କରୋନା ଯୁଦ୍ଧରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସାମିଲ: କୁଳପତି ବାଣ୍ଟିଲେ ମାସ୍କ, ବିଶୋଧନ ହେଲା ବିଭିନ୍ନ ବିଭାଗ

ବାରିପଦା: କରୋନା ଯୁଦ୍ଧରେ ସାମିଲ ହୋଇଛି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ(ଏନଓୟୁ)। ଏନେଇ କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବିଶ୍ୱବିଦ୍ୟାଳୟ ନାମାଙ୍କିତ ୬ହଜାର ମାସ୍କ ବଣ୍ଟନ କରାଯିବ। ବାରିପଦାର ସାଧାରଣଲୋକଙ୍କ ସହିତ ବିଶ୍ୱବିଦ୍ୟାଳୟର ବାରିପଦା ଓ କେନ୍ଦୁଝର କ୍ୟାମ୍ପସର ପ୍ରତ୍ୟେକ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ମାସ୍କ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ କରୋନା ଭଳି ମହାମାରୀର ଭୟାବହତା ସମ୍ପର୍କରେ କୁଳପତି ଶ୍ରୀ ଚାନ୍ଦ ଉପସ୍ଥିତ ସମସ୍ତଙ୍କୁ ସଚେତନ କରିଥିଲେ। ଆଜି ମାସ୍କ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ତକତପୁରସ୍ଥିତ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଉପସ୍ଥିତ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର୍ ପ୍ରଦାନ କରାଯାଇଥିଲା। କୁଳପତିଙ୍କ ପରାମର୍ଶ ଅନୁଯାୟୀ ମାସ୍କ ପ୍ରସ୍ତୁତି ସହିତ ବଣ୍ଟନ କାର୍ଯ୍ୟକୁ ଜାତୀୟ ସେବା ଯୋଜନା(ଏନଏସଏସ) ବ୍ୟୁରୋର ଅଧିକାରୀମାନେ ପରିଚାଳନା କରିଥିଲେ।

ଏହାସହିତ ଆଜି ବିଶ୍ୱବିଦ୍ୟାଳୟର ପ୍ରଶାସନିକ ସୌଧର ବିଭିନ୍ନ ଦପ୍ତର, କେନ୍ଦ୍ରୀୟ ପାଠାଗାର ଏବଂ ଅନ୍ୟାନ୍ୟ ଶୈକ୍ଷିକ ବିଭାଗଗୁଡ଼ିକୁ କୁଳପତିଙ୍କ ଉପସ୍ଥିତିରେ ବିଶୋଧନ କରାଯାଇଥିଲା। କୁଳସଚିବ ପ୍ରଫେସର ପ୍ରମୋଦ କୁମାର ଶତପଥୀ, ଏନଏସଏସ ମୁକ୍ତଶାଖା କାର୍ଯ୍ୟକ୍ରମ ଅଧିକାରୀ ସ୍ମୃତିରଞ୍ଜନ ଦାସ, ସହକାରୀ ପ୍ରଫେସର ସୃଷ୍ଟିଧର ରାଉତ, ରବୀନ୍ଦ୍ର ମିଶ୍ର, ଶାନ୍ତିସ୍ବରୂପ ବାସା, ପାର୍ଥସାରଥୀ ମିଶ୍ର, ନବୀନ କୁମାର ସାହୁ, ସୀତାରାମ ଦାସ, ଦେବବ୍ରତ ନନ୍ଦୀ, ବିଚିତ୍ରନାଥ ସାହୁ, ମଧୁସ୍ମିତା ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର