ରାଜନଗର: କୌଣସି ସ୍ବୀକୃତି ନଥାଇ ଯୁକ୍ତ୨ କଲେଜ ଖୋଲି ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ନାମ ଲେଖା ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ଆଜିର ଯୁଗରେ ବେନାମୀ କଲେଜ ଖୋଲାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ବାଲେଶ୍ୱର ଅଂଚଳରେ ଥିବା ଏକ ପ୍ରାଇଭେଟ୍‌ କଲେଜ ଖାସମୁଣ୍ଡାରେ ଶାଖା କଲେଜ ଖୋଲି ପିଲାଙ୍କ ନାମ ଲେଖାଇବା ସହ ପାଠ ପଢ଼ାଉଥିବା ଜଣାପଡ଼ିଥିଲା। ଗୋଟିଏ ଭାଇ ବାଲେଶ୍ୱରର ବାହାବଳପୁରରେ ପ୍ରାଇଭେଟ୍‌ କଲେଜ ଚଳାଉଥିବା ବେଳେ ଅନ୍ୟ ଏକ ଭାଇ କେନ୍ଦ୍ରାପଡ଼ାର ସବୁଠୁ ଉପାନ୍ତ ଅଂଚଳ ଖାସମୁଣ୍ଡାରେ ବେନାମୀ କଲେଜ ଖୋଲି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ରାଜନଗର ବ୍ଲକ ବାଘମାରୀ ପଞ୍ଚାୟତ ଖାସମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ମାଇତି ଏହି ନକଲି କଲେଜ ଖୋଲି ନିଜ ଘରେ ଏହାକୁ ଚଳାଉଛନ୍ତି।

Advertisment

ଆଜି ରାଜନଗର ଶିକ୍ଷାବିଭାଗ ପକ୍ଷରୁ ଏହି ନକଲି ଶିକ୍ଷାନୁଷ୍ଠାନ ଖୋଲି ଚଳାଉଥିବା ଶିକ୍ଷକ ତରୁଣ କୁମାର ମାଇତିଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ୩ଦିନ ଭିତରେ ଏହାର ଉତ୍ତର ଜଣାଇବାକୁ କୁହାଯାଇଛି। ଉତ୍ତର ମିଳିବା ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଜିତ କୁମାର ବାରିକ ସୂଚନା ଦେଇଛନ୍ତି। ରାଜନଗର ବ୍ଲକ୍‌ର ଶେଷ ପ୍ରାନ୍ତରେ ଥିବା ବଙ୍ଗୀୟ ଭାଷାଭାଷି ଅଂଚଳ ବାଘମାରୀ ପଂଚାୟତର ଖାସମୁଣ୍ଡା। ଏହି ଗାଁରେ ଶ୍ରୀ ଗଣେଶ ହାୟର୍‌ ସେକେଣ୍ଡାରି ସ୍କୁଲ (ଯୁକ୍ତ ୨ କଲେଜ) ଖୋଲାଯାଇଥିବା ନେଇ ସାଇନବୋର୍ଡ ମରାଯାଇଛି। ଫଳକରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ନାମ ଲେଖା ଚାଲୁଥିବା ଉଲ୍ଲେଖ ରହିଛି। ଗୋଟିଏ ମାତ୍ର ଘରେ ଡେସ୍କ ବେଂଚ ପକାଇ ପିଲାଙ୍କୁ ପାଠ ମଧ୍ୟ ପଢାଯାଉଛି। ଏହି ଶ୍ରୀ ଗଣେଶ ଯୁକ୍ତ ୨ କଲେଜରେ ୫୫ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାଠ ପଢୁଥିବା ବି ଜଣାପଡ଼ିଛି। ଅଧିକାଂଶ ଛାତ୍ରଛାତ୍ରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଯୁକ୍ତ ୨ କଳାରେ ନାମ ଲେଖାଇଥିଲେ। ସେମାନଙ୍କୁ ପ୍ରଲୋଭିତ କରି ସରକାରୀ ମହାବିଦ୍ୟାଳୟଗୁଡ଼ିକରୁ ଟିସି ନେଇ ଏହି ବେନାମୀ କଲେଜରେ ନାମ ଲେଖାଯାଇଛି।

କୌଣସି ମହାବିଦ୍ୟାଳୟ ଖୋଲିବା ପାଇଁ ଗଣଶିକ୍ଷା ବିଭାଗର ଟେମ୍ପରାରି ଆଫିଲିଏସନ୍‌ ଦରକାର। କିଛିଦିନ ଧରି ମହାବିଦ୍ୟାଳୟ ଚାଲିବା ପରେ ସ୍ଥାୟୀ ଆଫିଲିଏସନ୍‌ ମିଳିଥାଏ। କୌଣସି ମହାବିଦ୍ୟାଳୟକୁ ସ୍ଥାୟୀ ବା ଅସ୍ଥାୟୀ ଆଫିଲିଏସନ୍‌ ମିଳିବା ପରେ ଛାତ୍ରଛାତ୍ରୀଙ୍କ ଆ‌ଡମିସନ କରି ପାଠ ପଢାଯାଇଥାଏ ଏବଂ ସେହି କଲେଜ ନାଁରେ ଛାତ୍ର ଛାତ୍ରୀମାନେ ପରୀକ୍ଷା ଦେଇଥାନ୍ତି। ମାତ୍ର, ଖାସମୁଣ୍ଡା ଶ୍ରୀଗଣେଶ ହାୟର୍‌ ସେକେଣ୍ଡାରି ଯୁକ୍ତ ୨ କଲେଜକୁ ସରକାରଙ୍କ ଶିକ୍ଷା ବିଭାଗର କୌଣସି ସ୍ବୀକୃତି ମିଳିନାହିଁ। ଏପରିସ୍ଥଳେ କିପରି ବେନାମୀ କଲେଜ ଖୋଲାଗଲା ଓ କଲେଜରେ ନାମ ଲେଖା ଚାଲିଛି, ସେ ନେଇ ବିସ୍ମୟ ସୃଷ୍ଟି ହୋଇଛି। ଖାସମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ତରୁଣ କୁମାର ମାଇତି ନିଜେ ଏହି ଶ୍ରୀଗଣେଶ କଲେଜ ଚଳାଉଛନ୍ତି ବୋଲି କହିବା ସହ ଅଫିସିଆଲ୍‌ କାମ ଭାଇ ମାନସ ମାଇତି ବୁଝୁଛନ୍ତି ବୋଲି କହିଥିଲେ। ହେଲେ, ତାଙ୍କ ଭାଇ ମାନସ ମାଇତିଙ୍କ କହିବା କଥା, ଖାସମୁଣ୍ଡାରେ କଲେଜ ଖୋଲିବା ପାଇଁ ମୋ ଭାଇ (ତରୁଣ କୁମାର ମାଇତି ଯେ କି ଖାସମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ) ପ୍ରସ୍ତାବ ଦେଇଥିଲେ। ମୋର ବାଲେଶ୍ୱରର ବାହାବଳପୁରରେ ରିଜିଓନାଲ ହାୟର୍‌ ସେକେଣ୍ଡାରି ସ୍କୁଲ ରହିଛି। ଭାଇଙ୍କ ପ୍ରସ୍ତାବ ପରେ ମୁଁ ଖାସମୁଣ୍ଡାରେ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲି। ଶ୍ରୀ ଗଣେଶ ହାୟର୍‌ ସେକେଣ୍ଡାରି ସ୍କୁଲ (ଯୁକ୍ତ ୨ କଲେଜ) ଖୋଲିବା ପାଇଁ ନିଷ୍ପତ୍ତି ନେଇ ଫଳକ ମାରିଥିଲି। ସ୍ବୀକୃତି ପାଇବା ପାଇଁ ପ୍ରତିବର୍ଷ ନଭେମ୍ବର ମାସରେ ଆବେଦନ କରିବାକୁ ପଡ଼େ। ମଇ ମାସରେ ଆଫିଲିଏସନ୍‌ ମିଳିଥାଏ। ସେକ୍ରେଟାରି ଓ ମନ୍ତ୍ରୀସ୍ତରରେ ଏ ସବୁ ହୋଇଥାଏ।

ସେଥିପାଇଁ ନୂଆ କଲେଜର ଫଳକ ମାରି ୫୫ ଜଣ ଛାତ୍ରଛାତ୍ରୀଙ୍କ ଆଡମିସନ୍‌ ନେଇଥିଲୁ। ସମସ୍ତ ଛାତ୍ରଛାତ୍ରୀଙ୍କ ଆଡମିସନ୍‌ ବାହବଳପୁର ରିଜିଓନାଲ୍‌ ହାୟର୍‌ ସେକେଣ୍ଡାରି କଲେଜରେ କରାଯାଇଛି। ଖାସମୁଣ୍ଡାରେ ୫୫ଜଣ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ବ୍ୟବସ୍ଥା କରିଛୁ। ୬ଜଣ ଅଧ୍ୟାପକ ସ୍ଥାନୀୟ ଯୁବକ ଓ ଧାମରା ଅଂଚଳର ଯୁବକଙ୍କୁ ରଖି ପାଠ ପଢାଉଛୁ। ଦେଶସାରା ଏପରି ବିଏଡ୍‌ କଲେଜର ଫଳକ ମରାଯାଇଥାଏ। ଆମେ ଉପାନ୍ତ ଅଂଚଳରେ କଲେଜ ଖୋଲିବା ପାଇଁ ଏପରି କରିଛୁ। ମୁଁ ବାଲେଶ୍ୱରରେ ରହି ବୁଝୁଛି ଓ ମୋ ଭାଇ ଖାସମୁଣ୍ଡାରେ କଲେଜର ପାଠପଢା କଥା ବୁଝୁଛି ବୋଲି ସେ କହିଥିଲେ। ଏହାବାଦ୍‌ ଶ୍ରୀ ଗଣେଶ ଯୁକ୍ତ ୨ କଲେଜ ନାଁରେ କୌଣସି ସ୍ବୀକୃତି ନଥିବା ବେଳେ କିପରି ନୂଆ କଲେଜର ନାଁ ମରାଯାଇ ଛାତ୍ର ଛାତ୍ରୀଙ୍କୁ ଭଣ୍ଡାଇ ଆଡମିସନ କରାଗଲା, ସେ ନେଇ ପ୍ରଶ୍ନ ଉଠିଛି। ସବୁଠୁ ବଡ଼କଥା ହେଲା ଖାସମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ତରୁଣ କୁମାର ମାଇତି ନିଜ ଘରେ ଏହି ନକଲି କଲେଜ ଖୋଲିବା ସହ ଯୁକ୍ତ ୨ କଲେଜରେ ନାମ ଲେଖା ଚାଲିଛି ବୋଲି ବିଭିନ୍ନ ସ୍ଥାନରେ ତାଙ୍କର ମୋବାଇଲ ନମ୍ବର ଥାଇ ବ୍ୟାନର୍‌ ଓ ପୋଷ୍ଟର୍‌ ମରାଯାଇଛି। ଏ ନେଇ କେବଳ ‘ସମ୍ବାଦ’ରେ ଖବର ପାଇବା ପରେ ଶିକ୍ଷାବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଇଛି।