ଗ୍ରାମବାସୀଙ୍କୁ ବିସ୍ଥାପନ ନୋଟିସ୍‌, ହାଡ଼ୁଆ ଜଳସେଚନ ପ୍ରକଳ୍ପରେ ଜଳମଗ୍ନ ହେବ ତିନି ଗାଁ

କଟକ/ନରସିଂହପୁର: ବହୁପ୍ରତୀକ୍ଷିତ ହାଡ଼ୁଆ ଜଳସେଚନ ପ୍ରକଳ୍ପ କେବେ ଆରମ୍ଭ ହେବ ଓ କେବେ ସରିବ ତାକୁ ନେଇ ସବୁସ୍ତରରେ ଲାଗିରହିଥିଲା ଚର୍ଚ୍ଚା। ତେବେ ଏହି ପ୍ରକଳ୍ପ ପାଇଁ ସମସ୍ତ ପ୍ରକାର ବୈଷୟିକ ମଂଜୁରୀ ମିଳି ସାରିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ୨୦୨୨ ସୁଦ୍ଧ‌ା ଡ୍ୟାମ୍‌ର ବେସ୍‌ ତିଆରି କରି ପ୍ରକଳ୍ପ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଓଡିଶା ନିର୍ମାଣ ନିଗମ (ଓସିସି) ସହିତ ଏମ୍‌ଓୟୁ କରିଛି ବିଭାଗ। ଏହି ଅବଧି ଭିତରେ ୧୬କୋଟି ଟଙ୍କା ବ୍ୟୟରେ ଡ୍ୟାମ୍‌ର ବେସ୍‌ ତିଆରି କରି ଓସିସି ହାଡୁଆ ଜଳସେଚନ ପ୍ରକଳ୍ପକୁ ହସ୍ତାନ୍ତର କରିବ। ଏହାର ଫାଉଣ୍ଡେସନ୍‌ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକଳ୍ପ ଯୋଗୁଁ ନରସିଂହପୁର ବ୍ଲକ୍‌ର ତିନୋଟି ଗାଁ ବୁଡ଼ିବ। ଫଳରେ ଉକ୍ତ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହେବାକୁ ଥିବା ୧୫ରୁ ଅଧିକ ପରିବାରଙ୍କୁ ନୋଟିସ୍‌ ଦିଆଯାଇଛି। ସୂଚନା ଅନୁସାରେ, ହାଡୁଆ ଜଳସେଚନ ପ୍ରକଳ୍ପ ମହାନଦୀର ଉପନଦୀ ‘ହାଡୁଆ’ ଉପରେ କରାଯିବ, ଯାହାକି କଟକ ଜିଲ୍ଲାର ବଡମ୍ବା ବ୍ଲକ୍‌ ଅନ୍ତର୍ଗତ ଖାରୋଡ ଗ୍ରାମ ଦେଇ ପ୍ରବାହିତ ହେଉଛି। ଏହାଦ୍ବାରା ଆଠଗଡ଼ ଉପଖଣ୍ଡର ନିନୋଟି ବ୍ଲକ୍‌ ବଡମ୍ବା, ନରସିଂହପୁର ଓ ତିଗିରିଆର ୩୬୪୧ ହେକ୍ଟର ଚାଷ ଜମି ଜଳସେଚିତ ହୋଇପା‌ରିବ। ଏହି ଡ୍ୟାମ୍‌ ‌ବଡମ୍ବା ବ୍ଲକ୍‌ର ଖରୋଡ ନିକଟରେ ତିଆରି ହେବ ଓ ରିଜର୍ଭର ରହିବ ନରସିଂହପୁର ବ୍ଲକ୍‌ ଅଧୀନରେ। ଅର୍ଥାତ୍‌, ଉଭୟ ବ୍ଲକ୍‌ର ସଂଲଗ୍ନ ଅଞ୍ଚଳରେ ଏହି ପ୍ରକଳ୍ପ ତିଆରି ହେବ। ଏହାର କ୍ୟାଚ୍‌ମେଣ୍ଟ ଅଞ୍ଚଳ ୧୭୦ ବର୍ଗ କିଲୋମିଟର ଓ ୩୮୭ମିଟର ଏହି କଂକ୍ରିଟ୍‌ ଡ୍ୟା‌ମ୍‌ ତିଆରି ହେବ। ଡ୍ୟାମ୍‌ର ଉଚ୍ଚତା ୧୪୦ ଫୁଟ୍‌ ରହିବ। ଏହାଦ୍ବାରା ଖରିଫ୍‌ରେ ୩୬୪୧ ହେକ୍ଟର ଓ ରବିରେ ୨୯୫୭ ହେକ୍ଟର ଚାଷଜମିକୁ ଜଳସେଚିତ କରାଯିବ ବୋଲି ଜଣାପଡିଛି। କେବଳ ସେତିକି ନୁହେଁ, ଏହି ପ୍ରକଳ୍ପ ଦ୍ବାରା ଭବିଷ୍ୟତରେ ବଡ଼ମ୍ବା ଓ ନରସିଂହପୁର ବ୍ଲକ୍‌ର ୨୯୩ଟି ଗ୍ରାମବାସୀ ପ୍ରକଳ୍ପ ତଳଭାଗ(ଡାଉନ୍‌ ଷ୍ଟ୍ରିମ୍‌)ରୁ ପାନୀୟଜଳ ମଧ୍ୟ ପାଇବେ ବୋଲି ପ୍ରକଳ୍ପ ବିବରଣୀରୁ ଜଣାପଡିଛି।

