ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ ତଥା ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷଙ୍କ ପିତା ହରିଶ ମହାନ୍ତିଙ୍କ ପରଲୋକ

ବାରିପଦା: ବିଶିଷ୍ଟ ଶିକ୍ଷାବିତ, ସୁଲେଖକ, ସାହିତ୍ୟିକ ତଥା ଏମକେସି ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିଶ ଚନ୍ଦ୍ର ମହାନ୍ତିଙ୍କର ଗତକାଲି ୮୮ ବର୍ଷ ବୟସରେ ପରଲୋକ ଘଟିଯାଇଛି। ବାରିପଦା ପୌରପରିଷଦ ୱାର୍ଡ ନଂ-୧୦ ଅନ୍ତର୍ଗତ ନିଜ ବାସଭବନରେ ଗତକାଲି ସକାଳ ୯.୪୫ରେ ସ୍ବର୍ଗତ ମହାନ୍ତି ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସ୍ବର୍ଗତ ମହାନ୍ତି ହେଉଛନ୍ତି ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତିଙ୍କ ପିତା।

ସ୍ୱର୍ଗତ ମହାନ୍ତି ଏମକେସି ହାଇ ସ୍କୁଲରେ ୧୯୮୮ ଜୁଲାଇ ୮ରୁ ୧୯୯୦ ଅଗଷ୍ଟ ୪ ପର୍ଯ୍ୟନ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ। ଏହି ଶତାୟୁ ଶିକ୍ଷାନୁଷ୍ଠାନରେ ୨୮ତମ ପ୍ରଧାନ ଶିକ୍ଷକ ରହିଥିବା ବେଳେ ତାଙ୍କ ସମୟରେ ବିଦ୍ୟାଳୟରେ ଅନେକଗୁଡ଼ିଏ ଗଠନମୂଳକ କାର୍ଯ୍ୟା ଶୁଭାରମ୍ଭ ହୋଇଥିଲା । ସେହିପରି ସ୍ୱର୍ଗତ ମହାନ୍ତି ଶୀର୍ଷା ହାଇସ୍କୁଲ, ଭଞ୍ଜପୁର ହାଇସ୍କୁଲ, ମୋରଡ଼ା ଗୋପବନ୍ଧୁ ହାଇସ୍କୁଲରେ ମଧ୍ୟ ପ୍ରଧାନଶିକ୍ଷକ ଭାବେ ସଫଳତାର ସହିତ କାର୍ଯ୍ୟ କରିଥିଲେ ।

ଅବସର ଗ୍ରହଣ କରିବା ପରେ ସତ୍ୟସାଇ ବିଦ୍ୟାବିହାରର ପ୍ରତିଷ୍ଠାତା ସମ୍ପାଦକ ଏବଂ ପରବର୍ତ୍ତି ସମୟରେ ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ । ସେହିପରି ସ୍ବର୍ଗତଃ ମହାନ୍ତିଙ୍କର ‘ମୋତି ମାଣିକର ପେଡ଼ି’ ଭଳି ଅନେକ ଉଚ୍ଚକୋଟୀର ପୁସ୍ତକ ପାଠକ ମହଲରେ ବେଶ ଆଦୃତ ହୋଇ ପାରିଥିଲା । ସେ ଏକାଧାରରେ ଜଣେ ଶିକ୍ଷାବିତ, ଲେଖକ, ସୁସାହିତ୍ୟିକ ରହିଥିବା ବେଳେ ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ଜିଲ୍ଲାରେ ଖ୍ୟାତି ଅର୍ଜନ କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ତାଙ୍କର ଗଭୀର ଜ୍ଞାନ ରହିଥିଲା। ସ୍ଥାନୀୟ ବାରୁଣୀ ଶ୍ମଶାନରେ ତାଙ୍କର ଶେଷକୃତ୍ୟୁ ସମ୍ପନ୍ନ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ ଦେବାଶିଷଙ୍କ ସମେତ ବୋହୁ ତଥା ପୂର୍ବତନ କାଉନସିଲର ସୁଚୀସ୍ମିତା ମହାନ୍ତି, ଝିଅ ଗାୟତ୍ରୀ, ବମୋତ୍ରୀ ଓ ସ୍ବାତୀ ପ୍ରମୁଖ ତିନି ଝିଅଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର