କରୋନା କାହାଣୀ: ବୁଡ଼ିଗଲା ବେଉସା, ହତାଶ ନୃସିଂହ

ମାର୍ଶାଘାଇ: ନୃସିଂହ ପରିଡା। ବୟସ ୬୦ ଛୁଇଁଲାଣି। ଘର ମାର୍ଶାଘାଇ ବ୍ଲକ ରାଘବପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ। ପରିବାର କହିଲେ ପତ୍ନୀଙ୍କ ସମେତ ଦୁଇଝିଅ ଓ ଗୋଟିଏ ପୁଅ। ବଡଝି କୁ ବାହା ଦେବା ପରେ ପରିବାରରେ ତାଙ୍କୁ ନେଇ ୪ଜଣ। ଯୁବାବସ୍ଥାରୁ ମିଠା ଦୋକାନ କରି ପରିବାର ଭରଣପୋଷଣ କରିଆସୁଥିଲେ। ଜଗତସିଂହପୁର ଜିଲ୍ଲାର ତାରତୋଲ ଛକରେ ଦୋକାନଟିଏ କରି ସେ ଗ୍ରାହକମାନଙ୍କ ପ୍ରିୟଭାଜନ ହୋଇଥିଲେ। ଏଥିରେ ବେଶ ଦି ‘ପଇସା କମାଇ ବଡ଼ଝିଅକୁ ବାହାଦେବା ସହ ପରିବାର ମୁହଁରେ ଆହାର ଯୋଗାଉଥିଲେ। ତେବେ ମହାମାରୀ କରୋନ଼ା ତାଲାବନ୍ଦରେ ତାଙ୍କର ରୋଜଗାରର ଏକମାତ୍ର ପନ୍ଥା ମିଠାଦୋକାନରେ ତାଲା ପଡିଲା। କେତେବେଳେ ଖୋଲା ତ ପୁଣି କେତେବେଳେ ବନ୍ଦ ରଖିବାକୁ ପଡିଲା। ସେ ତାରତୋଲ ଛାଡି ଘରକୁ ପଳାଇ ଆସିଲେ। ଦୋକାନ ମଧ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଗଲା। ହେଲେ ଘରକୁ ଆସି କରନ୍ତେ ବା’ କ’ଣ। ଜମିଜମା ନାହିଁ କହିଲେ ଚଳେ। ଅନ୍ୟପକ୍ଷରେ ଚାଷ କାମ କରିବାକୁ ଦେହରେ ବି ବଳ ନାହିଁ। ଖାଲି ଏତିକିରେ ଦୁଃଖ ସରିଲା ନାହିଁ।

ପୁଅ ରଂଜନ(୨୫) ବାହାରକୁ ଯାଇ ଦି’ପଇସା କମଉଥିଲା ବେଳେ କରୋନା ଯୋଗୁ କମ୍ପାନି ବନ୍ଦ ହୋଇଗଲା। ସେ ବି ଘରକୁ ପଳାଇ ଆସିଲା। ଏବେ ୪ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଆହାର ଦେବା ଓ ପିଲାମାନଙ୍କ ଭବିଷ୍ୟତ ଚିନ୍ତାରେ ସେ ଏବେ ଭାଙ୍ଗି ପଡ଼ିଛନ୍ତି। ନା’ ଅଧିକ ଜମିବାଡି ଅଛି ନା’ ରୋଜଗାରର ଅନ୍ୟ କୌଣସି ବାଟ। ଏମିତି ଭାବି ହେଉଥିବା ବେଳେ ଗ୍ରାମରେ କିଛି ଲୋକଙ୍କ ସହଯୋଗରେ ସେ ଗାଁ ମୁଣ୍ତ ଛକରେ ଏକ ଛୋଟ ମିଠା ଦୋକାନ ଦେଇଛନ୍ତି। ତାହା ବି କରୋନା କଟକଣା ପାଇଁ କେତେବେଳେ ବନ୍ଦ ତ ପୁଣି କେତେବେଳେ ଖୋଲା ରହୁଛି। କମ୍ପାନି ଚାକିରି ଛାଡ଼ି ଘରକୁ ଫେରିଥିବା ପୁଅ ତାଙ୍କୁ କେତେବେଳେ କେମିତି ଦୋକାନରେ ସାହାଯ୍ୟ କରୁଛି। କେତେବେଳେ କରୋନା ମହାମାରୀ ହଟିବ ଆଉ ଆଗପରି ତାଙ୍କର ବେପାର ବଢିବ ସେକଥା ମନେମନେ ଗୁଣି ହେଉଛନ୍ତି।

ସମ୍ବନ୍ଧିତ ଖବର