ସରିଲା ପ୍ରାର୍ଥୀପତ୍ର ଦାଖଲ: ତାଲିକାରେ ୧୪୨ ଜିଲ୍ଲା ପରିଷଦ, ୧୨୮୫ ସରପଞ୍ଚ, ୯୯୪ ସମିତି ସଭ୍ୟ

କେନ୍ଦ୍ରାପଡା: ପଂଚାୟତ ନିର୍ବାଚନ ପାଇଁ ପାଞ୍ଚ ଦିନ ହେବ ଚାଲିଥିବା ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି । ଶେଷ ଦିନରେ ଆଜି ୩୩୫୯ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ା ସେମାନଙ୍କ ମଧ୍ୟରୁ  ୮୯ଜଣ ଜିଲ୍ଲା ପରିଷଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସରପଞ୍ଚ ପାଇଁ ୪୬୧, ସମିତି ସଭ୍ୟ ପାଇଁ ୩୬୮ ଏବଂ ୱାର୍ଡ ସଭ୍ୟ ପାଇଁ ୨୪୪୧ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ଗତ ପାଞ୍ଚ ଦିନ ଭିତରେ ୧୦ହଜାର ୫୮୭ଜଣ  ‌ବିଭିନ୍ନ ପଦ ନିମନ୍ତେ  ପ୍ରାର୍ଥୀପତ୍ର ଦାଖଲ କରିଥିବା ଜିଲ୍ଲା କାର୍ଯ୍ୟାଳୟରୁ ସୂଚନା ମିଳିଛି। ତେବ‌େ ଆସନ୍ତାକାଲିଠାରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ଏବଂ ତିନି ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର ନିମନ୍ତେ  ପ୍ରାର୍ଥୀଙ୍କ ନିକଟରେ  ସୁଯୋଗ ରହିବ। ଏହାପରେ ୨୫ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଗତ ୧୭ତାରିଖରୁ ପଂଚାୟତ ନିର୍ବାଚନ ନିମନ୍ତେ ଆରମ୍ଭ ହୋଇଥିଲା ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ା ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲା ବେଳେ ସରପଂଚ ଓ ୱାର୍ଡ ସଭ୍ୟ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଏବଂ ସମିତି ସଭ୍ୟ ବ୍ଲକ୍ କାର୍ଯ୍ୟାଳୟରେ ନାମାଙ୍କନ ଭରିଥିଲେ ା ମୋଟ ଉପରେ ଜିଲ୍ଲା ପରିଷଦ ପଦ ପାଇଁ ୧୪୨ଟି ପ୍ରାଥିପତ୍ର ପଡ଼ିଥିଲା ବେଳେ ସରପଂଚ ପାଇଁ ୧୨୮୫, ସମିତି ସଭ୍ୟ ପାଇଁ ୯୯୪ ଏବଂ ୱାର୍ଡ ସଭ୍ୟ ପାଇଁ ୮୧୬୬ଟି ପ୍ରାର୍ଥିପତ୍ର ଦାଖଲ ହୋଇଛି ା ଆଜି ଶେଷ ଦିନରେ କେବଳ ଜିଲ୍ଲା ପରିଷଦ ପଦ ପାଇଁ ୮୯ଜଣ, ସରଂପଚ ପାଇଁ ୪୬୧, ସମିତି ସଭ୍ୟ ପାଇଁ ୩୬୮ ଏବଂ ୱାର୍ଡ ସଭ୍ୟ ପାଇଁ ୨୪୪୧ଜଣ ପ୍ରାର୍ଥପତ୍ର ଦାଖଲ କରିଛନ୍ତି ା

ବ୍ଲକ୍‌ୱାରୀ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସଂଖ୍ୟା ବିଚାରକୁ ନେଲେ କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ୍‌ର ସମସ୍ତ ଜୋନ୍‌ରୁ ୧୯ଟି ଲେଖାଏ ପ୍ରାର୍ଥିପତ୍ର ପଡ଼ିଥିବା ବେଳେ ପଟ୍ଟାମୁଣ୍ଡାଇରୁ ୧୮, ଗରଦପୁର ଓ ଆଳିରୁ ୧୫ଟି ଲେଖାଏ, ରାଜନଗରରୁ ୧୩ଟି ଏବଂ ରାଜକନିକା ଓ ଡେରାବିଶ ବ୍ଲକ୍‌ରୁ ୧୨ଟି ଲେଖାଏ ପ୍ରାର୍ଥିପତ୍ର ପ୍ରଶାସନର ହସ୍ତଗତ ହୋଇଛି ା ଅନ୍ୟପକ୍ଷରେ କେତେକ ଜୋନ୍‌ରେ ସ୍ବାଧୀନ ପ୍ରାର୍ଥୀ ବି ପ୍ରତିଦ୍ବନ୍ଦ୍ବୀ ଦଳୀୟ ପ୍ରାର୍ଥୀଙ୍କୁ ଟକ୍କର୍‌ ଦେବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ା ମାର୍ଶାଘାଇ ବ୍ଲକର ୨୪ନମ୍ବର ଜୋନରୁ ମାଧବ ଚରଣ ନାୟକ ସ୍ବାଧୀନ ପ୍ରାର୍ଥୀ ରୂପେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ା ବିଜେପିରୁ ଆଶାୟୀ ଥିବା ଶ୍ରୀ ନାୟକଙ୍କୁ ଦଳ ଶେଷ ମୁହୂର୍ତ୍ତରେ ଟିକଟ୍‌ ନ ଦେଇ ପଡ଼ୋଶୀ ବ୍ଲକ୍ ଗରଦପୁର ବ୍ଲକ୍‌ର ୧୦ନମ୍ବର ଜୋନ୍‌ର ଜଣଙ୍କୁ ପ୍ରାର୍ଥୀ କରିବାରୁ ଆଜି ସେ ସ୍ବାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ା ଅନୁରୂପ ଭାବେ ୨୬ରୁ ଉଷାରାଣୀ ମିଶ୍ର,  ୬ନମ୍ବରରୁ ଭକ୍ତିମୟୀ କର ଏବଂ ୧୦ନମ୍ବର ଜୋନରୁ ବିଜେପି ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା  ବି ଏଥର ପୁଣିଥରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ତାଙ୍କୁ ଦଳୀୟ ଟିକଟ୍ ନ ମିଳିବାରୁ ସେ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ଏହା ଚୂଡ଼ାନ୍ତ ହୋଇ ନ ଥିବାରୁ ସଭିଙ୍କ ଆଖି ୨୫ତାରିଖ ଉପରେ ରହିଛି ା ଏବେ ଯାଞ୍ଚ ଏବଂ ପ୍ରାର୍ଥିପତ୍ର ପ୍ରତ୍ୟାହାର ନିମନ୍ତେ ତିନି ଦିନ ସୁଯୋଗ ରହିଥିବାରୁ କିଏ ଓହରୁଛନ୍ତି ଏବଂ କିଏ ମଇଦାନକୁ ଉତାରୁଛନ୍ତି, ତାରି ଉପରେ ସଭିଙ୍କ ନଜର ଏବେ କେନ୍ଦ୍ରୀଭୂତ ହୋଇଛି ା

 

ସମ୍ବନ୍ଧିତ ଖବର