କରୋନା ଓ ମରୁଡ଼ି ଆଶଂକା ସତ୍ତ୍ବେ ଉତ୍ସାହ, ଘରେ ଘରେ ଜମିଲା ନୂଆଁଖାଇ

ସମ୍ବଲପୁର : ମରୁଡ଼ି ଆଶଂକା ଓ କରୋନା କଟକଣା ସତ୍ତ୍ବେ ପଶ୍ଚିମ ଓଡ଼ିଶାର ଘରେ ଘରେ ପାଳିତ ହୋଇଛି ନୂଆଁଖାଇ। ଗତ ବର୍ଷ ପରି ଏଥର ବି ଯଦିଓ ସାମୂହିକ ଜୁହାର ଭେଟ୍‌, ସାଂସ୍କୃତିକ ଓ ମନୋରଂଜନ କାର୍ଯ୍ୟକ୍ରମ ହୋଇ ପାରି ନାହିଁ ତଥାପି ଏହି ମହାନ୍‌ ଗଣପର୍ବକୁ ଗୌଣ କରିପାରି ନାହିଁ କୌଣସି ସମସ୍ୟା। ପେଟ ପାଟଣାର ପର୍ବ, ଜୀବନଜୀବିକାର ପର୍ବ, ଚାଷ ଓ ଚାଷୀର ପର୍ବ ନୂଆଁଖାଇର ମହତ୍ତ୍ବ ଏଥର ବି ଅକ୍ଷୁଣ୍ଣ ରହିଛି ପ୍ରତିଟି ଲୋକର ମନରେ, ହୃଦୟରେ। ଭାଇଚାରା ଓ ମିଳନର ପର୍ବରେ ଯଦିଓ ଲୋକେ ପରସ୍ପର ସହ ମିଶି ପାରି ନାହାନ୍ତି, କିନ୍ତୁ ଭ୍ରାତୃତ୍ବ ବଜାୟ ରହିଛି। ସ˚ସ୍କୃତି ଓ ସ୍ବାଭିମାନର ପର୍ବରେ ଯଦିଓ ସାଂସ୍କୃତିକ ଝଲକ ଦେଖିବାକୁ ମିଳି ନାହିଁ, କିନ୍ତୁ ସ୍ବାଭିମାନ ଅତୁଟ ରହିଛି। ନୂଆଁଖାଇ ପର୍ବ ଅତି ନିଆରା ଓ ସ୍ବତନ୍ତ୍ର, ଏହା ଆଜି ପୁଣିଥରେ ପ୍ରମାଣିତ ହୋଇଛି ପଶ୍ଚିମ ଓଡ଼ିଶାର ପ୍ରତିଟି ଗାଁ ଓ ସହରରେ, ପ୍ରତି ଘରେ ଓ ପରିବାରରେ। ସବୁ ମନୋମାଳିନ୍ୟ ଭୁଲି ଏକାଠି ନୂଆଁ ଖାଇଛନ୍ତି ଆବାଳ ବୃଦ୍ଧବନିତା। ଯଦିଓ ଆସନ୍ନ ମରୁଡ଼ି ପାଇଁ ଚାଷୀମାନେ ଚିନ୍ତାରେ ରହିଛନ୍ତି, କିନ୍ତୁ ଗୋଟିଏ ଦିନ ପାଇଁ ସବୁ ଦୁଃଖ ଭୁଲି ମୁହଁରେ ହସ ଫୁଟାଇ ଏହି କୃଷିଭିତ୍ତିକ ପର୍ବକୁ ପାଳନ କରିଛନ୍ତି।

ସମସ୍ତଙ୍କ ମନରେ ଗୋଟିଏ ଖୁସି, ଗୋଟିଏ ଆଶା, ଆଜି ପହିଲି ଫସଲ ଈଶ୍ବରଙ୍କୁ ଅର୍ପଣ କଲୁ। ତାଙ୍କ ଆଶୀର୍ବାଦ ନେଇ ପରିବାରର ସମସ୍ତଙ୍କ ସହ ମିଶି ନୂଆଁ ଖାଇଲୁ। ନୂଆଁଖାଇ ପରେ ଭଲ ସମୟ ଆସିବ। ମହାମାରୀ ଦୂରେଇ ଯିବ। ଆଗକୁ ବର୍ଷ ଭଲରେ କଟିବ।

ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ଶନିବାର ପୂର୍ବାହ୍ଣ ୧୦ଟା ୧୦ରୁ ୧୦ଟା ୨୫ ମଧ୍ୟରେ ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନବାଂଶେ ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହୋଇଥିଲା। ନୂଆ ଭୋଗ ଓ ପୂଜା ସାମଗ୍ରୀକୁ ଘଣ୍ଟ ଶଙ୍ଖ ବଜାଇ ଧାଡ଼ିରେ ନେଇ ପୂଜକ ଗଣ ମନ୍ଦିରରେ ପହଞ୍ଚିଥିଲେ। ନିର୍ଦ୍ଧାରିତ ଲଗ୍ନରେ ମନ୍ଦିର ଭିତରୁ ଶଙ୍ଖ ଧ୍ବନି ଶୁଭିବା ମାତ୍ରେ ଘଣ୍ଟ, ଶଙ୍ଖ, ନିସାନ୍‌, ମାନ୍ଦଲ୍‌ ଆଦି ବାଦ୍ୟ ଯନ୍ତ୍ରରେ ପରିସର ଦୁଲୁକି ଉଠିଥିଲା। ମାଆଙ୍କଠାରେ ନବାନ୍ନ ଲାଗି ନୀତି ଆରମ୍ଭ ହୋଇଥିଲା। ମାଆଙ୍କ ପାଖରେ ଭୋଗ ଲାଗିଲା ପରେ ପୂଜକମାନେ ବେଢ଼ା ପୂଜା ସହ ବୁଲି ବୁଲି ପାର୍ଶ୍ବ ଦେବଦେବୀଙ୍କୁ ନବାନ୍ନ ଲାଗି କରିଥିଲେ। ଏହାପରେ ମାଆଙ୍କ ପାଖରେ ସ୍ବତନ୍ତ୍ର ଆଳତି କରା ଯାଇଥିଲା। ନୂଆଁଖାଇ ନୀତି ବେଳେ ସାଧାରଣ ଭକ୍ତଙ୍କୁ ମନ୍ଦିର ମନା ଥିଲେ ବି ପ୍ରାଶାସନିକ ଓ ପୁଲିସ୍‌ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ଗହଳି ଲାଗିଥିଲା। ପୂର୍ବରୁ ନୂଆଁଖାଇ ପାଇଁ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ଶନିବାର ଭୋରରୁ ପୂଜକମାନେ ମାଁ ସମଲେଶ୍ବରୀଙ୍କୁ ନୂଆ ବସ୍ତ୍ର, ଅଳଙ୍କାରରେ ସଜ୍ଜିତ କରିଥିଲେ। ପୂଜକମାନଙ୍କ ଘରେ ସ˚ପୂର୍ଣ୍ଣ ନିଷ୍ଠା ଓ ନୀତି ନିୟମର ସହ ନୂଆ ଧାନରେ ମାଆଙ୍କ ପାଇଁ ନବାନ୍ନ ଭୋଗ (ନୂଆଁ ଚାଉଳ), ଖିରି, ପିଠା, ସାରୁ ଶାଗ ଆଦି ପ୍ରସ୍ତୁତ ହୋଇଥିଲା। ସକାଳ ୯ଟାରୁ ମନ୍ଦିରରେ ଝୋଟି ଦେଇଥିଲେ। ସକାଳ ୯ଟା ୩୦ରେ ଚାରି ପୂଜକ ପରିବାରୁ ମନ୍ଦିରକୁ ଭୋଗ ଆସିଥିଲା।

 

