ଆଜିଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତିରେ ସବୁ ଦଳ ଫେଲ୍‌

ଜଗତସିଂହପୁର: ଆଜି(୧୭ ତାରିଖ)ଠାରୁ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେଉଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଜଗତସିଂହପୁର ଜିଲ୍ଲାରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାରେ ଫେଲ୍‌ ମାରିଛନ୍ତି। ବିଶେଷ କରି ବିଜେଡିରେ ଅଧିକ ସମସ୍ୟା ଲାଗି ରହିଛି। ବିଜେପି ଓ କଂଗ୍ରେସ ମଧ୍ୟ ଶତପ୍ରତିଶତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିପାରି ନାହିଁ। ତଥାପି ଆସନ୍ତା ମଙ୍ଗଳବାରଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଜଗତସିଂହପୁର ଜିଲ୍ଲାରେ ଥିବା ୨୬ଟି ଜୋନ୍‌ର ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ତାଲିକା ଉପ‌ରେ ସମସ୍ତଙ୍କ ନଜର ରହିଛି। ଦଳୀୟ ଚିହ୍ନରେ ପ୍ରାର୍ଥୀମାନେ ଏଥିରେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଥିବାରୁ ସବୁ ରାଜନୈତିକ ଦଳ ପାଇଁ ଏହା ସମ୍ମାନର ବିଷୟ ପାଲଟିଛି। ଏଣୁ ଭଲ ଭାବେ ତର୍ଜମା କରିବା ପରେ ଦଳ ଗୁଡ଼ିକ ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ଯୋଜନା ରଖିଛନ୍ତି। ବିଜେଡିରୁ କେଉଁମାନେ ପ୍ରାର୍ଥୀ ହେଉଛନ୍ତି, ଏହା ଉପରେ ବିରୋଧୀ ଦଳ ଗୁଡ଼ିକ ଖାସ୍‌ ନଜର ରଖିଛନ୍ତି। ସେହି ଅନୁଯାୟୀ ସେମାନେ ମଧ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ। ଗତ ନିର୍ବାଚନରେ ୨୬ଟି ଜୋନରୁ ବିଜେପି ପ୍ରାର୍ଥୀ ପାରାଦୀପରୁ ୨ଟି ଓ ରଘୁନାଥପୁରରୁ ଗୋଟିଏ ଜୋନ ଏପରି ମୋଟ୍ ୩ଟି ଜୋନ୍‌କୁ ଦଖଲ କରିଥିଲା। ଏହାସହ କଂଗ୍ରେସ ବାଲିକୁଦାରେ ଗୋଟିଏ ଜୋନ‌୍‌ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ବିଜେଡିରେ ୨୨ଟି ଜୋନ୍‌ରେ ବିଜୟୀ ହୋଇଥିଲା ବେଳେ ଚଳିତ ଥର ସମ୍ପୂର୍ଣ୍ଣ ୨୬ଟି ଜୋନକୁ ଅକ୍ତିଆରରେ ରଖିବାକୁ ଯୋଜନା କରିଛି। ମାତ୍ର ଏକାଧିକ ଆଶାୟୀଙ୍କ ଯୋଗୁଁ ଶାସକ ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏଣୁ ଦଳ ସମସ୍ତ ଅସନ୍ତୁଷ୍ଟଙ୍କୁ ସାଥୀରେ ନେଇ ଶୃଙ୍ଖଳା ସହ ନିର୍ବାଚନ ଲଢ଼ିବାକୁ ଯୋଜନା ରଖିଛି। ଫଳରେ ଦଳର ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରୁ ନାହିଁ ବୋଲି ଚର୍ଚ୍ଚା ହେଉଛି।

ଏ‌ ନେଇ ଜିଲ୍ଲା ସଭାପତି ତଥା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ମାତ୍ର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ ତିର୍ତ୍ତୋଲ ଓ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ କିଛିଟା ଜୋନ୍‌ରେ ସମସ୍ୟା ରହିଛି। ବାକି ସବୁ ଏକ ପ୍ରକାର ନିଶ୍ଚିତ ହୋଇସାରିଲାଣି। ଦିନେ ଦୁଇ ଦିନ ଭିତ‌ରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି, ଦଳର ପ୍ରାୟ ସବୁ ଜୋନ୍‌ରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଇ ଦଳୀୟ ମୁଖ୍ୟାଳୟକୁ ପଠାଯାଇଛି। ସେଠାରୁ ମୋହର ବାଜିବା ପରେ ନାମାଙ୍କନ ଆରମ୍ଭ ହୋଇଯିବ। ତଥାପି ମଙ୍ଗଳବାରରୁ ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। କଂଗ୍ରେସ ଜିଲ୍ଲା ସଭାପତି ନଟବର ବାରିକ କହିଛନ୍ତି ଯେ, କଂଗ୍ରେସରୁ ପ୍ରାୟ ୭୦% ପ୍ରାର୍ଥୀ ଚୂଡ଼ାନ୍ତ ହୋଇସାରିଛି। ବାକି ଜୋନ୍ ଗୁଡ଼ିକରେ ଖୁବଶୀଘ୍ର ପ୍ରାର୍ଥୀ ବଛାଯିବ। ତଥାପି ଆସନ୍ତା ବୁଧବାରରୁ କଂଗ୍ରେସ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର