ରେଳ ବିଭାଗର ନୋଟିସ, ୧୦ ତାରିଖ ସୁଦ୍ଧା ଜାଗା ଛାଡ: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶତାଧିକ ରାୟଗଡା ବାସିନ୍ଦା

ରାୟଗଡା: ରାୟଗଡା ସହରରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରଇତ କଲୋନୀର କୋଇଲାପେଡାଠାରେ ରହୁଥିବା ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ପରିବାର ଉପରେ ଏବେ ଚିନ୍ତାର ପାହାଡ ପଡିଛି। ରେଳ ବିଭାଗ ପକ୍ଷରୁ ଚଳିତ ମାସ ୧୦ ତାରିଖ ସୁଦ୍ଧା ଘର ଛାଡିବାକୁ ନୋଟିସ ଜାରି କରାଯାଇଥିବା ଜଣାପଡିଛି। ନୋଟିସ ପାଇବା ପରେ ଏହି ଅଂଚଳରେ ବସବାସ କରୁଥିବା ପରିବାର ଏବଂ ପିଲାଛୁଆଙ୍କୁ ନେଇ କେଉଁଠାକୁ ଯିବେ ସେନେଇ ଚିନ୍ତାରେ ପଡିଛନ୍ତି। ତେବେ ପ୍ରଶାସନ ତରଫରୁ ଏମାନଙ୍କୁ ପିତାମହଲ ପଞ୍ଚାୟତର କୋଡେସୁ ଗ୍ରାମରେ ଜାଗା ଦିଆଯାଇଥିବା ଜଣାପଡିଛି। ତେବେ ଏହି ଗ୍ରାମଟି ସହର ଠାରୁ ୧୫ କିଲୋମିଟର ଦୁରରେ ରହିଥିବାରୁ ଏଠାରେ କିପରି ସେମାନେ ରହିବେ ତାକୁ ନେଇ ମଧ୍ୟ ଚିନ୍ତାରେ ପଡିଛନ୍ତି। କାରଣ ରାୟଗଡାରେ ସେମାନେ ଛୋଟ ବ୍ୟବସାୟ କରି ଜୀବନ ନିର୍ବାହ କରୁଥିଲେ।

ଏତେ ଦୂରରେ ରହିବା ପରେ ପିଲାମାନେ କିପରି ସ୍କୁଲରେ ପାଠ ପଢିବେ ଏବଂ ସେମାନଙ୍କର ରୋଜଗାର କିପରି ହେବ ତାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସ୍ଥାନୀୟ ବରିଷ୍ଠ ନେତା କୋଣ୍ଡା ବାବୁଙ୍କ ନିକଟରେ ଏହି ପରିବାରମାନେ ଦାବି ଜଣାଇବା ପରେ ସେ ଏହାକୁ ନେଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ରେଳ ବିଭାଗର ଜାଗା କୋଇଲାପଡା ହୋଇଥିବାରୁ ବିଭାଗ ଦ୍ବିତୀୟ ରେଳ ଲାଇନ ନିର୍ମାଣ କରୁଥିବାରୁ ପୂର୍ବରୁ ହିଁ ଏହି ଜାଗା ଖାଲି କରିବାକୁ ସ୍ଥାନୀୟ ଲୋକଙ୍କ ସହ ପ୍ରଶାସନକୁ ଜଣାଇଥିବା କୁହାଯାଇଛି। ତେବେ ରାୟଗଡାରେ ଯଦି ଏମାନଙ୍କୁ ଜାଗା ଦିଆଯାଇଥାନ୍ତା ତେବେ ସେମାନେ ନିଜର ପରିବାର ପ୍ରତିପୋଷଣ ସହ ପିଲାଙ୍କୁ ଶିକ୍ଷାଦାନ କରିବାରେ ସହଜ ହୋଇଥାନ୍ତା ବୋଲି ପ୍ରକାଶ କରିଥିଲେ। ତେବେ ଜିଲ୍ଲାପାଳ ଏନେଇ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର