ମାଲକାନଗିରି: ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ଲେଖିବା ପାଇଁ ବାଧ୍ୟତାମୂଳକ ହୋଇଥିବା ବେଳେ ମାଲକାନଗିରି ଶ୍ରମ ବିଭାଗ ପକ୍ଷରୁ ଏନେଇ ତତ୍ପରତା ଦେଖିବାକୁ ମିଳିଛି। ଆଜି ମାଲକାନଗିରି ଶ୍ରମ ବିଭାଗ ପକ୍ଷରୁ ମାଲକାନଗିରି ପୌରପାଳିକା ଓ ବାଲିମେଳା ଏନଏସି ଅଞ୍ଚଳରେ ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇଛି। ଯେଉଁ ଦୋକାନରେ ଓଡିଆରେ ନାମଫଳକ ଲେଖାଯାଇନାହିଁ ତୁରନ୍ତ ନାମଫଳକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୋଟ ୪୨ଟି ବ୍ୟବାସାୟିକ ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସୂଚନା ଅନୁଯାୟୀ, ଗତ ଏପ୍ରିଲ୍ ମାସ ୬ ତାରିଖରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡିଆ ନାମଫଳକ ଲଗାଇବା ପାଇଁ ନିଷ୍ପତି ନିଆଯାଇଥିଲା। ଏନେଇ ପ୍ରତ୍ୟେକ ଜିଲ୍ଲାରେ ସମନ୍ବୟ କମିଟି ଗଠନ କରାଯାଇ ଓଡିଆ ନାମଫଳକ ଲଗାଇବା ପାଇଁ ବାଧ୍ୟତାମୂଳକ କରାଯାଇଥିଲା। ଯେଉଁ ପ୍ରତିଷ୍ଠାନ ମାଲିକ ଏହାକୁ ଖିଲାପ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ରହିଥିଲା। ଏନେଇ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଚିଠି ଆସିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନଥିଲା।
ଗତ ମେ ମାସ ୨୪ ତାରିଖରେ ‘ସମ୍ବାଦ’ରେ ‘ଫାଇଲ ଭିତରେ ରହିଗଲା ଶ୍ରମ ଆୟୁକ୍ତଙ୍କ ଚିଠି, ଚଢ଼ାଉ କି କାରଣ ଦର୍ଶାଅ ନୋଟିସ ଜାରି ହେଉନଥିବା’ ଶୀର୍ଷକରେ ଖବର ପ୍ରକାଶ ପାଇଥିଲା। ଏହାପରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଥିଲା। ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ନାମଫଳକ ଓଡ଼ିଆରେ ଲେଖିବାକୁ କଡ଼ାକଡ଼ି କରିବା ସହ ସଚେତନତା ପାଇଁ ୧୫ ଦିନ ସମୟ ଦିଆଯାଇଥିଲା। ଏହାକୁ ମାଇକ ଯୋଗେ ପ୍ରଚାର କରାଯାଇଥିବା ବେଳେ ନିୟମକୁ ଖିଲାପ କରିଥିବା ବ୍ୟବସାୟ ପ୍ରତିଷ୍ଠାନରେ ଶ୍ରମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏନେଇ ଆଜି ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ସହକାରୀ ଶ୍ରମ ଅଧିକାରୀ ବିଶ୍ବ ରଞ୍ଜନ କହଁର ଓ ପୂର୍ଣ୍ଣିମା ଡୁରୁକା ମାଲକାନଗିରି ପୌରପାଳିକା ଓ ବାଲିମେଳା ଏନଏସିରେ ଥିବା ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ଉ କରିଥିଲେ। ମାଲକାନଗିରି ପୌରପାଳିକା ଅଞ୍ଚଳରେ ୨୨ ଗୋଟି ଓ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨୦ ଗୋଟି ଅର୍ଥାତ୍ ସମୁଦାୟ ୪୨ ଗୋଟି ବ୍ୟବସାୟ ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସାତ ଦିନ ମଧ୍ୟରେ ବଡ ବଡ ଅକ୍ଷରରେ ସ୍ପଷ୍ଟ ଭାବରେ ଦେଖାଯାଉଥିବା ଭଳି ଓଡ଼ିଆରେ ନାମଫଳକ ଲେଖିବା ସହ ଏହାର ଫଟୋକପି ଶ୍ରମ ବିଭାଗ କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି। ନିୟମ ଉଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଚଢ଼ଉ ବେଳେ ୱେଲଫର କୋଡ଼ିନେଟର ଏ ହରି ପ୍ରସାଦ ସହଯୋଗ କରିଥିଲେ।