ଜୟପୁର: ସ୍ଥାନୀୟ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗ ତରଫରୁ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ସ୍ବର୍ଗତ ଅବୁଲ୍ କାଲାମ ଆଜାଦ୍‌ଙ୍କ ଜୟନ୍ତୀ ଅବସରରେ ଜାତୀୟ ଶିକ୍ଷା ଦିବସ ପାଳନ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ବିଭାଗୀୟ ମୁଖ୍ୟ ଡ଼. ମନୋରଞ୍ଜନ ପ୍ରଧାନଙ୍କ ତତ୍ତ୍ବାବଧାନରେ ଦିନବ୍ୟାପୀ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସକାଳୁ ଗୁରୁ ଛାତ୍ରଛାତ୍ରୀମାନଙ୍କ ସହଭାଗିତାରେ ବିଶ୍ବବିଦ୍ୟାଳୟ ପରିସରରେ ସ୍ବଛତା ଅଭିଯାନ ଆରମ୍ଭ କରାଯାଇଥିଲା। ଏହାକୁ ବିଶ୍ବବିଦ୍ୟାଳୟର କୁଳସଚିବ ଡ଼. ଗୋପାଳ ହାଲଦାର ଉଦଘାଟନ କରିଥିଲେ।

Advertisment

ସଫେଇ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡ଼, ପ୍ରଧାନ, ଅଧ୍ୟାପକ ଡ଼ ନରେନ୍ଦ୍ର ମହାରଣା, ଅଧ୍ୟାପିକା କସ୍ତୁରୀ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ସହଭାଗିତାରେ ଗୁରୁ ଛାତ୍ର ଛାତ୍ରୀମାନେ ବିଶ୍ବବିଦ୍ୟାଳୟ ପରିସର ସଫେଇ କାର୍ଯ୍ୟ କରିବା ସହ ଏକ ସଚେତନତା ଶୋଭାଯାତ୍ରା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରସଙ୍ଗ ଉପରେ ଏକ ଆଲୋଚନା ଚକ୍ର ବିଭାଗ ପରିସରରେ ଆୟୋଜିତ ହୋଇଥିଲା। ସହକାରୀ ପ୍ରଫେସର ଡ଼. ପ୍ରଧାନ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଏଥିସହ ଅଧ୍ୟାପକ ଡ଼ . ମହାରଣା, ଚାରି ଜଣ ଗୁରୁ ଛାତ୍ରଛାତ୍ରୀ ଯଥା ଦେବରଞ୍ଜନ ରାୟ,ମାନସ ତ୍ରୀପାଠୀ, ବିଶ୍ବନାଥ ବଡନାୟକ, ଦାମୋଦର ଶବର ନିଜ ନିଜ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଆଲୋଚନା ଚକ୍ରକୁ ପିଜି କାଉନସିଲ ଅଧ୍ୟକ୍ଷ ଡ଼. କିଚକ ଚନ୍ଦ୍ର ଜେନା ଉଦଘାଟନ କରି  ଏଭଳି କାର୍ଯ୍ୟକ୍ରମ ପାଇଁ ଗୁରୁଛାତ୍ରଛାତ୍ରୀ ଓ ପ୍ରଶିକ୍ଷକଙ୍କୁ ପ୍ରତ୍ସାହିତ କରିଥିଲେ।  ଅଧ୍ୟାପକ ଶିବ ପରିଡା ସଂଯୋଜନା କରିଥିଲେ। ଶେଷରେ ଅଧ୍ୟାପିକା କସ୍ତୁରୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଙ୍ଗୀତ, କବିତା ଆବୃତ୍ତି ଓ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚୈତନ୍ୟ ମହାନନ୍ଦ ଶେଷରେ ଧନ୍ୟବାଦ ଦେ‌ଇଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ,ଅଧ୍ୟାପିକାମାନଙ୍କ ସହ ଗୁରୁ ଛାତ୍ର ଛାତ୍ରୀ ଓ କର୍ମଚାରୀ ସୁଜାତା ବେଜ ଓ ରବିନ୍ଦ୍ର ତ୍ରିପାଠୀ ସହଯୋଗ କରିଥିଲେ।