କୁଖ୍ୟାତ ସୂର୍ଯ୍ୟ ହାତଖଣ୍ଡି ବିରୋଧରେ ଜାତୀୟ ନିରାପତ୍ତା ଆଇନ୍‌ ଲାଗୁ

ଖୋର୍ଦ୍ଧା: ନୟାଗଡ଼ ଓ  ଖୋର୍ଦ୍ଧା ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ଅପରାଧୀ ସୂର୍ଯ୍ୟ ହାତଖଣ୍ଡି ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନ୍ଏସ୍ଏ) ଦର୍ଜ କରାଯାଇଛି । ଏନେଇ ଆଜି ଖୋର୍ଦ୍ଧା ଗ୍ରାମାଂଚଳ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା କହିଛନ୍ତି ଯେ ସୂର୍ଯ୍ୟ ହାତଖଣ୍ଡି ବିରୋଧରେ ଖୋର୍ଦ୍ଧା ଗ୍ରାମାଂଚଳ ଜିଲ୍ଲାର ବିଭିନ୍ନ ଥାନାରେ ୧୧ରୁ ଉର୍ଦ୍ଧ୍ବ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଛି ।

ଚଳିତ ବର୍ଷ ଜୁଲାଇ ୧୧ ତାରିଖରେ ଜଙ୍କିଆ ଥାନା ଅଧୀନ ନରଣଗଡ଼ ନିକଟରୁ ଜଣେ ରିଏଲ୍ ଇଷ୍ଟେଟ୍ କମ୍ପାନୀର ପରିଚାଳକ ସତ୍ୟନାରାୟଣ ବେହେରାଙ୍କୁ ଅପହରଣ, ମୁଣ୍ଡଜାମିନ ରଖିବା, ମରଣାନ୍ତକ ଆକ୍ରମଣ କରିବା ଆଦି ଘଟଣାରେ ସେହିମାସ ୨୪ ତାରିଖରେ ଗିରଫ ହୋଇଥିଲା । ହାତଖଣ୍ଡି ସହ ଅନ୍ୟ ୫ ସହଯୋଗୀ ମଧ୍ୟ ଗିରଫ ହୋଇଥିଲେ । ବର୍ତମାନ ସେମାନେ ଜେଲ୍ରେ ଅଛନ୍ତି । ତେବେ ସୂର୍ଯ୍ୟ ହାତଖଣ୍ଡିର ଅପରାଧିକ ପୃଷ୍ଠଭୂମୀ ଓ ଜେଲ୍ରୁ ପାରୋଲ୍, କିମ୍ବା ଜାମିନରେ ବାହରିବା କ୍ଷଣି ପୁଣି ଅପରାଧ ଘଟାଇବାର ଅନେକ ସମ୍ଭାବନା ରହିଛି । ଅତୀତରେ ମଧ୍ୟ ଏଭଳି ଏକାଧିକ ଥର ବିଭିନ୍ନ ମାମଲାରେ ଜେଲ୍କୁ ଯାଇ ଫେରିବା ପରେ ଏଭଳି ଅପରାଧ ଘଟାଇଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ସେ ହାତଖଣ୍ଡି ବିରୋଧରେ ଏନ୍ଏସ୍ଏ ଦର୍ଜ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଗତକାଲି ଜିଲ୍ଲାପାଳ ଏହି ଅନୁରୋଧକୁ ଅନୁମୋଦନ କରିଛନ୍ତି ।

ସୂଚନାଯୋଗ୍ୟ, ସୂର୍ଯ୍ୟ ହାତଖଣ୍ଡି ୧୭-୧୮ ବର୍ଷ ବୟସରୁ ଅପରାଧିକ ଜଗତରେ ପାଦ ଥାପିଥିଲା । ପ୍ରଥମେ ପ୍ରଥମେ ବେଆଇନ ଖଣିରେ ଭଡ଼ାଟିଆ ଗୁଣ୍ଡା ଭାବେ କାମ କରୁଥିଲା । ସେ ଅଳ୍ପ ବୟସରୁ ହିଁ ବୋମା ଭିଡ଼ିବା କଳାରେ କୁଶଳତା ହାସଲ କରିଥିଲା । ୩-୪ବର୍ଷ ପୂର୍ବେ ବୋମା ଭିଡ଼ିବା ବେଳେ ତା’ର ବାମ ହାତର ପାପୁଲି ଉଡ଼ିଯାଇଥିଲା । ଏହାପର ଠାରୁ ତାକୁ ଅପରାଧିକ ଜଗତରେ ସୂର୍ଯ୍ୟ ହାତଖଣ୍ଡି ନାମରେ ପରିଚିତ ହୋଇଯାଇଥିଲା । ତେବେ ସୂର୍ଯ୍ୟ ହାତଖଣ୍ଡି ଜଙ୍କିଆ ଓ ସଦର ଥାନାରେ ସର୍ବାଧିକ ସକ୍ରିୟ ଥିଲା । ସେ ଏହି ଅଂଚଳରେ ଥିବା ବେଆଇନ ଖଣିଗୁଡ଼ିକରୁ ବଟି ଆଦାୟ କରିବା ସହ ବେଆଇନ ଚାଲାଣ ହେଉଥିବା ଟ୍ରକ୍ ଆଦିକୁ ସୁରକ୍ଷା ଦେବା ପାଇଁ ଦାୟିତ୍ୱ ନେଇଥିଲା । ସଦର ଥାନାରେ ୨୦୧୫ରେ ୨ଟି, ୨୦୧୬ରେ ୪ଟି, ୨୦୧୭ରେ ୩ଟି ଓ ୨୦୧୮ରେ ୩ଟି ୨୦୨୦ରେ ୩ଟି ଓ ଜଙ୍କିଆ ଥାନାରେ ୨ଟି ମାମଲା ରହିଛି । ଏଥିରେ ହତ୍ୟା ଉଦ୍ୟମ, ଦାଦା ବଟି, ବେଆଇନ ବନ୍ଧୁକ ରଖିବା, ବୋମା ମାଡ଼ କରିବା ଆଦି ମାମଲା ରହିଛି ।

ସମ୍ବନ୍ଧିତ ଖବର