ଧାନ କିଣିବା ପାଇଁ ଆସିନି ନୂଆ ଟାର୍ଗେଟ:ମଣ୍ଡିକୁ ଯିବାକୁ ଭୟ କଲେଣି କ୍ରୟକାରୀ ସଂସ୍ଥା

ଜୟପୁର: ଖରିଫ ମଣ୍ଡି ପାଇଁ ୧୦୨ଟି ମଣ୍ଡିରେ କୋରାପୁଟ ଜିଲ୍ଲାର ୩୩ହଜାର ୨୩୬ଜଣ ଚାଷୀ ଧାନ ବିକ୍ରୀ କରିବାକୁ ପଞ୍ଜିକରଣ କରିଥିଲେ। ପ୍ରାୟ ୨୮ଲକ୍ଷ ୯୦ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସରକାର ଏହା ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ୨୦ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ଦେଇଥିଲେ। ଏହା ପରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟାର୍ଗେଟ ବଢ଼ାଇବାକୁ ଚିଠି କରିବା ପରେ ବି ନୂଆ ଟାର୍ଗେଟ ଆସି ପାରିନି।

ଏହାରି ମଧ୍ୟରେ ୨୦ଟି ଲ୍ୟାମ୍ପ, ୨୪ଟି ମହିଳା ସ୍ବୟଂ ସହାୟକ ଦଳ, ୨ଟି ପାଣିପଂଚାୟତ କ୍ରୟକାରୀ ସଂସ୍ଥା ପକ୍ଷରୁ ୨୦ହଜାର ୪୨୧ଜଣ ଚାଷୀଙ୍କ ଠାରୁ ୧୮ଲକ୍ଷ ୨୮ହଜାର ୪୧୪.୫୯କୁଇଣ୍ଟାଲ ଧାନ କିଣାଯାଇଛି। ଏବେ ବି ୧୨ହଜାର ୮୦୬ଜଣ ଚାଷୀଙ୍କ ଠାରୁ ଧାନ କିଣାଯିବାର ବାକି ରହିଛି। ସେଭଳି ଟାର୍ଗେଟରୁ ୧ଲକ୍ଷ ୭୧ହଜାର ୫୮୬କୁଇଣ୍ଟାଲ ଧାନ କିଣାଯିବା ବାକି ରହିଛି। ଅନ୍ୟ ପକ୍ଷରେ ଟାର୍ଗେଟ ଆସି ପାରି ନଥିବାରୁ ମଣ୍ଡିକୁ ଯିବାକୁ କ୍ରୟକାରୀ ସଂସ୍ଥା ଏବଂ ଧାନ ଉଠାଉ ଥିବା ମିଲର ମାନେ ବି ଭୟ ପ୍ରକାଶ କରୁଛନ୍ତି। ବର୍ଷକର ଶେଷ ଏବଂ ନୂଆବର୍ଷର ୩ଦିନ ହେବ ଅଧିକାଂଶ ମଣ୍ଡି ବନ୍ଦ ହୋଇଯାଇଛି। ସେଭଳି ୧୦ଏକରରୁ ଅଧିକା ଜମି ଥିବା ସଂପର୍କରେ ଚାଳିଥିବା ସର୍ଭେ ରିପୋର୍ଟ ଏବେ ପର୍ଯ୍ୟନ୍ତ ବି ସରି ପାରିନି। ଅନ୍ୟ ପକ୍ଷରେ ବହୁ ଚାଷୀ ଟୋକେନ୍ ବି ପାଇ ନାହାନ୍ତି।

ଏହି ସ୍ଥିତିରେ ଚାଷୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ସର୍ଭେ ସରିନଥିବା ଏବଂ ଚାଷୀ ମାନେ ଟୋକେନ ପାଇ ନଥିବାରୁ ବହୁ ଧାନ ଏବେ ଦଲାଲଙ୍କୁ ଚାଷୀ ବିକ୍ରୀ କରିବାକୁ ବାଧ୍ୟ ହୋଇ ଅଭାବି ବିକ୍ରୀର ଶୀକାର ହେବେ ବୋଲି କହିଛନ୍ତି ଚାଷୀ ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ କହିଛନ୍ତି। ନୂଆ ଟାର୍ଗେଟ ରାଜ୍ୟସରକାର ତୁରନ୍ତ ଦେବା ସହ ଚାଷୀ ମାାନେ ଯେଭଳି ଟୋକେନ୍ ପାଇବେ, ଏବଂ ଧାନ ଆରମରେ ସବୁ ବିକ୍ରୀ କରିପାରିବେ ସେ ଦିଗରେ ସରକାର, ଜିଲ୍ଲାପ୍ରଶାସନ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀ ନନ୍ଦ। ମଣ୍ଡିର ନୁଆ ଟାର୍ଗେଟ ଦେବା ଏବଂ ଅନ୍ୟ ସମସ୍ୟାକୁ ନେଇ ରାଜ୍ୟ ଖାଦ୍ୟ ଓ ଖାଉଟି କଲ୍ୟାଣ ସଚିବଙ୍କ ସହ ଆଲୋଚନା କରିଥିବା କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ଛୁଟି ସରିବା ପରେ ଆଉ ଦିନେ ଦୁଇ ଦିନ ମଧ୍ୟରେ ନୂଆ ଟାର୍ଗେଟ ଆସିବ ଏବଂ କୌଣସି ଜଣେ ବି ଚାଷୀ ଅଭାବି ବିକ୍ରୀର ଶୀକାର ହେବେ ନାହିଁ ବୋଲି କହିଛନ୍ତି ବିଧାୟକ।

ସମ୍ବନ୍ଧିତ ଖବର