ଖୋର୍ଦ୍ଧା: ଚାଲୁଥିଲା ୫, ଏବେ ଚାଲୁଛି ୩ ପାସେଞ୍ଜର ଟ୍ରେନ

ଖୋର୍ଦ୍ଧା: କରୋନା କଟକଣା ହଟିଛି। କିନ୍ତୁ ଦୈନିକ ଲୋକଙ୍କ ‘ଜୀବନରେଖା’ ପାଲଟିଥିବା ଟ୍ରେନ୍ ଚଳାଚଳ ଏଯାଏଁ ସ୍ୱାଭାବିକ ହୋଇନାହିଁ। ଖୋର୍ଦ୍ଧା ରୋଡ (ଜଟଣୀ)ରୁ କେନ୍ଦୁଝର, ନୟାଗଡ଼, ଖଡ଼ଗପୁର, ପୁରୀ ଆଦିକୁ ପୂର୍ବେ ଯାଉଥିବା ୫ଟି ଟ୍ରେନ୍ ମଧ୍ୟରୁ ବର୍ତ୍ତମାନ କେବଳ ୩ଟି ପ୍ୟାସେଞ୍ଜର ଟ୍ରେନ୍‌ ହିଁ ଚଳାଚଳ କରୁଛି। ଖୋର୍ଦ୍ଧା ରୋଡ୍ ରାଜ୍ୟର ଅନ୍ୟତମ ବ୍ୟସ୍ତବହୁଳ ଓ ପୁରାତନ ରେଳଷ୍ଟେସନ। ୨୦୨୦ ମାର୍ଚ୍ଚ ମାସରେ କରୋନା ସଂକ୍ରମଣର ପ୍ରଥମ ଲହରରେ କଟକଣା ଘୋଷଣାରେ ଏହି ଷ୍ଟେସନ୍‌ରେ ବିଭିନ୍ନ ସ୍ଥାନକୁ ଚାଲୁଥିବା ୫ଟି ଟ୍ରେନ୍‌ର ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହାମଧ୍ୟରୁ ନୂତନ ଭାବେ ଖୋର୍ଦ୍ଧା ରୋଡ୍ ଠାରୁ ବଲାଙ୍ଗୀର ନୂତନ ରେଳପଥର ନୟାଗଡ଼ ପର୍ଯ୍ୟନ୍ତ କାମ ଶେଷ ହୋଇଥିବା ବେଳେ ୨୦୧୯ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧୁମଧାମରେ ଏହି ରାସ୍ତାରେ ନୟାଗଡ଼ ପର୍ଯ୍ୟନ୍ତ ୨ଟି ଟ୍ରେନ୍‌ର ଚଳାଚଳ ଶୁଭାରମ୍ଭ କରିଥିଲେ। ଏହାକୁ ନେଇ ଦୁଇଟି ଜିଲ୍ଲାର ଲୋକଙ୍କ ଅନେକ ଆଶା ଓ ଆକାଂକ୍ଷା ଥିଲା। କିନ୍ତୁ ଆରମ୍ଭ ହେବାର ମାତ୍ର କିଛି ମାସ ମଧ୍ୟରେ ଉଭୟ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା।