ପ୍ରକଳ୍ପଟି ୨୦୦୧ ମସିହାରୁ ଅନୁମୋଦନ ଲାଭ କରିଥିବା ବେଳେ ୨୦୦୪ରେ ଏହାର ଆର୍‌ ଏଣ୍ଡ ଆର୍‌ ମଂଜୁରୀ ପାଇଥିଲା। ଏହାର ପରିବେଶ, ଜଙ୍ଗଲ ବିଭାଗ ତଥା ବିଭିନ୍ନ ମଂଜୁରୀ ପାଇଁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହୋଇଥିଲା। ଏହି ପ୍ରକଳ୍ପ ଏହାର ଡ୍ୟାମ୍‌ ‌ବଡମ୍ବା ବ୍ଲକ୍‌ର ଖରୋଡ ନିକଟରେ ତିଆରି ହେବ ଓ ରିଜର୍ଭର ନରସିଂହପୁର ବ୍ଲକ୍‌ରେ ରହିବ। ଏହି ପ୍ରକଳ୍ପର ଡ୍ୟାମ୍‌ର ବେସ୍‌ ତିଆରି ପାଇଁ ଓସିସି ସହିତ ଅଗଷ୍ଟ ୨୧ରେ ଏମ୍‌ଓୟୁ ହୋଇଛି। ଚୁକ୍ତି ଅନୁସାରେ ଏହାର ନିର୍ମାଣ କାର୍ଯ୍ୟ ବା ଡ୍ୟାମ୍‌ର ବେସ୍‌ ତିଆରି କରିଦେବା ପରେ ହାଡୁଆ ଜଳସେଚନ ବିଭାଗ ଏହାର ପରବର୍ତ୍ତୀ ନିର୍ମାଣ କାର୍ଯ୍ୟ କରିବ। ୨୦୨୪ ସୁଦ୍ଧା ଏହାର ନିର୍ମାଣ ସାରିବା ପାଇଁ ଯୋଜନା ରଖାଯାଇଛି। ଏହି ପ୍ରକଳ୍ପ ଦ୍ବାରା ନରସିଂହପୁର ବ୍ଲକ୍‌ର ତିନୋଟି ଗାଁ ଜଳମଗ୍ନ ହେବ ବା ବୁଡିବ। ଓଲବ, ଶିମିଳିଗୋଳର ଜମି ଓ ଗୁପ୍ତମାଣିକ ଗ୍ରାମର ଗ୍ରାମବାସୀଙ୍କ ଘର ବୁଡ଼ିବ। ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହେବାକୁ ଥିବା ତିପୋଟି ଗ୍ରାମର ଗ୍ରାମବାସୀଙ୍କୁ ବିସ୍ଥାପିନ ସଂପର୍କିତ ‘ଫୋର‌୍ ୱାନ୍‌ ନୋଟିଫିକେସନ୍’ ଦିଆସରିଥିବା ହାଡୁଆ ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ସୂଚନା ଦେଇଛନ୍ତି। ସରକାରଙ୍କ ଆର୍‌ଏଣ୍ଡ୍‌ଆର୍‌ ପଲିସି ବା ପୁନର୍ବାସ ଓ ଥଇଥାନ ନୀତି ଅନୁସାରେ ଗ୍ରାମବାସୀଙ୍କୁ ଥଇଥାନ କରାଯିବ। ଏଥିପାଇଁ କଂସେଇଲୋ ଗ୍ରାମରେ ଜମି ଓ ସ୍ଥାନ ଚିହ୍ନଟ କରାଯାଇଛି। ଏଥିପାଇଁ ଆଗାମୀ ଦିନରେ ହେବାକୁ ଥିବା ଜନଶୁଣାଣିରେ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମତାମତ ଅନୁସାରେ ସେମାନଙ୍କୁ ପ୍ୟାକେଜ୍‌ ସୁବିଧା ମିଳିବ। ଏଥିରେ ୧୫ରୁ ଅଧିକ ପରିବାର କ୍ଷତିଗ୍ରସ୍ତ ହେବେ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି। ତେବେ ଏହି ପ୍ରକଳ୍ପ ପାଇଁ ଓସିସି ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଥିବା ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ ବିପିନ ବିହାରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର