ହତ୍ୟା ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ଅନୁକମ୍ପା ଚର୍ଚ୍ଚାରେ; କାରଣଦର୍ଶାଅ ନୋଟିସ ଜାରି ପାଇଁ ଲାଗିଗଲା ୫ ବର୍ଷ !

ସୁନ୍ଦରଗଡ଼: ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଥିବା ଜଣେ ହତ୍ୟା ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ପ୍ରତି ଘରୋଇ ବିଭାଗର ଅନୁକମ୍ପା ଏବେ ଚର୍ଚ୍ଚାରେ। ଅଧିକାରୀ ଜଣକ ଏତେ ପ୍ରଭାବଶାଳୀ ଯେ, ତାଙ୍କ ବିରୋଧରେ ଏଯାଏ ସାମାନ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବାକୁ ସାହସ ଜୁଟାଇପାରିନି ବିଭାଗ। ଶେଷରେ ମାମଲାର ୫ ବର୍ଷ ପରେ ଏବେ କାରଣଦର୍ଶାଅ ନୋଟିସ ଜାରି ହୋଇଥିବା ସୂଚନା ମିଳିଛି। ଯାହା ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁଠାରୁ ବଡ଼ କଥା ହେଲା, ହତ୍ୟା ଅଭିଯୁକ୍ତ ପୁଲିସ ବାବୁଙ୍କୁ ବିଭାଗ ପ୍ରୀତି ଦେଖାଇ ସମୟ ଅନ୍ତରରେ ଏ ଥାନାରୁ ସେ ଫାଣ୍ଡି, ସେ ଫାଣ୍ଡିରୁ ଏ ଫାଣ୍ଡିର ଦାୟିତ୍ବ ଦେଇ ଚାଲିଛି। ନିୟମ ଅନୁସାରେ, କୌଣସି ଜଘନ୍ୟ ଅପରାଧିକ ମାମଲାର ଅଭିଯୁକ୍ତ ପୁଲିସ ଅଧିକାରୀ ନିର୍ଦ୍ଦୋଷ ସାବ୍ୟସ୍ତ ନହେବା ଯାଏ ତାଙ୍କୁ କୌଣସି ଥାନା କି ଫାଣ୍ଡି ଦାୟିତ୍ବ ଦେବା ଅନୁଚିତ। ଏହା ବିଭାଗୀୟ ଶୃଙ୍ଖଳା ପରିସରଭୁକ୍ତ ମଧ୍ୟ। କିନ୍ତୁ ହତ୍ୟା ମାମଲାରେ ଜାମିନରେ ଥିବା ପୁଲିସ ଅଧିକାରୀଙ୍କ ପ୍ରତି ବିଭାଗର ଏପରି ଦରଦ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି।

