ଫୁଲବାଣୀ: କାର୍ତ୍ତିକ ମାସ ହେଉଛି ଧର୍ମର ମାସ। ତେଣୁ ଏହି ମାସ ସାରା ପ୍ରାୟତଃ ଘରେ ନିରାମିଷ ଭୋଜନ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ଆସେ ଛାଡଖାଇ। ଆଉ ନିରାମିଷ ଭୋଜନ କଥା କିଏ ପଚାରେ। ତେଣୁ ଆମିଷ ଉପରେ ମାଡ ହୋଇଥାଏ।
ଆଜି ଥିଲା ଛାଡଖାଇ। ପୁଣି ଆମିଷ ବାର ନଥିଲା। ମଙ୍ଗଳବାର ଥିଲେ ବି ଛାଡଖାଇରେ ଫୁଲବାଣୀରେ ଆମିଷ ବଜାରରେ ଲୋକଙ୍କ ଗହଳି ଲାଗି ରହିଥିଲା। ଆଉ ପରିବା ହାଟ ପୁରା ଖାଁଖାଁ ରହିଥିଲା। ସକାଳୁ ସକାଳୁ ମାଛ ଓ ମାଂସ ଦୋକାନ ଖୋଲି ଦେଇଥିଲେ ଦୋକାନୀ। ତା’ପରେ ଆମିଷ ଦୋକାନକୁ ଲୋକମାନଙ୍କ ଲମ୍ବା ଲାଇନ ଲାଗି ରହିଥିଲା। ଛାଡଖାଇ ପାଇଁ ଆଜି ବଜାରରେ ଆନ୍ଧ୍ରା ମାଛ କିଲୋ ୨୦୦। ଦେଶୀ ମାଛ ୨୨୦,ଦେଶୀ ଚୁନା ମାଛ ୨୦୦,କୁକୁଡା ବଏଲର କିଲୋ ୨୦୦ ଏବଂ ଦେଶୀ ଗୋଟା ଓଜନ କିଲୋ ୬୦୦ ଟଙ୍କା ଥିଲା। ଆଉ ଅଣ୍ଡା ଗୋଟାକୁ ବି ୭ ଟଙ୍କା। ଆମିଷର ଦର ଆକାଶ ଛୁଆଁ ହୋଇଥିଲେ ବି କେହି ହେଲେ କୁଣ୍ଠାବୋଧ କରି ନଥିଲେ। ମାସେ ହେଲା ହାତବାନ୍ଧି ବସିଥିବା ମାଛ ଓ ମାଂସ ଦୋକାନୀ ଆଜି ବେଶ ଭଲ ରୋଜଗାର କରିଛନ୍ତି। ହେଲେ ଆସନ୍ତାକାଲି ବୁଧବାର ପଡୁଥିବାରୁ ଆମିଷ ବେପାର ଭଲ ହେବ ବୋଲି କହନ୍ତି କିଛି ଦୋକାନୀ।
ଆମିଷ ଦୋକାନ ହାଉଯାଉ ଥିବା ବେଳେ ଏପଟେ ପରିବା ହାଟ ଥିଲା ଖାଁଖାଁ। ଚାଷୀ ଓ ବେପାରୀ ପରିବା ପସରା ମେଲାଇ ବସି ଥିଲେ। ହେଲେ ଲୋକଙ୍କ ଦେଖା ମିଳି ନଥିଲା। ଚାଷୀମାନେ ସକାଳୁ ଆସି ୧୦ଟା ମଧ୍ୟରେ ପରିବା ବିକ୍ରି ଘରକୁ ପଳାନ୍ତି। ହେଲେ ଆଜି ଅପରାହ୍ନ ପର୍ଯ୍ୟନ୍ତ ବସି ରହିଥିଲେ ବି ପରିବା ବିକ୍ରି ସେମିତି ହୋଇ ନଥିଲା। କିଛି ଚାଷୀ ପରିବାକୁ ବେପାରୀଙ୍କୁ କମ ମୂଲ୍ୟରେ ବିକ୍ରି କରି ପଳାଇ ଯାଇଥିଲେ। ଆଉ କିଛି ପରିବା ନେଇ ଘରକୁ ନେଇ ଯାଇଥିବା ଦେଖିବାକୁ ମିଳିଥିଲା।
ଆସନ୍ତାକାଲି ବୁଧବାର ଥିବାରୁ ଆମିଷ ବଜାର ପୁଣି ଗହଳି ଲାଗି ରହିବ। ଆଉ ପରିବା ହାଟ ଖାଁଖାଁ ରହିବ ବୋଲି ଆଶା କରାଯାଉଛି। ହେଲେ ଆଜି ଆମିଷ ବଜାରରେ ସମସ୍ତେ କୋଭିଡ ନିୟମ କଥା ଭୁଲି ଯାଇଥିଲେ। କାହା ମୁହଁରେ ମାସ୍କ ଥିଲା ତ ଆଉ କାହା ଥୋଡି ତଳେ ଝୁଲୁଥିଲା ମାସ୍କ। ଆଉ ସାମାଜିକ ଦୂରତା ବି ନଥିଲା। ଗହଳି ଲାଗି ରହି ଥିଲେ ବି ପୁଲିସର ଦେଖା ମିଳି ନଥିଲା।
ପରିବା ହାଟ ଖାଁଖାଁ, ଆମିଷ ବଜାର ହାଉଯାଉ;ଛାଡଖାଇ ପାଇଁ ସମସ୍ତେ ଭୁଲି ଗଲେ କୋଭିଡ ନିୟମ
/sambad/media/post_attachments/wp-content/uploads/2020/12/plbdcm1-fish-bazar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)