ସୁନ୍ଦରଗଡ଼/ହେମଗିର: ଏନଟିପିସି ଡୁଲିଙ୍ଗା କୋଇଲା ଖଣି ପାଇଁ ଡୁଲିଙ୍ଗାର ପ୍ରାୟ ସମସ୍ତ ବିସ୍ଥାପିତ ଗାଁ ଛାଡ଼ିଦେଲେଣି। ପିତୃ୍ପୁରୁଷ ବନାଇଥିବା ଘର, ବାରି, କୂଅ, ଚଉଁରା ସହ ଗାଁର ପ୍ରିୟ ଦେବତାଙ୍କ ମନ୍ଦିର, ମଣ୍ଡପ ସବୁ ମାଟିରେ ମିଶିଗଲାଣି। ଏକଦା ଗହଳଚହଳ ଥିବା ଗାଁ ଭୂଇଁ ଏବେ ମଶାଣି। କିନ୍ତୁ ସେହି ମଶାଣି ମାଫିକ ଭୂଇଁରେ ଏବେ ମଧ୍ୟ ଛିଡ଼ା ହୋଇଛି ନୁଆଁଣିଆ ଘରଟେ। ସେଇଠି ରହୁଛନ୍ତି ଜଣେ ଭୂମିହିନ ଲଳିତ କୁମାର ଖଡ଼ିଆ ଓ ତାଙ୍କ ପରିବାର। ପରିବାର କହିଲେ ସ୍ତ୍ରୀ ଲକ୍ଷ୍ମୀ ଓ ଦୁଇ ପିଲା ସହ ବାପା ଗୌର ଖଡ଼ିଆ। ମାଡ଼ି ଆସୁଥିବା ଖଣି ଓ ବୁଲଡୋଜରର ଗର୍ଜନ ସତ୍ତ୍ବେ ସେମାନେ ଘର ଛାଡ଼ି ଯାଉ ନାହାନ୍ତି, ଉଠାଇଛନ୍ତି ପ୍ରତିବାଦର ସ୍ବର। ତେବେ ଏ ସ୍ବର କୋଇଲା ଖଣି ବିସ୍ଥାପନକୁ ବିରୋଧ କରି ନୁହେଁ, ଏନଟିପିସି ଖଣି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ମନମାନୀ, ଅନ୍ୟାୟ ବିରୋଧରେ। ତାଙ୍କୁ ବିସ୍ଥାପିତ ପରିବାର ଭାବେ ଘୋଷଣା ନକରି ଓ କ୍ଷତିପୂରଣ ନଦେଇ ଘରୁ ତଡ଼ିବାକୁ ବସିଛି କମ୍ପାନି ଓ ପ୍ରଶାସନ। ଏପରିକି ଘର ନଛାଡ଼ିଲେ ବୁଲଡୋଜର ଲଗାଇ ଭାଙ୍ଗିଦେବାର ଧମକ ଦେଇ ଚାଲିଛି ଏନଟିପିସି।
ଲଲିତଙ୍କ ଗୋଟିଏ ମାତ୍ର ଭୁଲ୍ ହେଲା, ଘରଟି ରୟତି ଜମିରେ ନୁହେଁ, ସରକାରୀ ଅନାବାଦୀ ଜମିରେ ରହିଛି। ତେଣୁ ଲଳିତ କ୍ଷତିପୂରଣ ପାଇବାକୁ ଯୋଗ୍ୟ ନଥିବା ଯୁକ୍ତି କରୁଛନ୍ତି ପ୍ରଶାସନ, କମ୍ପାନି। ତା’ ବିରୋଧରେ ଏକା ଏକ ଲଢ଼ି ଚାଲିଛନ୍ତି ଗରିବ ଲଳିତ। ତାଙ୍କୁ ବିସ୍ଥାପିତ ରୂପେ କ୍ଷତିପୂରଣ ଓ ଥଇଥାନ କରିବା ଦାବି ନେଇ ଉଦବାସ୍ତୁ ହୋଇପଡ଼ିଥିବା ଗାଁରେ ଥିବା ଘରେ ସପରିବାର ଅଟକି ରହିଛନ୍ତି। ଲଳିତଙ୍କ ଅଭିଯୋଗ ଅନୁସାରେ, ସେ ଗତ ୨୦୦୫ରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଲିଆଖାଇ ଗାଁରୁ ପେଟପାଟଣା ପାଇଁ ଆସି ଡୁଲିଙ୍ଗାରେ ଏକ ଅନାବାଦୀ ଜମିରେ ଘର କରି ସ୍ଥାୟୀ ଭାବେ ରହି ଆସୁଛନ୍ତି। ଏଠାରେ ୨୦୦୭ରେ ପ୍ରଥମ ପୁଅ ଓ ୨୦୧୩ରେ ଦ୍ବିତୀୟ ପୁଅର ଜନ୍ମ। ୧୭ ବର୍ଷ ହେଲା ଏହି ଗାଁର ବାସିନ୍ଦା ହୋଇ ରହିଥିବା ଲଳିତ ଏଠାରେ ଭୋଟଦାନ ଅଧିକାର ପାଇବା ସହ ରାସନ କାର୍ଡ, ଆଧାରକାର୍ଡ, କେନ୍ଦୁପତ୍ର କାର୍ଡ, ବିଦ୍ୟୁତ ଉପଭୋକ୍ତା କାର୍ଡ ପାଇ ସରକାରୀ ସୁବିଧା ସବୁ ପାଇ ଆସୁଛନ୍ତି।