ପାଟଣାଗଡ଼ରେ ମାଆ ପାଟଣେଶ୍ବରୀଙ୍କଠାରେ ମଧ୍ୟ ନିଷ୍ଠାର ସହ ନବାନ୍ନ ଭୋଗ ଲାଗି ହୋଇଥିଲା। ବଲାଙ୍ଗୀରରେ ମାଆ ସମଲେଶ୍ବରୀଙ୍କୁ ଭାବ ଓ ଭକ୍ତିର ସହ ନୂଆ ଭୋଗ ଅର୍ପଣ କରା ଯାଇଥିଲା। ସୋନପୁରରେ ଅଧିଷ୍ଟାତ୍ରୀ ଦେବୀ ସୁରେଶ୍ବରୀଙ୍କଠାରେ ନୀତି ନିଷ୍ଠାର ସହ ନୂଆ ଅନ୍ନ ଲାଗି ହୋଇଥିଲା। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ଦେବଗଡ଼, ବୌଦ୍ଧ, ବରପାଲି ସମେତ ବିଭିନ୍ନ ସହର ଓ ଗାଁରେ ସେଠାକାର ଇଷ୍ଟ ଦେବଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରା ଯାଇଥିଲା। ଗାଁଗୁଡ଼ିକରେ ଝାଙ୍କରମାନେ ଗ୍ରାମ ଦେବଦେବୀଙ୍କୁ ପୂଜା କରିଥିଲେ। ଚାଷୀମାନେ ନିଜ କ୍ଷେତ (ବିଲ)କୁ ଯାଇ ଧରଣୀ ମାତାଙ୍କୁ ପୂଜା କରିଥିଲେ। ନୂଆଁଖାଇ ଅବସରରେ ଗୋମାତାଙ୍କୁ ବି ପୂଜାର୍ଚ୍ଚନା କରା ଯାଇଥିଲା।

ନୂଆ ଭୋଗର ଦେବାର୍ପଣ ପରେ ପ୍ରତି ପରିବାରରେ ନୂଆଁଖାଇ ପର୍ବ ଆରମ୍ଭ ହୋଇଥିଲା। ପରିବାର ସମସ୍ତ ସଦସ୍ୟ ନୂଆ ପୋଷାକ ପିନ୍ଧି ଏକାଠି ବସିବା ପରେ ସବୁଠୁ ବୟୋଜ୍ୟେଷ୍ଠ ସଦସ୍ୟ ସମସ୍ତଙ୍କୁ ନୂଆ ଅନ୍ନ ପ୍ରସାଦ ବାଣ୍ଟି ଥିଲେ। ତାହାକୁ ସମସ୍ତେ ଏକା ସାଙ୍ଗରେ ସେବନ କରିଥିଲେ। ନୂଆ ଭୋଗ ସାଙ୍ଗକୁ ଖିରି, ପିଠାପଣାରେ ସବୁ ଘର ଉଛୁଳି ଥିଲା। ନୂଆଁ ଖାଇ ସାରିବା ପରେ ଗୁରୁଜନମାନଙ୍କୁ ଜୁହାର‌୍‌, ମୁଣ୍ତିଆ ମାରି ସାନମାନେ ଆଶୀର୍ବାଦ ନେଇଥିଲେ। ଏଥର ବି ଜୁହାର ଭେଟ୍ ପରିବାର ମଧ୍ୟରେ ସୀମିତ ରହିଥିଲା। ତେବେ ସାମାଜିକ ଗଣମାଧ୍ୟମ ଯଥା ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌, ଟ୍ବିଟର୍‌, ଇନ୍‌ଷ୍ଟାଗ୍ରାମରେ ନୂଆଁଖାଇ ଜୁହାର ଓ ଶୁଭେଚ୍ଛା ବାର୍ତ୍ତା ଛାଇ ଯାଇଥିଲା। ଅନ୍ୟ ବର୍ଷରେ ଖେଳ, କୁଦ, ନାଚ, ଗୀତ, ଭଜନ, କୀର୍ତନଠୁ ଆରମ୍ଭ କରି ସାଂସ୍କୃତିକ ମନୋରଂଜନ ଭରା ନୂଆଁଖାଇ ଭେଟ୍‌ ସମାରୋହ ଆୟୋଜିତ ହେଉଥିଲା। ଏଥର ଅନ୍‌ଲାଇନ୍‌ରେ ଏହା ଚାଲିଥିଲା। ଲୋକେ ନାଚ, ଗୀତ, କବିତା ଆଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନ୍‌ଲାଇନ୍‌ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର