ଜୟପୁର: ଜୟପୁର ସଦରଥାନା ଅନ୍ତର୍ଗତ ଜୟପୁର-‌କୋରାପୁଟ ଘାଟି ରାସ୍ତାରେ ଗତକାଲି ଗୋଟିଏ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ରାୟଗଡା ରାୟଗଡା ବଟଲିଙ୍ଗ୍ ପ୍ଲାଣ୍ଟରୁ ସେଫ୍ଟି ଟିମ୍ ଓ ବିଶାଖାପାଟଣା ଏଚ୍‌ପିସିଲ୍‌ରୁ ଏକ ସ୍ବତନ୍ତ୍ର ଟିମ୍ ଆସି ପହଞ୍ଚିଛନ୍ତି। ଆଜି ସକାଳୁ ଟ୍ୟାଙ୍କରୁ ଗାଡିକୁ ଅଲଗା କରାଯାଇ ବାହାର କରାଯାଇଥିଲା। ଏଥିସହ ତଳ ଟ୍ୟାଙ୍କରରେ ଥିବା ଗ୍ୟାସକୁ ଉପରେ ଏକ ଟ୍ୟାଙ୍କରକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଆଜି ଦିନ ସାରା ୨୬ ନମ୍ବର ଜାତୀୟ ରାଜପଥ ବନ୍ଦ ରହିଥିବା ବେଳେ ଲୋକେ ଯାତାୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Advertisment

ଜୟପୁର-କୋରାପୁଟ ଘାଟିରେ ଗ୍ୟାସ ଦୁର୍ଘଟଣା ଘଟିଥିବା ସ୍ଥାନରେ ରାୟଗଡା ଟିମ୍ ଗତକାଲି ସନ୍ଧ୍ୟାରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ମଧ୍ୟ ସେଠାରୁ ଗ୍ୟାସ୍ ଲିକେଜ୍ ହୋଇନଥିବା ନେଇ ସୂଚନା ଦେଇଥିଲେ। ଏହାପରେ ବିଶାଖାପଟଣା ଏଚ୍‌ପିସିଏଲ୍‌ରୁ ଏକ୍ସପର୍ଟ ଟିମ୍ ଗତ ରାତିରେ ପହଞ୍ଚିଥିଲେ। ରାତିରେ ସ୍ଥିତି ଅନୁଧ୍ୟାନ ପରେ ଆଜି ସକାଳ ୬ଟାରୁ ୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ବନ୍ଦ କରାଯାଇଥିଲା। ବୋରିଗୁମ୍ମା ଠାରୁ ରାଣୀଗଡ ଦେଇ କିମ୍ବା ପେଟା ଘାଟିରୁ କୋଲାବ ରାସ୍ତା ଦେଇ ଲୋକେ ଯାତାୟତ କରୁଥିଲେ। ସନ୍ଧ୍ୟା ୬ଟା ପରେ ଘାଟି ରାସ୍ତା ଦେଇ ଗାଡି ଯାତାୟତ କରିଥ‌ିଲା। ଯାହାଫଳରେ ଆଗକୁ ଯାଇ ନପାରି ବାରିଣୀପୁଟ ଠାରେ ବହୁ ଗାଡି ଅଟକି ଯାଇଥିଲେ। ସକାଳୁ ଏକ୍ସପର୍ଟ ଟିମ୍ ଅନୁଧ୍ୟାନ କରିବା ପରେ ଟ୍ୟାଙ୍କରରୁ ଗାଡିକୁ ଅଲଗା କରାଯାଇଥିଲା। ଏହାପରେ ମଧ୍ୟାହ୍ନ ସମୟରେ ତଳେ ପଡିଥିବା ଟ୍ୟାଙ୍କରରୁ ଗ୍ୟାସକୁ ଇଆର୍‌ଭି ମେସିନ୍ ସାହାର୍ଯ୍ୟରେ ଉପରେ ଥିବା ଖାଲି ଟ୍ୟାଙ୍କରୁ ସ୍ଥାନାନ୍ତର କରାଯାଇଛି।

କିନ୍ତୁ ଦୁର୍ଘଟଣା ଗସ୍ତ ଗାଡିରେ ୧୮ ଟନ୍ ଗ୍ୟାସ୍ ରହିଥିବା ବେଳେ ସେଥିରୁ ପାଖାପାଖି ୪ରୁ ୫ଟନ୍ ଗ୍ୟାସ୍ ସ୍ଥାନାନ୍ତର ହୋଇଯାଇଛି। ଅପରାହ୍ନରେ ଗ୍ୟାସ ଲିକେଜ୍ ହେବାରୁ ତାହାକୁ ବନ୍ଦ କରାଯାଇଥିଲା, ପୁଣି ଗ୍ୟାସ ସ୍ଥାନାନ୍ତର କରାଗଲା। ସନ୍ଧ୍ୟ‌ା ଯୋଗୁଁ କାମ ବନ୍ଦ ରହିଥିବା ବେଳେ ପୁଣି ଆସନ୍ତାକାଲି ସକାଳୁ ଗ୍ୟାସ ସ୍ଥାନାନ୍ତର କରାଯିବ ବୋଲି ଜୟପୁର ଏସ୍‌ଡିପିଓ ଅରୁପ ଅଭିଶେଖ ବେହେରା କହିଛନ୍ତି। ଗାଡିକୁ ବାହାର କରିବା ପାଇଁ ଓଏସ୍‌ଏପି ତୃତୀୟ ବାଟାଲିଆନ୍‌ର ଓଡ୍‌ରାଫ୍‌ ଟିମ୍‌ର ୧୮ ଜଣ ସଦସ୍ୟ ଓ ଜୟପୁର ଅଗ୍ନିଶମ୍ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସହଯୋଗ କରିଥିଲେ। ଘଟଣା ସ୍ଥଳରେ ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସୟ, ତହସିଲଦାର ଟୁଲିଆମ୍ମା ପ୍ରଧାନ ଓ ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁର ସମେତ ପୁଲିସ ଟିମ୍ ମୁତୟନ ହୋଇଥିଲେ।

ଏହି ଟ୍ୟାଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଚାଳକଙ୍କ ପ୍ରକୃତ ପରିଚୟ ମିଳିପାରି ନାହିଁ। ଗାଡିରୁ ମିଳଥିବା କାଗଜପତ୍ର ଅନୁସାରେ ତାହା ସ୍ପଷ୍ଟ ହୋଇପାରି ନାହିଁ। ମୃତ ଦେହକୁ କୋରାପୁଟ ଚିକିତ୍ସାଳୟରେ ରଖାଯାଇଥିବା ବେଳେ ତାଙ୍କର ପରିବାର ଲୋକ ଆସିବା ପରେ ଜଣାପଡିବ ବୋଲି ବାରିଣୀପୁଟ ଫାଣ୍ଡି ଅଧିକାରୀ ମନୋରଞ୍ଜନ ସାହୁ ସୂଚନା ଦେଇଛନ୍ତି। ଏଥିସହ ଏନେଇ ସଦରଥାନାରେ ୮୬/୨୧ ନମ୍ବର ମାମାଲା ରୁଜୁ ‌ହୋଇଥିବା ପ୍ରକାଶ କରିଛନ୍ତି।