ଖୋର୍ଦ୍ଧା ରୋଡ୍ ଡିଆଇଏମ୍‌ଡ଼ି କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ପୂର୍ବେ ଖୋର୍ଦ୍ଧା ରୋଡ୍‌ ଖଡ଼ଗପୁର ପ୍ୟାସେଞ୍ଜର ଟ୍ରେନ୍‌ରେ ଗୋଟିଏ ଯୋଡ଼ା ଚଳାଚଳ କରୁଥିଲା। ଏହା ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି। ଏହି ଟ୍ରେନ୍‌ଟି ଖୋର୍ଦ୍ଧା ରୋଡ୍ ନିକଟରେ ଥିବା ବିଭିନ୍ନ ଇଂଜିନିୟରିଂ କଲେଜର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଗମନାଗମନର ଏକ ପ୍ରମୁଖ ମାଧ୍ୟମ ଥିଲା। ବର୍ତ୍ତମାନ କଲେଜ ଗୁଡ଼ିକ ଖୋଲିବା ପରେ ଏହି ଟ୍ରେନ୍ ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖୋର୍ଦ୍ଧା ରୋଡ୍‌ରୁ ପୁରୀ ଚଳାଚଳ କରୁଥିବା ୨ ଯୋଡ଼ା ଟ୍ରେନ୍ ମଧ୍ୟରୁ ବର୍ତ୍ତମାନ ଗୋଟିଏ ଯୋଡ଼ା ଟ୍ରେନ୍ ଚଳାଚଳ କରୁଛି। ସେହିଭଳି ଖୋର୍ଦ୍ଧା ରୋଡ୍‌ରୁ ନୟାଗଡ଼ ଓ ଭୁବନେଶ୍ୱରରୁ ଭାୟା ଖୋର୍ଦ୍ଧା ରୋଡ୍ ଦେଇ ନୟାଗଡ଼ ଯାଉଥିବା ଦୁଇଟି ଟ୍ରେନ୍ ମଧ୍ୟରୁ ବର୍ତ୍ତମାନ ଭୁବନେଶ୍ୱର- ନୟାଗଡ଼ ସେବା ଏକ୍ସପ୍ରେସ ହିଁ ଗୋଟିଏ ବେଳା ଚଳପ୍ରଚଳ କରୁଛି।

୨୦୧୯ ସେପ୍ଟମ୍ବର ମାସରେ ଏହା ଖୋର୍ଦ୍ଧା ରୋଡ୍ ଠାରୁ ଭାୟା ବେଗୁନିଆ ଦେଇ ନୟାଗଡ଼ ସଂପ୍ରସାରଣ ହେବା ପରେ ନୟାଗଡ଼ ଓ ଖୋର୍ଦ୍ଧା ମଧ୍ୟରେ ସଡ଼କ ପଥରେ ଆସିବା ଦୂରତ୍ୱ ହ୍ରାସ ପାଇଥିଲା। ନୟାଗଡ଼, ବେଗୁନିଆ, ବୋଲଗଡ଼ରୁ ଖୋର୍ଦ୍ଧାକୁ ସରକାରୀ ଓ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ କାର୍ଯ୍ୟରେ ଆସୁଥିବା ଲୋକଙ୍କ ଏକ ଭରସାଯୋଗ୍ୟ ମାଧ୍ୟମ ଥିଲା। ବର୍ତ୍ତମାନ ଏହା ମଧ୍ୟରୁ ଗୋଟିଏ ଯୋଡ଼ା ଟ୍ରେନ୍ ସକାଳୁ ନୟାଗଡ଼ରୁ ଛାଡ଼ି ପୂର୍ବାହ୍ନରେ ଖୋର୍ଦ୍ଧା ରୋଡ୍ ପହଂଚୁଛି, ତେବେ ପୂର୍ବେ ଚାଲୁଥିବା ଅପରାହ୍ନ ଟ୍ରେନ୍‌ଟି ବାତିଲ ହୋଇଯାଇଥିବାରୁ ଖୋର୍ଦ୍ଧାକୁ ଆସି ଫେରିବାକୁ ଚାହୁଁଥିବା ଲୋକଙ୍କୁ ବସ୍‌କୁ ଅପେକ୍ଷା କରିବାକୁ ପଡ଼ୁଛି। ତେବେ ପୂର୍ବେ ଭୁବନେଶ୍ୱରରୁ କେନ୍ଦୁଝରଗଡ଼ ଯାଉଥିବା ପ୍ୟାସେଞ୍ଜର ଟ୍ରେନ୍‌କୁ କରୋନା କଟକଣା ହଟିବା ପରେ ଆଜି ଠାରୁ ଖୋର୍ଦ୍ଧା ରୋଡ୍ ଯାଏଁ ସଂପ୍ରସାରଣ କରାଯାଇଥିବା ଡିଆଇଏମ୍‌ଡ଼ି କାର୍ଯ୍ୟାଳୟରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର