ସରିଲା ମହଲତ, ଦାବି ଶୁଣିଲେନି ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷ; ୭ ଦଫା ଦାବିରେ ଉତ୍କଳ ଆଲୁମିନା ଘେରିବ କଂଗ୍ରେସ

ଫେବ୍ରୁଆରି ୬ରେ କମ୍ପାନି ମୁଖ୍ୟ ଫାଟକରେ ହେବ ବିକ୍ଷୋଭ

ରାୟଗଡ଼ା: ସରିଲା ମହଲତ। କଂଗ୍ରେସର ଦାବିକୁ ବିଚାରକୁ ନେଲାନି ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷ। ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ତ ଦୂରର କଥା ନିକଟରେ ପୁଲିସ ଜୁଲମରେ ନବ ଜାତକକୁ ଜନ୍ମ ଦେଇ ପ୍ରାଣ ହରାଇଥିବା ପ୍ରସୂତି ମହିଳାଙ୍କ ପରିବାରକୁ ବି ମିଳିଲାନି କ୍ଷତିପୂରଣ। ପ୍ରତିବାଦରେ ଫେବ୍ରୁଆରୀ ୬ ତାରିଖରେ ଉତ୍କଳ ଆଲୁମିନା ଘେରାଉ କରିବାକୁ ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ କମିଟି। କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନେତୃତ୍ବରେ ୫ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ କମ୍ପାନି ଫାଟକ ସମ୍ମୁଖରେ ବିକ୍ଷୋଭ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା। ୭ ଦଫା ଦାବି ପୂରଣ ନେଇ ଜାନୁଆରୀ ୧୫ ତାରିଖରେ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ, ଅଣ୍ଡିରାକଞ୍ଚ ପ୍ରସୂତି ମୃତ୍ୟୁ ମାମଲାରେ ସୁଲବତୀଙ୍କୁ ପରିବାରକୁ ୧ କୋଟି କ୍ଷତିପୂରଣ ସହ ଶିଶୁପୁତ୍ରର ଭରଣପୋଷଣ ଓ ତାଙ୍କ ସ୍ବାମୀକୁ କମ୍ପାନିରେ ନିଯୁକ୍ତି ଦେବାକୁ କଂଗ୍ରେସ ଦାବି କରିଥିଲା।

ସେହିପରି କଂସାରିଗୁଡାରେ ଶିଳ୍ପ ପ୍ରତିଷ୍ଠା ନ କଲେ ଅଧିକୃତ ଜମିର ବର୍ତ୍ତମାନ ଦରର ୪ ଗୁଣା ମୂଲ୍ୟ ଦେଇ ଜମି ଫେରସ୍ତ, ଡି. କରଳ, ଡିମୁଣ୍ଡିକୁ ବିସ୍ଥାପନ ମାନ୍ୟତା, ଖଣି ପ୍ରଭାବିତ ଅଞ୍ଚଳ ତଥା କାଶୀପୁର ବ୍ଲକର ବେକାର ଯୁବକ, ଯୁବତୀଙ୍କୁ ନିଯୁକ୍ତି, ପ୍ରଦ୍ୟୁଷଣ ମୁକ୍ତ, ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ଦିଗରେ ପଦକ୍ଷେପ, କମ୍ପାନି ଓ ଜିଲ୍ଲା ପ୍ରଶାସନ ଚାପରେ ପୁଲିସ ମିଥ୍ୟା କେସ ଲଗାଇ ନିରୀହ ଲୋକଙ୍କୁ ହଇରାଣ ହରକତ କରୁଥିବା ବନ୍ଦ କରିବା, କନଭେୟାର ବେଲଟ୍ ଦ୍ବାରା ଖଣିଜ ପରିବହନ ଓ ଉତ୍ପାଦିତ ଆଲୁମିନା ପରିବହନ ବ୍ୟବସ୍ଥା ସ୍ଥାନୀୟ ଲୋକଙ୍କୁ ପ୍ରଦାନ, କମ୍ପାନିରେ କାମ କରୁଥିବା କମ୍ୟୁନିକେଟରଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଉଲ୍ଲେଖ କରିଥିଲା।

ଜାନୁଆରୀ ୩୧ ତାରିଖ ସୁଦ୍ଧା ୭ ଦଫା ଦାବିକୁ ବିଚାରକୁ ନ ନେଲେ କମ୍ପାନି ଘେରାଉ କରିବାକୁ ଚେତାବନୀ ଦେଇଥିଲା କଂଗ୍ରେସ। ମହଲତ ସୁଦ୍ଧା କମ୍ପାନି କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଯୋଗୁ ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ଫେବ୍ରୁଆରୀ ୬ରେ ଉତ୍କଳ ଆଲୁମିନା ଘେରାଉ କରିବା ପାଇଁ ଚେତାବନୀ ଦେଇଛି। କମ୍ପାନିର ମନମୁଖୀ କାର୍ଯ୍ୟ, ଅଣ୍ଡିରାକଞ୍ଚ ପ୍ରସୂତି ମୃତ୍ୟୁ ମାମଲାକୁ ସଂସଦରେ ଉଠାଇବା ସହ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେବ ବୋଲି କହିଛି କଂଗ୍ରେସ। ଅଣ୍ଡିରାକଞ୍ଚ ପ୍ରସୂତି ମୃତ୍ୟୁ ମାମଲା ସହ କଂସାରିଗୁଡା ପ୍ରକଳ୍ପକୁ ଅଧିକ ଗୁରୁତ୍ବ ଦେଇଛି କଂଗ୍ରେସ। ସୁଲବତୀଙ୍କ ପରିବାରକୁ ୧ କୋଟି ବଦଳରେ କମ୍ପାନି କର୍ତ୍ତୃପକ୍ଷ ସ୍ବଳ୍ପ ସହାୟତା ଦେଇ ଘଟଣାକୁ ଚାପି ଦେବାକୁ ପୟାସ କରିଛି। କଂସାରିଗୁଡା ପ୍ରକଳ୍ପ କ୍ଷେତ୍ରରେ ମଧ୍ୟ କମ୍ପାନି ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁନଥିବା କଂଗ୍ରେସ ଅଭିଯୋଗ କରିଛି।

ଜନଶୁଣାଣି ସଫଳ ସତ୍ତ୍ବେ କମ୍ପାନି ପ୍ରତିଷ୍ଠା ଆରମ୍ଭ ହେଉନଥିବାରୁ ଶହ ଶହ ବେକାର ଯୁବକଯୁବତୀ ନିଯୁକ୍ତି ଅପେକ୍ଷାରେ ଘରେ ପଡି ରହିଛନ୍ତି। ଅନ୍ୟପକ୍ଷରେ ଉତ୍କଳ ଆଲୁମିନା ମାନବ ସମ୍ବଳ ବିକାଶ ବିଭାଗରେ କାର୍ଯ୍ୟରତ ଥିବା ଅଧିକାରୀ ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ନେଇ ଓଡ଼ିଶା ବାହାରର ପ୍ରାର୍ଥୀକୁ ନିଯୁକ୍ତି ଦେଉଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ସୁନୀଲ ପଣ୍ଡା, କାଶୀପୁର ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅସଲାମ ଖାଁନ, ରାୟଗଡ଼ା ନଗର କଂଗ୍ରେସ ସଭାପତି ଏମ୍. ଶଙ୍କର ରାଓ, ଅଂଶୁମାନ ପଟ୍ଟନାୟକ, ହୁତାସନ ନାୟକ, ଅନୀଲ ଜୈନ, କିଶୋର କୁଶୁଲିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର