ଓଡ଼ିଶା ସୀମାନ୍ତବାସୀ ଲୋକଙ୍କୁ ମୌଳିକ ସୁବିଧା ଦେବା ପାଇଁ ରାଜ୍ୟ ସରକାର ବିଫଳ: କଂଗ୍ରେସ

ନୂଆପଡ଼ା:ରାଜ୍ୟ ସରକାର ନୂଆପଡ଼ା ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହୋଇଥିବା ବେଳେ ସୀମ‌ାନ୍ତବର୍ତ୍ତୀ ଲୋକଙ୍କ ଓଡ଼ିଶା ସରକାରଙ୍କ ପ୍ରତି ବିଶ୍ବାସ ତୁଟୁଥିବାରୁ ନୂଆପଡ଼ା ଜିଲ୍ଲା ସୀମାରେ ରହୁଥିବା ଲୋକମାନେ ବର୍ତ୍ତମାନ ଛତିଶଗଡ଼ରେ ମିଶିବାକୁ ଯୋଜନା କରୁଛନ୍ତି ବୋଲି ଖଡ଼ିଆଳ ବିଧାୟକ ତଥା କଂଗ୍ରେସ ନେତା ଅଧିରାଜ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ଅଧିରାଜ ପାଣିଗ୍ରହୀ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଅବେହେଳା ହେତୁ କୋଟିଆବାସୀ ଯେପରି ଓଡ଼ିଶା ହାତରୁ ଖସିବାକୁ ଯାଉଛି। ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏପରି ପରିସ୍ଥିତ ଦେଖିବାକୁ ମିଳିଛି। ଓଡ଼ିଶା ସରକାର ସୀମାନ୍ତବର୍ତ୍ତୀ ଲୋକଙ୍କୁ ମୌଳିକ ସୁବିଧା ଦେବାରୁ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଯାହାଫଳରେ ସୁନାବେଡ଼ାବାସୀ ଆଜି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି।

ସେମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଗମନାଗମନ ପାଇଁ ଭଲ ରାସ୍ତା ଖଣ୍ଡ‌େ ନାହିଁ। ବିଦ୍ୟୁତ ସେବା ସେମାନଙ୍କ ପାଇଁ ସାତସପନ, ସ୍ବାସ୍ଥ୍ୟ ସେବା ଆଜି ପର୍ଯ୍ୟନ୍ତ ଠିକ୍ ଭାବରେ ପହଞ୍ଚି ପରି ନାହିଁ କି ଲୋକମାନଙ୍କ ପାଇଁ ‌ରୋଜଗାର କୌଣସି ବ୍ୟବସ୍ଥା ନାହିଁ। ଏପରି ବିଭିନ୍ନ ସମସ୍ୟାରେ ଏହି ଅଭୟାରଣ୍ୟବାସୀ ଦିନ କାଟୁଛନ୍ତି।

ସରକାର ଏହି ଲୋକଙ୍କ ପାଇଁ ସ୍ବତନ୍ତ୍ର ସଂସ୍ଥା କରି କୋଟି କୋଟି ଟଙ୍କା ଦେଉଥିଲେ ମଧ୍ୟ କିଛି ଅଧିକାରୀମାନଙ୍କ ପାଇଁ ଏହି ଯୋଜନା ହିତାଧିକାରୀଙ୍କ ପାଖକୁ ପହଞ୍ଚିପାରୁ ନାହିଁ। ସେଥିପାଇଁ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବ ଭାବେ ନେବାକୁ ଜରୁରୀ ହୋଇପଡିଛି। ନହେଲେ କୋଟିଆ ପରି ନୂଆପଡ଼ାରେ ପରିସ୍ଥିତ ହେବ ବୋଲି ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର