ଆଠଗଡ଼: ୧୯୭୩ ମସିହାରେ ଆଠଗଡ଼ ଏନ୍‌ଏସି ଗଠନ ହୋଇଥିଲା। ୨୦୧୧ ଜନଗଣନା ଅନୁସାରରେ ଏହି ଏନ୍‌ଏସି ଅଞ୍ଚଳରେ ୮ହଜାର ୯୨୨ ଜଣ ପୁରୁଷ ଓ ୮ ହଜାର ୩୬୫ ଜଣ ମହିଳାଙ୍କୁ ମିଶାଇ ମୋଟ ୧୭ହଜାର ୨୮୭ ଲୋକ ବସବାସ କରୁଥିବା ବେଳେ ବର୍ତ୍ତମାନ ଉକ୍ତ ସଂଖ୍ୟା ବୃଦ୍ଧି ପାଇ ୨୦ ହଜାରରୁ ଅଧିକ ହେଲାଣି। ବର୍ତ୍ତମାନ ଏନ୍‌ଏସି ଅଞ୍ଚଳରେ ପରିବେଶ, ପରିମଳ, ଆଲୋକ, ଡ୍ରେନେଜ୍‌ ଓ ପାନୀୟ ଜଳ ପ୍ରମୁଖ ସମସ୍ୟା ରୂପେ ଦେଖାଦେଇଛି। ଗତ କିଛିବର୍ଷ ଭିତରେ ପରିବେଶ, ପରିମଳ ଓ ଆଲୋକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଏଗୁଡ଼ିକର ଘରୋଇକରଣ କରାଯିବା ସହ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇଛି। ହେଲେ ଘରୋଇକରଣର ପୂର୍ବ ଅବସ୍ଥାଠାରୁ ବର୍ତ୍ତମାନର ଅବସ୍ଥା ଅଧିକ ବିଗିଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏନ୍‌ଏସିରେ ପରିବେଶ ପରିମଳ ବ୍ୟବସ୍ଥାକୁ ଘରୋଇକରଣ ପରେ ସଫେଇ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଛି, ପରିମଳ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ୭ଜଣ ସ୍ବଚ୍ଛସାଥୀ ଓ ୨ଜଣ ସୁପରଭାଇଜର୍‌ ନିଯୁକ୍ତି ହେବା ସହ ଶୁଖିଲା ଓ ଓଦା ଅଳିଆ ଆର୍ବଜନା ନେବା ପାଇଁ ଟେଣ୍ଡର ମାଧ୍ୟମରେ ୧୪ଲକ୍ଷ ଟଙ୍କା ବ୍ୟୟରେ ୭ଟି ବ୍ୟାଟେରିଚାଳିତ ଗାଡ଼ି କିଣାଯାଇଛି। ତା’ ସତ୍ତ୍ୱେ ଆଠଗଡ଼ ସହର ମଧ୍ୟରେ ପରିବେଶ, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ମଧ୍ୟରେ ୧୩୯୦ଟି ବିଦ୍ୟୁତ ଖୁଣ୍ଟ ଥିବାବେଳେ ଏନ୍‌ଏସି ତଥ୍ୟ ଅନୁସାରେ ୧୦୬୦ ଖୁଣ୍ଟରେ ଆଲୋକ ଲାଗିଛି ଓ ୧୫୦ଟି ଖୁଣ୍ଟ ଖରାପ ଅଛି ତଥା ୧୫୦ଟି ନୂତନ ଖୁଣ୍ଟରେ ବିଦ୍ୟୁତ ସଂଯୋଗୀକରଣ ହୋଇ ନାହିଁ।

Advertisment

ତେବେ, ବାସ୍ତବରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ସେହିପରି ଆଠଗଡ଼ରେ ପାନୀୟଜଳ ପାଇଁ ମୁଖ୍ୟମନ୍ତ୍ରୀ ୨୦୧୪ ମସିହା ଜୁନ୍‌ ୧୬ ତାରିଖରେ ଜଳବିଶୋଧନାଗାର ପ୍ରକଳ୍ପର ଲୋକାର୍ପଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆଠଗଡରେ ପାନୀୟଜଳ ଠିକ୍‌ରେ ମିଳି ପାରି ନାହିଁ। ଖରାଦିନେ ପାନୀୟଜଳ ଏଠାକାର ମୁଖ୍ୟ ସମସ୍ୟା ରୂପେ ଦେଖାଦେଉଛି। ଜଳବିଶୋଧନାଗାରରେ ମହାନଦୀରୁ ପାଇପ୍‌ଲାଇନ ଯୋଗେ ପାଣି ଆସି ବିଶୋଧିତ ହୋଇ ଏନ୍‌ଏସି କାର୍ଯ୍ୟାଳୟ, ବୀରକିଶୋରପୁର, କନ୍ତୋଲ, ଷ୍ଟାଡିୟମଠାରେ ଥିବା ଜଳସଂରକ୍ଷଣ କେନ୍ଦ୍ରକୁ ଯୋଗାଇ ଦିଆଯିବା ସହ ସେଠାରୁ ପାଇପ୍‌ଲାଇନ୍‌ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଏ। ଆଠଗଡ଼ରେ ଦୈନିକ ୩୦ଲକ୍ଷ ଲିଟର ପାନୀୟଜଳ ଆବଶ୍ୟକତା ଥିବା ବେଳେ ଜଳବିଶୋଧନାଗାରର କ୍ଷମତା ମାତ୍ର ୧୫ ଲକ୍ଷ ଲିଟର। ଅବଶିଷ୍ଟ ପାନୀୟଜଳ ଗଭୀର ନଳକୂପ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ ମଧ୍ୟ ଖରାଦିନରେ ଜଳସ୍ତର କମିଯିବା ପରେ ଗଭୀର ନଳକୂପରେ ପାନୀୟଜଳ ସଠିକ ପରିମାଣରେ ନ ଆସିବା ଫଳରେ ପାନୀୟଜଳ ପାଇଁ ସହରବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗନ୍ତି।

ସେହିପରି ଆଠଗଡ଼ ଉପଖଣ୍ଡରୁ କଟକ, ଭୁବନେଶ୍ୱର ଯିବା ପାଇଁ ସିଧାସଳଖ କୌଣସି ବସ୍‌ ନାହିଁ। କଟକ ଓ ଭୁବନେଶ୍ୱରରୁ ନରସିଂହପୁର, ବଡ଼ମ୍ଵା ଭାୟା ଆଠଗଡ଼ ଦେଇ ବସ୍‌ ଯିବାଆସିବା କରେ। ଫଳରେ ଆଠଗଡ଼ରୁ ଯାଉଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସିଟିବସ୍‌ ଯୋଜନାରେ ଆଠଗଡ଼ରୁ କଟକ ବସ୍‌ ଚଳାଚଳ ଅନ୍ୟ ଅଞ୍ଚଳରେ ହୋଇଥିଲା ବେଳେ ଆଠଗଡ଼ବାସୀଙ୍କୁ ଏଥିରୁ ବଞ୍ଚିତ କରାଯାଇଥିଲା। ଆଠଗଡ଼ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଥିବା ବେଳେ ଆଠଗଡ଼ର କୌଣସି ବଜାରରେ ପାର୍କିଂ ବ୍ୟବସ୍ଥା ନାହିଁ। ଦିନବେଳା ପୁରୁଣା ବସଷ୍ଟାଣ୍ଡ୍‌, ସନ୍ଧ୍ୟାରେ ଦୁର୍ଗାବଜାରରେ ପରିବା ମାର୍କେଟ ହୋଇଥାଏ। ବଜାରରେ ପାର୍କିଂ ବ୍ୟବସ୍ଥା ନଥିବା ଯୋଗୁଁ ରାସ୍ତାର ଉଭୟପାର୍ଶ୍ଵରେ ଗାଡ଼ି ମଟର ରଖ ପରିବା ତଥା ଅନ୍ୟାନ୍ୟ ଦୋକାନକୁ ଗଲାବେଳେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼େ। ସେହିପରି ଆଠଗଡ଼ରେ ବୁଲା କୁକୁର, ଗାଈଗୋରୁଙ୍କ ପ୍ରାଦୁର୍ଭାବ ଯୋଗୁଁ ମଧ୍ୟ ଟ୍ରାଫିକ ବ୍ୟବସ୍ଥା ଗୁରୁତର ହେବା ସହ ଛୋଟବଡ଼ ଦୁର୍ଘଟଣାମାନ ଘଟିଥାଏ।