ପୌର ନିର୍ବାଚନ : ଖୋର୍ଦ୍ଧାରେ ଶେଷ ହେଲା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା

କାଉନସିଲର ପ୍ରାର୍ଥୀ ଯୋଗାଡ଼ି ପାରିଲେନି ବିଜେପି ଓ କଂଗ୍ରେସ, ୫ ଥର କାଉନ୍ସିଲ ପ୍ରାର୍ଥୀ ତାଲିକା ପରିବର୍ତନ କଲା ବିଜେଡି

ଖୋର୍ଦ୍ଧା : ପଂଚାୟତ ନିର୍ବାଚନ ପ୍ରଭାବ କୁହନ୍ତୁ କିମ୍ବା ଦଳୀୟ ସାଂଗଠନିକ ଦକ୍ଷତା ଓ ଦଳ ପ୍ରତି ଭୋଟରଙ୍କ ଆସ୍ଥା କିମ୍ବା ଭିତିରି ବୁଝାମଣା, ରାଜ୍ୟ ରାଜଧାନୀ ଜିଲ୍ଲା ଖୋର୍ଦ୍ଧା ସଦର ମହକୁମା ପୌରାଂଚଳରେ ଆଜି ନାାମାଙ୍କନପତ୍ର ଦାଖଲର ଶେଷ ସମୟ ସୁଦ୍ଧା ବିଜୁ ଜନତା ଦଳ ବ୍ୟତୀତ ଅନ୍ୟ କୌଣସି ଦଳ ସମସ୍ତ ୨୨ ୱାର୍ଡ଼ରେ କାଉନ୍ସିଲର ପ୍ରାର୍ଥୀ ଦେଇପାରିନାହାନ୍ତି । ବିଜୁ ଜନତା ଦଳକୁ ମଧ୍ୟ ନିଜର କାଉନ୍ସିଲର ପ୍ରାର୍ଥୀ ଚୟନ କରିବାରେ କମ୍ କଷ୍ଟ ସ୍ୱୀକାର କରିବାକୁ ପଡ଼ିନାହିଁ । ଶେଷ ମୁହୂର୍ତ ସୁଦ୍ଧା ପ୍ରାର୍ଥୀ ତାଲିକା ସଂଶୋଧନ କରାଯାଉଥିଲା ।

ଆଜି ପୌର ନିର୍ବାଚନର ନାମାଙ୍କନପତ୍ର ଦାଖଲର ଶେଷ ଦିନ ଥିଲା । ବିଜେଡି ଦଳରେ ଗୋଷ୍ଠୀ କନ୍ଦଳ ଜଳ ଜଳ ହୋଇ ସ୍ପଷ୍ଟ ଜଣାପଡ଼ୁଥିଲା । ୫ ତାରିଖ ବିଜୁ ଜୟନ୍ତୀରେ ଖୋର୍ଦ୍ଧା ଦଳୀୟ କାର୍ଯ୍ୟାଳୟରେ ଟିକଟକୁ ନେଇ ଗଣ୍ଡଗୋଳ ଘଟିଥିଲା । ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଏତେ ତୀବ୍ର ଥିଲା ଯେ ବିଜେଡି ଆଜି ସକାଳ ସୁଦ୍ଧା ନିଜର କାଉନ୍ସିଲ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିପାରିନଥିଲା । ଅପରାହ୍ଣ ଗୋଟିଏ ମଧ୍ୟରେ ୫ଥର ପ୍ରାର୍ଥୀ ତାଲିକା ସଂଶୋଧନ ଓ ପରିବର୍ତନ ହୋଇଥିଲା । ଶେଷରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ପୌର ପରିଷଦ ନାମାଙ୍କନ ଦାଖଲ କେନ୍ଦ୍ରକୁ ଦଳୀୟ ସମର୍ଥକଙ୍କ ସହ ଆସିଥିଲେ ।

 

କେବଳ ଏହାନୁହେଁ, ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳର ଜିଲ୍ଲା ଉପସଭାପତି ଦିଲିପ ହୋତା ତାଙ୍କ ପତ୍ନୀ ସୁଚିତ୍ରା ମଲ୍ଲିକ ଓ ନଗର ବିଜେଡି ସଭାପତି ମହମ୍ମଦ ଆରିଫ ତାଙ୍କ ପତ୍ନୀ ସବନମ ବେଗମଙ୍କୁ ନେଇ ଅଧ୍ୟକ୍ଷ ପାଇଁ ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । ଏନେଇ ବିଧାୟକ ଶ୍ରୀ ମିତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ଅନ୍ୟ କର୍ମୀମାନେ ଶୃଙ୍ଖଳିତ ଭାବେ ମାନିବା ଉଚିତ । ତେବେ ଯେଉଁମାନେ ଟିକଟ ବଂଟନରେ ଅସନ୍ତୁଷ୍ଟ ହୋଇ ଆଜି ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି, ସେମାନଙ୍କୁ ପରବର୍ତୀ ସମୟରେ ବୁଝାଶୁଝା କରି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଚେଷ୍ଟା କରାଯିବ । ତେବେ ବିଶୃଙ୍ଖଳିତ ଆଚରଣ ପାଇଁ ଆପଣ ସୁପାରିଶ କରିବେ ନା ଦଳ ପଦକ୍ଷେପ ନେବ, ପ୍ରଶ୍ନରେ ଏହା ଦଳ ଉପରେ ନିର୍ଭର କରୁଛି ବୋଲି କହି ପ୍ରସଙ୍ଗକୁ ବିଧାୟକ ଏଡ଼ାଇ ଯାଇଥିଲେ ।

ଯଦିଓ କୌଣସି ମତେ ବିଜେଡି ଅଧ୍ୟକ୍ଷ ସହ ୨୨ଟି ୱାର୍ଡ଼ରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ଓ କଂଗ୍ରେସ କିନ୍ତୁ ନିଜର ସଂପୂର୍ଣ୍ଣ ପ୍ରାର୍ଥୀ ଦେବାରେ ବିଫଳ ହୋଇଛନ୍ତି । ବିଜେଡି ଓ ବିଜେପି ନିଜର ଅଧ୍ୟକ୍ଷ ପ୍ରାର୍ଥୀ ଘୋଷଣା କରିବାର ଦୁଇ-ତିନି ଦିନ ପୂର୍ବରୁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିଲା । କିନ୍ତୁ ୨୨ଟି ୱାର୍ଡ଼ରେ ଦଳୀୟ କାଉନ୍ସିଲର ପ୍ରାର୍ଥୀ ଦେଇପାରିନାହିଁ । ୱାର୍ଡ଼ ନମ୍ବର ୧, ୨, ୯, ୧୦, ୧୧, ୧୨, ୧୩, ୧୪, ୧୯, ୨୦ରେ ପ୍ରାର୍ଥୀ ଦେଇନାହିଁ । ସେହିଭଳି ବିଜେପି ମଧ୍ୟ ନିଜର ଅଧ୍ୟକ୍ଷ ପ୍ରାର୍ଥୀ ନେଇ ଆପାତତଃ ସ୍ପଷ୍ଟ କରିସାରିଥିଲା । କିନ୍ତୁ ଶେଷ ମୁହୂର୍ତ ପର୍ଯ୍ୟନ୍ତ ଅନେକ ଯୋଗସୂତ୍ର କରି ମଧ୍ୟ ସମସ୍ତ ୱାର୍ଡ଼ରେ ପ୍ରାର୍ଥୀ ଦେବାରେ ବିଫଳ ହୋଇଛି । ୭, ୧୦ ଓ ୨୧ ନମ୍ବର ୱାର୍ଡ଼ରେ ବିଜେପି ପକ୍ଷରୁ କୌଣସି ପ୍ରାର୍ଥୀ ଆଜି ନାମାଙ୍କନପତ୍ର ଦାଖଲର ଶେଷ ସମୟ ସୁଦ୍ଧା ନିଜର ପ୍ରାର୍ଥୀ ପତ୍ର ଦାଖଲ କରିପାରିନହାନ୍ତି ।

ସମ୍ବନ୍ଧିତ ଖବର