ହାଟଡିହି: ହାଇକୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ହୋଇନଥିବା ଏକ ମାମଲାର ଶୁଣାଣି କରି କେନ୍ଦୁଝର ଜିଲ୍ଲା ହାଟଡିହି ବିଡିଓ ବିନୀତା ବିଜୟିନୀଙ୍କୁ ହାଇକୋର୍ଟ ଗତ ୨୧ ତାରିଖରେ ନୋଟିସ୍ ଜାରି କରିଛନ୍ତି। ମେ ୨୫ରେ ହାଇକୋର୍ଟଙ୍କ ପକ୍ଷରୁ କେସ୍ ନମ୍ବର ଡବ୍ଲ୍ୟୁପି(ସି) ୧୬୬୪୩ / ୨୦୨୩ରେ ଦିଆଯାଇଥିବା ଆଦେଶ ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ ହେଲାନି। ଫଳରେ ଅଭିଯୋଗକାରୀ ସଢ଼ା ପଞ୍ଚାୟତର ୱାର୍ଡମେମ୍ବର ଉମାକାନ୍ତ ଜେନା ଆଉ ଏକ ମାମଲା ଦାୟର କରିଥିଲେ। ମାମଲାର ଶୁଣାଣି କରି ଆଦେଶ ପାଇବାର ଏକମାସ ମଧ୍ୟରେ କାର୍ଯ୍ୟକାରୀ କରି ରିପୋର୍ଟ ଦେବାକୁ ଗତ ଜୁଲାଇ ୨୦ରେ ହାଟଡିହି ବିଡିଓ ବିନିତା ବିଜୟିନୀଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ।
ଧାର୍ଯ୍ୟ ସମୟ ମଧ୍ୟରେ ଆଦେଶ କାର୍ଯ୍ୟକାରୀ ନକଲେ ଏହାକୁ କୋର୍ଟଙ୍କ ଆଦେଶ ଅବମାନନା ବୋଲି ଧରାଯିବ କହିଛନ୍ତି। ସୂଚନାଯୋଗ୍ୟ, ହାଟଡିହି ବ୍ଲକ୍ ଅଧୀନ ସଢ଼ା ପଞ୍ଚାୟତର ପ୍ରସ୍ତାବ ବହିରେ ଅନିୟମିତତା ହୋଇଥିବା ନେଇ ଗତ ୫/୪/୨୦୨୩ରେ ଅଭିଯୋଗ ହୋଇଥିଲା। ହାଟଡିହି ବିଡିଓ, ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ୱାର୍ଡମେମ୍ବରମାନେ ଅଭିଯୋଗ କରିଥିଲେ। ପ୍ରସ୍ତାବ ବହିରେ ୨୫ରୁ ୪୦ ନମ୍ବର ପର୍ଯ୍ୟନ୍ତ ପୃଷ୍ଠା ଫାଙ୍କା ରହିଥିବା ବେଳେ ୪୨ ନମ୍ବର ପୃଷ୍ଠାରେ ଏକ ପ୍ରସ୍ତାବ ଲେଖା ଥିଲା।
ବୈଠକ ନକରି ପିଅନ ଦ୍ୱାରା ଗାଁ ଗାଁ ବୁଲେଇ ପ୍ରସ୍ତାବ ବହିରେ ଦସ୍ତଖତ କରାଯାଉଛି ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆ ନଯିବାରୁ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟଙ୍କ ନିର୍ଦେଶ ଉପରେ ପଦକ୍ଷେପ ନିଆଯାଉଛି ବୋଲି ବିଡିଓ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/highcourt-1.jpg)