ଏହା ଛଡ଼ା ଅନାବାଦୀ ଜମିରେ ଘର କରିଥିବାରୁ ତାଙ୍କ ନାମରେ ଜବରଦଖଲ ମାମଲା ରହିଥିବା ଓ ସାନଘୁମୁଡ଼ା ରାଜସ୍ବ ନିରୀକ୍ଷକଙ୍କ ସରଜମିନ ତଦନ୍ତ ରିପୋର୍ଟ ମଧ୍ୟ ରହିଛି। ଏହା ସତ୍ତ୍ବେ ଏନଟିପିସି ତାଙ୍କୁ ବିସ୍ଥାପିତ ତାଲିକାରେ ସ୍ଥାନ ଦେବାକୁ ମନା କରି ଦେଇ ଜୋରଜବରଦସ୍ତ ଘରୁ ତଡ଼ିବାକୁ ଉଦ୍ୟମ କରୁଛି। ନିୟମ ଅନୁସାରେ, ସରକାରୀ ଜମିରେ ଘର କରିଥିବାରୁ ଲଳିତ ଜମିର କ୍ଷତିପୂରଣ ପାଇବାକୁ ଯୋଗ୍ୟ ନୁହନ୍ତି, କିନ୍ତୁ ନିଜ ହାତରେ ତିଆରି କରିଥିବା ଘରର କ୍ଷତିପୂରଣ ଓ ସ୍ଥାନୀୟ ବାସିନ୍ଦା ଭାବେ ଆବଶ୍ୟକ ପ୍ରମାଣପତ୍ର ଥିବା ସତ୍ତ୍ବେ ତାଙ୍କୁ ବିସ୍ଥାପିତ ତାଲିକାରେ ସ୍ଥାନ ନଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଲଳିତ ବହୁବାର ହେମଗିର ତହସିଲଦାରଙ୍କ ଠାରୁ ଆରମ୍ଭ କରି ଭୂଅର୍ଜନ ଅଧିକାରୀ, ଉପଜିଲ୍ଲାପାଳଙ୍କ ଯାଏ ଗୁହାରି କରିଛନ୍ତି। କିନ୍ତୁ ସବୁଠି ତାଙ୍କୁ ନିରାଶ କରି ଫେରାଇ ଦିଆଯାଇଛି।
ଏସ୍ଥିତିରେ କିଛି ଦିନ ତଳେ ତାଙ୍କୁ ତୁରନ୍ତ ଘର ଖାଲି କରିବାକୁ ତାଗିଦ୍ କରିଛି ଏନଟିପିସି। ନହେଲେ ବୁଲଡୋଜର ଆଣି ଆସବାବପତ୍ର ସହ ଘରକୁ ଭାଙ୍ଗି ଦେବ ବୋଲି ଧମକ ଦେଇ ଯାଇଛି। ଏହା ମଧ୍ୟରେ ୧୫ ଦିନ ହେଲା ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। କୌଣସି ମୁହୂର୍ତ୍ତରେ ଜୋର କରି ଘର ଭାଙ୍ଗିଦେବାର ଆଶଙ୍କାକୁ ନେଇ ଗରିବ ଲଳିତ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କପର୍ଦ୍ଦକ ଶୂନ୍ୟ ହୋଇ ଘରୁ ତଡ଼ା ଖାଇଲେ ବୃଦ୍ଧ ବାପାଙ୍କ ସମେତ ୪ ପ୍ରାଣୀକୁ ନେଇ କୁଆଡ଼େ ଯିବେ, କେଉଁଠି ରହିବେ, କେମିତି ଚଳିବେ ତାକୁ ନେଇ ସେ ଚିନ୍ତାରେ ପଡ଼ିଛନ୍ତି। ତେଣୁ କ୍ଷତିପୂରଣ ନମିଳିବା ଯାଏ ଘର ନଛାଡ଼ିବାକୁ ସେ ଜିଦ୍ ଧରିଛନ୍ତି। ଏହିକ୍ରମରେ ଜିଲ୍ଲା ପ୍ରଶାସନ ଗରିବ, ଭୂମିହିନ ଲଳିତଙ୍କ ପ୍ରତି ସମ୍ବେଦନଶୀଳ ହୋଇ କ୍ଷତିପୂରଣ ଓ ଅନ୍ୟ ଥଇଥାନ ସୁବିଧା ପ୍ରଦାନ କରିବାକୁ ଜନଶକ୍ତି ବିକାଶ ପରିଷଦ ନେତା ରାଜେନ୍ଦ୍ର ନାଏକ ଦାବି କରିଛନ୍ତି।