କୌଣସି ମତେ ବାବୁଙ୍କୁ ସୁରକ୍ଷା ଦେବାକୁ କାହାର ନିର୍ଦ୍ଦେଶ ରହିଛି କି, କାହା ଚାପରେ ତାଙ୍କୁ ମୁଖ୍ୟାଳୟରୁ ବିଭିନ୍ନ ଥାନା, ଫାଣ୍ଡି ଦାୟିତ୍ବ ଦିଆଯାଉଛି, ତାକୁ ନେଇ ଉଠିଛି ପ୍ରଶ୍ନ। ବାବୁ ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ଫାଣ୍ଡି ଦାୟିତ୍ବରେ ଥିବା ପୁଲିସ ଉପ ନିରୀକ୍ଷକ ପ୍ରଜ୍ଞାପ୍ରୀତମ ଜେନା। ବାବୁଙ୍କ ନାମରେ ହତ୍ୟା ଅଭିଯୋଗଟି ଆସିଥିଲା ସାଢ଼େ ୫ ବର୍ଷ ତଳେ ୨୦୧୬ ନଭେମ୍ବର ୮ ତାରିଖରେ ତାରିଖରେ। ସେତେବେଳେ ସେ ଥିଲେ ହାତୀବାରି ଥାନାଧିକାରୀ। ଅଭିଯୋଗ ଅନୁସାରେ, ପୁରୁଣାପାଣି ଟିକ୍ସୋ ଅଞ୍ଚଳରେ ଜୁଆ ଖେଳ ହେଉଥିବା ସୂଚନା ପାଇ ଶ୍ରୀ ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ାଉ କରିବାକୁ ପହଞ୍ଚିଥିଲା। ପୁଲିସକୁ ଦେଖି କିଛି ଯୁବକ ଦୌଡ଼ି ପଳାଇଥିଲେ। ହେଲେ ସେଠାରେ ଉପସ୍ଥିତ ତେହେରଡିହି ଗାଁର ଜଗମୋହନ ବଡ଼ାଇକ (୩୫)ଙ୍କୁ ଜୁଆ ଖେଳିବା ଅଭିଯୋଗରେ ଉଠାଇ ଆଣିଥିଲେ ପୁଲିସ ଅଧିକାରୀ। ପରେ ତାକୁ ଅଟକ ରଖି ନିସ୍ତୁକ ମାଡ଼ ମାରିବା ପରେ ଗୁରୁତର ହେବାରୁ ପୁଲିସ ଗାଡ଼ିରେ ନେଇ ପାହାଡ଼ଟୋଲି ନିକଟରେ ଫିଙ୍ଗି ଦେଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳକୁ ଆସି ଗୁରୁତର ଜଗମୋହନକୁ ପ୍ରଥମେ ହାତୀବାରି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ହସ୍ପିଟାଲକୁ ନେଇଥିଲେ। ସେଠାରେ ୩ ଦିନ ଚିକିତ୍ସିତ ହେବା ପରେ ନଭେମ୍ବର ୧୧ ତାରିଖରେ ପ୍ରାଣ ହରାଇଥିଲେ ଜଗମୋହନ। ଏହାକୁ ନେଇ ହାତୀବାରିରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ନେତୃତ୍ବରେ ଥାନା ଘେରାଇ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଏହା ପରେ ମୃତ ଜଗମୋହନଙ୍କ ପତ୍ନୀଙ୍କ ଅନଲାଇନ୍ ଏତଲାକ୍ରମେ ତତ୍କାଳୀନ ଏସପି ନିଖିଲ କାନୋଡ଼ିଆଙ୍କ ନିର୍ଦ୍ଦେଶରେ ହାତୀବାରି ଥାନାରେ ଏସଆଇ ଶ୍ରୀ ଜେନାଙ୍କ ନାମରେ ୨୦୧୬ ଡିସେମ୍ବର ୨୯ ତାରିଖରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହା ପରେ ତାଙ୍କୁ ରାଜଗାଙ୍ଗପୁର ଥାନା ଓ ସେଠାରୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରି ଅଣାଯାଇଥିଲା। ପରେ ପରେ ସେ ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇଥିଲେ। ତେବେ ପରବର୍ତ୍ତୀ ସମୟରେ ମାମଲା ଥଣ୍ଡା ପଡ଼ିଯିବା ପରେ ୨୦୧୮ରୁ ଅତି ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଦୁଇଟି ପର୍ଯ୍ୟାୟରେ ଅଢ଼େଇ ବର୍ଷ କାଳ କୋଇଲା ଖଣି ଅଞ୍ଚଳସ୍ଥିତ ବଲିଙ୍ଗା ଫାଣ୍ଡିରେ ନିଯୁକ୍ତି ଦିଆଯାଇଥିଲା। ଯେଉଁ ଫାଣ୍ଡି ଦାୟିତ୍ବ ନେବାକୁ ପୁଲିସ ଅଧିକାରୀମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲେ। ଏ ସମ୍ପର୍କରେ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଏହାକୁ ଗମ୍ଭୀରତାର ସହ ନେଇଥିଲେ ଏସପି ସାଗରିକା ନାଥ। ତୁରନ୍ତ ତାଙ୍କୁ ସେଠାରୁ ହଟାଇ ଆଣିଥିଲେ। କିନ୍ତୁ ନିର୍ବାଚନ ଋତୁରେ ଗତ ଜାନୁଆରିରେ ସେ ପୁଣି ସର୍ଗିପାଲି ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ପାଇ ୬ ମାସ ହେଲା ସେଠାରେ କାର୍ଯ୍ୟରତ। ଏବେ ସାଧାରଣରେ ପ୍ରଶ୍ନ, କାରଣଦର୍ଶାଅ ନୋଟିସ ଜାରି କରିବାକୁ ଯଦି ୫ ବର୍ଷ ଲାଗୁଛି, ତେବେ କାର୍ଯ୍ୟାନୁଷ୍ଠାନ ପାଇଁ କେତେ ବର୍ଷ !

ସମ୍ବନ୍ଧିତ ଖବର