ଖୋର୍ଦ୍ଧା ଉପଖଣ୍ଡରେ ଭୋଟ ଗଣତିରେ ବ୍ୟାପକ ଅବ୍ୟବସ୍ଥା, ଭୋଟଗଣତିରେ ବିଳମ୍ବ

୭ମ ରାଉଣ୍ଡ ପରେ ଗଣନା ପାଇଁ ଅତିରିକ୍ତ କର୍ମଚାରୀ ଓ ଟେବୁଲ୍ ନିୟୋଜିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଳାର ଖୋର୍ଦ୍ଧା ଉପଖଣ୍ଡରେ ଭୋଟ ଗଣତି ଆଜି ଠାରୁ ଆରମ୍ଭ ହୋଇଛି । ଭୋଟ ଗଣତିର ପ୍ରଥମ ଦିନରେ ହିଁ ଭୋଟ ଗଣତି କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଫଳରେ ବିଭିନ୍ନ ସ୍ଥାନରେ ଭୋଟ ଗଣତି ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୪୦ରୁ ୧ ଘଂଟା ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା ।

ରାଜ୍ୟ ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶାନୁସାରେ, ନିର୍ଦ୍ଧାରିତ ଭୋଟ ଗଣତି କେନ୍ଦ୍ରରେ ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥାନ୍ତା, ବେଗୁନିଆ ବ୍ୟତୀତ ଅନ୍ୟ ସମସ୍ତ ବ୍ଲକରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ବାଣପୁର, ବେଗୁନିଆ ଓ ବୋଲଗଡ଼ରେ ଠିକଣା ସମୟରେ ଆରମ୍ଭ ହୋଇଥିବା ବେଳେ ଚିଲିକା, ଖୋର୍ଦ୍ଧା, ଟାଙ୍ଗୀରେ ୧ ଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା । ମାଇକ୍ ଯୋଗେ ନିର୍ବାଚନ ଫଳାଫଳ ଘୋଷଣା କରିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ମାଇକ୍ ଠିକ୍ ଭାବେ ଶୁଣାଯାଉନଥିଲା । ଟାଙ୍ଗୀ ବ୍ଲକରେ ଏଜେଂଟ୍ ମାନଙ୍କ ପାଇଁ ବସିବା ସୁବିଧା ହୋଇନପାରିବାରୁ ତଳେ ବସି ଗଣନାରେ ଯୋଗ ଦେଇଥିଲେ ।

ଅପରପକ୍ଷରେ, ଗଣନା ପ୍ରଥମେ ୱାର୍ଡ଼ ୱାରି ଆରମ୍ଭ କରାଯାଇଥିଲା । ସମିତି ସଭ୍ୟ, ସରପଂଚ ପରେ ଜିଲ୍ଲା ପରିଷଦ ଗଣନା ଆରମ୍ଭ ହୋଇଥିଲା । ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ ରାଉଣ୍ଡ ୱାରି ଘୋଷଣା କରିବା ପରିବର୍ତେ ପ୍ରଥମେ ୱାର୍ଡ଼ ୱାରି ଘୋଷଣା କରାଯାଇଥିଲା । ଫଳରେ କିଏ କେତେ ଭୋଟ ପାଇଛି ସେେନେଇ ବ୍ୟାପକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବ ଗଣତି କେନ୍ଦ୍ରରେ ଭୋଟ ଗଣନା ଉପରେ ପଡ଼ିଥିଲା । ଶେଷରେ ପ୍ରଶାସନ ବାଧ୍ୟ ହୋଇ ଅତିରିକ୍ତ ଟେବୁଲ୍ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ଚିଲିକା, ବାଣପୁରର ଗଣନା କାର୍ଯ୍ୟ ତଦାରଖ କରୁଥିବା ଖୋର୍ଦ୍ଧା ଉପଜିଲ୍ଲାପାଳ ଆଇ ଗୌରବ ଶିବାଜୀ ଅତିରିକ୍ତ ଟେବୁଲ୍ ଓ କର୍ମଚାରୀଙ୍କୁ ନିୟୋଜିତ କରି ଗଣନା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ । ସେହିଭଳି ଟାଙ୍ଗୀର ଦାୟିତ୍ୱରେ ଥିବା ଅତିରିକ୍ତ ପିଡି ଶକ୍ତିକାନ୍ତ ରାୟ ଓ ଖୋର୍ଦ୍ଧା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଅନୁରୂପ ଭାବେ ଗଣନା କେନ୍ଦ୍ରରେ ଅତିରିକ୍ତ ଟେବୁଲ୍ ଓ କର୍ମଚାରୀଙ୍କୁ ନିୟୋଜିତ କରିଥିଲେ ।

ସମ୍ବନ୍ଧିତ ଖବର