଞ୍ଚାଇବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆର୍ଜିଏଚ୍କୁ ‘ ମହାପ୍ରୟାଣ ଗାଡି’ ଯୋଗାଇଦେଇଥିଲେ। ମାତ୍ର କିଛି ମାସ ଗଡ଼ିବା ପରେ ଜିଲ୍ଲା ଖଣିଜ ପାଣ୍ଠିରୁ ଆଉ ଏକ ‘ ମହାପ୍ରୟାଣ’ ଗାଡି ଆର୍ଜିଏଚ୍କୁ ଯୋଗାଇ ଦିଆଗଲା।
ଖଣିଜ ପାଣ୍ଠିରୁ ମହାପ୍ରୟାଣ ଗାଡି ଆସିବା ପରେ ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ‘ ମହାପ୍ରୟାଣ’ ଗାଡିକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଭୁଲିଗଲେ। ଗାଡିଟିକୁ ବ୍ୟବହାର ନ କରି ସେମିତି ଛାଡିଦେଲେ। ଆମ୍ବଲାନ୍ସଗୁଡ଼ିକ ମଧ୍ୟ ସେମିତି। ଯାନ୍ତ୍ରିକତ୍ରୁଟି ଆଳ ଦେଖାଇ ଆମ୍ବୁଲାନ୍ସଟିକୁ ଡାକ୍ତରଖାନାର ଔଷଧ ଗୋଦାମ ସମ୍ମୁଖରେ ଛିଡା କରି ଦିଆଯାଇଛି। ମରାମତି ହେଉ ନାହିଁ କି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଉ ନାହିଁ। ଫଳରେ ପ୍ରାୟ ୧୪ଲକ୍ଷରୁ ଅଧିକ ଟଙ୍କାର ଆମ୍ବୁଲାନ୍ସ ସେମିତି ଖରାବର୍ଷାରେ ପଡ଼ି ପଡି ଖତ ଖାଉଛି। ମହାପ୍ରୟାଣ, ଆମ୍ବୁଲାନ୍ସ ନୁହେଁ ରକ୍ତ ସଂଗ୍ରହ ଭ୍ୟାନ୍କୁ ମଧ୍ୟ ସେମିତି ଅଣଦେଖା କରାଯାଇଛି। ‘ମୋବାଇଲ୍ ବ୍ଲଡ୍ କଲେକ୍ସନ ଭ୍ୟାନ୍’ ଆସିବା ପରେ ମରାମତି ଅଭାବରୁ ପଡିଥିବା ଭ୍ୟାନ୍କୁ ଆଜି ପର୍ଯ୍ୟନ୍ତ ମରାମତି କରିବାକୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।
ଫଳସ୍ବରୂପ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କାର ରକ୍ତ ସଂଗ୍ରହ ଭ୍ୟାନ୍ ଡାକ୍ତରଖାନା ପରିସରରେ ପଡି ଖତ ଖାଉଛି। କେବଳ ଏହି ତିନିଟି ଗାଡି ନୁହେଁ ଅନ୍ୟ କେତେକ ଗାଡି ମଧ୍ୟ ସେମିତି ଖତ ଖାଉଛି। ଡାକ୍ତରଖାନା ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ବାଇଁ କହିଛନ୍ତି ଡ୍ରାଇଭର ନଥିବାରୁ ଏଗୁଡ଼ିକ ବ୍ୟବହାର ହୋଇପାରୁ ନାହିଁ। ଗାଡ଼ିଗୁଡ଼ିକୁ ଫେରାଇ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। କିନ୍ତୁ କେବେ ଏସବୁ ଗାଡିଗୁଡ଼ିକୁ ଫେରାଇ ନିଆଯିବ, ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସେମିତି କୌଣସି ଉତ୍ତର ଆସି ନାହିଁ। ତେବେ ବିଭିନ୍ନ ପାଣ୍ଠିରୁ କୋଟି କୋଟି ଟଙ୍କା ଅର୍ଥ ସ୍ବାସ୍ଥ୍ୟସେବାରେ କେମିତି ବିନିଯୋଗ ହେଉଛି, ଏଥିରୁ ସ୍ପଷ୍ଟ ଅନୁମେୟ।
ଉଲ୍ଲେଖଯୋଗ୍ୟ, ଆର୍ଜିଏଚ୍ ଉପରେ ରାଉରକେଲା ସମେତ ଜିଲ୍ଲାର ଅଧିକାଂଶ ଉପାନ୍ତ ବ୍ଲକ, ଝାଡ଼ଖଣ୍ଡ ଓ ଛତିଶଗଡର ରୋଗୀ ନିର୍ଭରଶୀଳ। ପ୍ରତ୍ୟେକ ଦିନ ବର୍ହିବିଭାଗରେ ୮୦୦ରୁ ୧୦୦୦ ଚିକିତ୍ସିତ ହେଉଛନ୍ତି। ଅର୍ନ୍ତବିଭାଗରେ ୩୦୦ରୁ ୪୦୦ ରୋଗୀ ଭର୍ତ୍ତି ହେଉଛନ୍ତି। ଶଯ୍ୟା ସଂଖ୍ୟା ୧୨୮ରୁ ବଢ଼ି ୨୭୬କୁ ବୃଦ୍ଧି ପାଇଛି। ୨୦୧୯ ଅକ୍ଟୋବର ୨୮ରେ ଆର୍ଜିଏଚ୍କୁ ୪୦୦ ଶଯ୍ୟା ଡାକ୍ତରଖାନା କରାଗଲା ବୋଲି ଘୋଷଣା କରାଯାଇଥିଲା। ଏ ସମ୍ପର୍କିତ ଚିଠି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆର୍ଜିଏଚ୍ ନିର୍ଦ୍ଦେଶକଙ୍କ ପାଖକୁ ଆସିଲା। କିନ୍ତୁ କିଛି ହେଲାନି। ଇତି ମଧ୍ୟରେ ଦେଢ଼ବର୍ଷ ବିତିଯାଇଛି। ଆଜି ଯାଏଁ ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାଣିଚାଏ ପଦକ୍ଷେପ ନିଆଗଲା ନାହିଁ। ଫଳରେ ଡାକ୍ତରଖାନାର ୪୦୦ ଶଯ୍ୟାର ସୁବିଧା ସୁଯୋଗ କେବଳ ଚିଠିରେ ହିଁରେ ସୀମିତ ରହିଯାଇଛି। ଆଶ୍ଚର୍ଯ୍ୟ କଥା, ସିଏମ୍ଓ ଅଫିସ୍ରୁ ଯେଉଁ ଚିଠି ଆସିଛି, ସେଥିରେ ଚିଠିର ଇସ୍ୟୁ ନମ୍ବର ନାହିଁ କି, କୌଣସି ଅଧିକାରୀଙ୍କ ଦସ୍ତଖତ ନାହିଁ। ଏଥିରୁ ସ୍ବାସ୍ଥ୍ୟ ବିଭାଗ କେମିତି ଚାଲିଛି, ଆର୍ଜିଏଚ୍କୁ ମିଳିଥିବା ଚିଠି ଏହାର ଜ୍ବଳନ୍ତ ଉଦାହରଣ। ଯଦି ସ୍ମାର୍ଟସିଟିର ସ୍ବାସ୍ଥ୍ୟ ସେବାକୁ ସରକାର ଏମିତି ଗୁରୁତ୍ବ ଦେଉଛନ୍ତି। ତା ହେଲେ ଉପାନ୍ତ ବ୍ଲକର ସ୍ବାସ୍ଥ୍ୟ ସେବା କେମିତି ଚାଲିଥିବ, ଏଥିରୁ ସହଜେ ଅନୁମେୟ। ସେପଟେ ୨୭୬ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ଦୈନିକ ଅର୍ନ୍ତବିଭାଗରେ ଭର୍ତ୍ତି ହେଉଛନ୍ତି ୩୮୦ ରୁ ୪୦୦ ରୋଗୀ। ବେଡ୍ ନଥିବାରୁ କିଛି ରୋଗୀ ବାରଣ୍ଡାରେ ଓ ଅନ୍ୟ କିଛି ବେଡ୍ ତଳ ଚଟଣାରେ ଚିକିତ୍ସିତ ହେଉଛନ୍ତି।