ଜୟପୁର: ଆଉ ଦିନକ ପରେ ଆରମ୍ଭ ହେବ ଦକ୍ଷିଣଭାରତୀୟ ଭାଷାଭାଷୀ ତେଲୁଗୁ, ତାମିଲ, କନ୍ନଡ, କେରଳିମାନଙ୍କ ପାରମ୍ପରିକ ରୀତିନୀତିରେ ପୋଙ୍ଗଲ(ମକରସଂକ୍ରାନ୍ତି) ଉତ୍ସବ।
ପ୍ରଥମ ଦିନ ଭୋଗି, ଦ୍ବିତୀୟ ଦିନ ମକରସଂକ୍ରାନ୍ତି, ତୃତୀୟ ଦିନ କାନୁଗୁ, ୪ର୍ଥ ଦିନ ମୁକକାନୁଗୁ ଉତ୍ସବ ପାଳନ କରାଯିବ। ଏହି ଅବସରରେ ଜୟପୁରରେ ସବୁ ବର୍ଷ ୨ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ବଡ଼ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ଏଥିରେ ଦକ୍ଷିଣ ଭାରତ ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ, ଗାୟକ, ଓ ଗାୟିକାଙ୍କୁ ସାମିଲ କରାଯିବା ସହ ବଡ ବଡ ଅର୍କେଷ୍ଟ୍ରା ଆଦି କାର୍ଯ୍ୟକ୍ରମ ବି ଆୟୋଜନ କରାଯାଉଥିଲା।
୨ଟି ପୃଥକ ପୃଥକ ସଂଗଠନ ପକ୍ଷରୁ ବି ବିଭିନ୍ନ ପ୍ରତିଯୋଗିତା ବି କରାଯାଇ ପୁରସ୍କୃତ କରାଯାଉଥିଲା। ଏପରିକି ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏସବୁ କାର୍ଯ୍ୟକ୍ରମ କରାଇ ନିଜେ ଏହି ଉତ୍ସବରେ ସାମିଲ ହୋଇ ନିଜ ଦଳର ଅଭିମୁଖ୍ୟ ଆଦି ସଂପର୍କରେ ପ୍ରଚାର ଓ ପ୍ରସାର କରି ଆସୁଥିଲେ। ଏପରିକି ଏହି ସବୁ କାର୍ଯ୍ୟକ୍ରମରେ ୧୦ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ବି ହେଉଥିଲା। ତେବେ ଏହି ବର୍ଷ ଆଉ ସେହି ମାହୋଲ ନାହିଁ। କୋଭିଡ କଟକଣା ଓ ସରକାର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ମାର୍ଗଦର୍ଶିକା ଜାରି କରିଥିବା ଯୋଗୁଁ ଆଉ ଏହି ବର୍ଷ ସେଭଳି କାର୍ଯ୍ୟକ୍ରମ କରି ହେବ ନାହିଁ ବୋଲି କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ।
ଘରକୁ ଘର ବୁଲି ସମସ୍ତଙ୍କୁ ଶୁଭେଛା ଜ୍ଞାପନ କରିବାକୁ ଯୋଜନା କରାଯାଇଛି ବୋଲି ବିଧାୟକ , ପୂର୍ବତନ ମନ୍ତ୍ରୀ, ବରିଷ୍ଠ ବିଜେଡି ନେତ୍ରୀ ଡ.ଇନ୍ଦିରା ନନ୍ଦ, ବିଜେପିର ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଭ୍ୟ ଗୌତମ ସାମନ୍ତରାୟ କରିଥିବା କହିଛନ୍ତି। ସେଭଳି ପ୍ରସାଦରାଓପେଟ୍ଟା, ସମ୍ବାରତୋଟା, କେଲ୍ଲାନଗର, ବାଇପାସ ରୋଡ, ଆଦର୍ଶନଗର, ଭଦ୍ରା ସାହି, ଭୁପତ୍ତିସାହି, ମହାରାଣୀପେଟ୍ଟା , ଢ଼େପଗୁଡ଼ା ଆଦି ଅଂଚଳରେ ସାହିର ଯୁବକମାନେ ବି ନିଜ ନିଜ ସାହି ମଧ୍ୟରେ ନୃତ୍ୟ ଓ ଝୋଟି ଆଦି ପ୍ରତିଯୋଗିତା କରାଯାଉଥିଲା।
ତେବେ ଏହି ବର୍ଷ ଏହି ସାହିର ଯୁବକମାନେ ବି କିଛି କାର୍ଯ୍ୟକ୍ରମ କରିବା ମୁଡରେ ନଥିବା କହିଛନ୍ତି ପି.ରାବଣା, କେ.ମହେଶ, ଏ.ଶ୍ରୀନୁ, ଏମ୍. ବାସୁଦେବ ରାଓ। ତେବେ ଲୋକେ ପାରମ୍ପରିକ ପୂଜା ଓ ରିତୀନିତୀ କରିବା ପାଇଁ ଲୁଗା, ଫଳ, ପନିପରିବା ଆଦି କିଣୁଛନ୍ତି। ଏଥି ପାଇଁ ବଜାରରେ ଭୀଡ଼ ଦେଖିବାକୁ ମିଳିଛି। ଗତ ୬୦ବର୍ଷ ମଧ୍ୟରେ ଏଭଳି ଫିକା ମକରସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ ହୋଇନି ଏବଂ ଆଗାମୀ ଦିନରେ ଏଭଳି ଦିନ ନ ହେଉ ବୋଲି କହିଛନ୍ତି ପି. ସତ୍ୟନାରାୟଣ।