ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ବିସ୍ଥାପିତ ସମସ୍ୟା ବିବାଦ ତୁଟୁନି। ସମସ୍ୟାର ସମାଧାନ ପାଇଁ ରାଉରକେଲାରୁ ଭୁବନେଶ୍ବର ଓ ଭୁବନେଶ୍ବର ଠାରୁ ଦିଲ୍ଳୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକରେ ବିସ୍ଥାପିତଙ୍କ ସମସ୍ୟା ସଂକ୍ରାନ୍ତରେ ଘଣ୍ଟା ଘଣ୍ଟା ଧରି ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି ସତ କିନ୍ତୁ ସମାଧାନର କୌଣସି ସୂତ୍ର ବାହାରି ପାରିନାହିଁ। ଆର୍ଏସ୍ପିରେ ବିସ୍ଥାପିତଙ୍କ ନିଯୁକ୍ତି, ବଳକା ଜମି ଫେରସ୍ତ ଆଦି ସମସ୍ୟାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାକୁ ଜାତୀୟ ଜନଜାତି କମିସନ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ନୋଟିସ୍ କରିଛନ୍ତି।
ଆସନ୍ତା ୪ରେ ଦିଲ୍ଲୀସ୍ଥିତ ଏନ୍ସିଏସ୍ଟି ମୁଖ୍ୟାଳୟରେ ଆହୂତ ବୈଠକରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିସ୍ଥାପିତ ସଂଘର ୧୦ ଜଣ ପ୍ରତିନିଧିଙ୍କୁ ଉପସ୍ଥିତ ରହିବାକୁ ମଧ୍ୟ ନୋଟିସ୍ କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ରାଉରକେଲା ଜଲଦାର ସୋମା ଓରାମ, ରାମପଡା ଦୁର୍ଗାପୁରର ମାଙ୍ଗ୍ରା ଓରାମ, ପାନପୋଷ ରୁପୁଟୋଲାର ରାଜକିଶୋର ଭୂମିଜ୍, ଡିସ୍ପ୍ଲେସ୍ ସେଟଲମେଣ୍ଟ କମିଟିର ସାଧାରଣ ସମ୍ପାଦକ ରବିନ୍ଦ୍ର ଭୂମିଜ ପ୍ରମୁଖ। ବିଧାନସଭା ଚାଲିଥିବାରୁ ମୁଖ୍ୟ ଶାସନ ସଚିବ ହାଜର ହୋଇ ନ ପାରିବାକୁ କମିସନଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିବା ଜଣାପଡିଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଓ ବିସ୍ଥାପିତ ସଂଘର ପ୍ରତିନିଧିମାନେ ଉପସ୍ଥିତ ରହିବେ ବୋଲି ବିସ୍ଥାପିତ ସଂଘର ଲଚ୍ଛୁ ଓରାମ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୧୯୫୪ ଜାନୁଆରି ୧୯ରେ ଆର୍ଏସ୍ପି ପ୍ରତିଷ୍ଠା ବେଳେ ରାଜ୍ୟ ସରକାର ପାଖାପାଖି ୨୦ ହଜାର ଏକର ଜମି ସେଲ୍କୁ ହସ୍ତାନ୍ତର କରିଥିଲେ। କାରଖାନା ଓ ମନ୍ଦିରା ଡ୍ୟାମ ପାଇଁ ପ୍ରାୟ ୪ ହଜାର୯୪ ଆଦିବାସୀ ପରିବାର ବିସ୍ଥାପିତ ହୋଇଥିଲେ। ବିସ୍ଥାପିତ ପରିବାର ମଧ୍ୟ ରହିଥିଲେ ଟାଙ୍ଗରପାଲି, ବିଜୁ ବନ୍ଧ, ଝାରମୁଣ୍ଡା, ବରକାନି, ରାଉରକେଲା, ଦୁର୍ଗାପୁର, ଉରତୁମ୍, ଦୁର୍ଗାପୁର, ଲୁଆକେରା, ତୁମକେଲା, ହମିରପୁର, ବାଙ୍କିଆ, ପ୍ରଧାନପାଲୀ, ଛେଣ୍ଡ, ସାନ ଲାଞ୍ଜିବେର୍ଣ୍ଣା, ଖରିଆବାହାଲ, ଜଲଦା, ଝିରପାଣି, ଦେଓଗାଁ ଆଦି ଅଞ୍ଚଳରେ ରହୁଥିବା ପରିବାର ବିସ୍ଥାପିତ ହୋଇଥିଲେ।
ସେତେବେଳେ ପରିବାରକୁ ନିଯୁକ୍ତି ଓ ଥଇଥାନ କରିବାକୁ ଜିଲ୍ଲା ପ୍ରଶାସନ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ କିଛି ବିସ୍ଥାପିତ ପରିବାରକୁ ଆର୍ଏସ୍ପିରେ ନିଯୁକ୍ତି ମିଳିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବାରୁ ୨୦୦୬ ଜାନୁଆରୀରେ ବିସ୍ଥାପିତ ମାନେ ୭୨ ଘଣ୍ଟିଆ ରେଳରୋକୋ କରିଥିଲେ। ବନ୍ଧମୁଣ୍ଡା କୁକୁଡା ଗେଟ୍ ନିକଟରେ ହୋଇଥିବା ରେଳେରୋକୋ ଯୋଗୁ ରେଳ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ଆର୍ଡିସି, ଜିଲ୍ଲାପାଳ ଓ ଆର୍ଏସ୍ପିର ବରିଷ୍ଠ ଅଧିକାରୀ ପହଞ୍ଚି ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲେ। ପରେ ଅତିରିକ୍ତ ଜିଲ୍ଳାପାଳ ୨୦୦୬ ଫେବୃଆରି ୨୦ରେ ଆର୍ଏସ୍ପି ନିଯୁକ୍ତି ପାଇଁ ବିଜ୍ଞପ୍ତି (ନଂ ୪୩୪) ପ୍ରକାଶ କରିଥିଲେ। ୨୦୦୯ରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ପ୍ରଥମ ପର୍ଯ୍ୟାୟରେ ୮୭ ଓ ୨୦୧୦ରେ ଦ୍ବିତୀୟ ପର୍ଯ୍ୟାୟରେ ୬୬ ଏମିତି ମୋଟ ୧୬୩ ଜଣଙ୍କୁ ଆର୍ଏସ୍ପିରେ ନିଯୁକ୍ତି ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ଜଣେ ହେଲେ ବିସ୍ଥାପିତଙ୍କୁ ଆର୍ଏସ୍ପିରେ ନିଯୁକ୍ତି ମିଳି ନଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ ଆଜି ପର୍ଯ୍ୟନ୍ତ ଆର୍ଡିସିଙ୍କ ଅଧ୍ୟକ୍ଷତାରେ ୬ର ଆର୍ପିଡିଏସି ବୈଠକ ବସିଛି। ବିସ୍ଥାପିତଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଆର୍ଡିସି ନିର୍ଦ୍ଦେଶ ଦେଇଛନ୍ତି। ତା’ ସତ୍ବେ ଆଜି ଯାଏ ବିସ୍ଥାପିତଙ୍କ ସମସ୍ୟାର ଯେମିତିକୁ ସେମିତି ରହି ଯାଇଛି।