ପଶ୍ଚିମ ଓଡ଼ିଶା ଯୁବମଞ୍ଚର ନୂଆଁଖାଇ ଭେଟ୍‌ଘାଟ୍‌: ୧୦ଟି ଜିଲ୍ଲାର ୪୫ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ବର୍ଦ୍ଧିତ

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ସବୁବେଳେ ମହାନ। ଏକତାର ବନ୍ଧନରେ ବାନ୍ଧିଛି ଆମର ଗଣପର୍ବ ନୂଆଁଖାଇ। ଏହି ଏକତାର ପର୍ବକୁ ଆମ ଅଂଚଳର ବିକାଶ ପାଇଁ ଲଗାଇବା। ଅଂଚଳର କଳା, ସାହିତ୍ୟ, ସଂସ୍କୃତି ସମସ୍ତଙ୍କୁ ଏକ କରି ରଖିଛି। ଅଂଚଳର ସ୍ୱତନ୍ତ୍ର ପରିଚୟ ରହିଛି। ଅଂଚଳର ବିକାଶ ପାଇଁ କଳା ସଂସ୍କୃତିର ବିକାଶ ନିହାତି ଦରକାର। ଆମ କଳାସଂସ୍କୃତିର ସ୍ୱତନ୍ତ୍ରତା ଆମକୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ବଲାଙ୍ଗୀର ସ୍ୱୟଂ ହୋଟେଲଠାରେ ପଶ୍ଚିମ ଓଡ଼ିଶା ଯୁବମଞ୍ଚ (ଡବ୍ଲୁଓୱାଇଏମ୍‌) ତରଫରୁ ଆୟୋଜିତ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି।

ଡବ୍ଲୁଓୱାଇଏମ୍‌ର ସଭାପତି ଅଜିତ ପତିଙ୍କ ସଭାପତିତ୍ୱ ଓ ସଂଯୋଜନାରେ ସଂଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟଅତିଥି, ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବ ବିଧାୟକ ପ୍ରଦୀପ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଜୀବନବ୍ୟାପୀ ସଂଘର୍ଷ ଓ ସମର୍ପଣ ପାଇଁ କୋଶଲବାଦୀ ନେତା ପ୍ରମୋଦ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଂଚ ଦୁଲୁକି ଉଠିଥିଲା। ଦିନବେଳା ଅନୁଷ୍ଠିତ ବାର୍ଷିକୋତ୍ସବ ସଭାରେ ମୁଖ୍ୟଅତିଥି ଭାବେ ବଲାଙ୍ଗୀରର ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ଯୋଗଦେଇ କହିଥିଲେ, ପଶ୍ଚିମ ଓଡ଼ିଶା ଅବହେଳିତ ହୋଇପଡ଼ିରହିଛି। ରାଜ୍ୟ ସରକାର ପଶ୍ଚିମଓଡ଼ିଶା ବିକାଶ ପରିଷଦକୁ ପଙ୍ଗୁ କରିଦେଇଛନ୍ତି।

ଏହି ଅଞ୍ଚଳର ବିକାଶ ପାଇଁ କୋଶଲ ରାଜ୍ୟ ନିତାନ୍ତ ଆବଶ୍ୟକ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ବରଗଡ଼ର କୋଶଲବାଦୀ ନେତା ଦେବଦତ୍ତ ମିଶ୍ର (ଟୁକୁ ମିଶ୍ର), ସଂସ୍କୃତି ଗବେଷକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ଶାଶ୍ୱତ ମିଶ୍ର, ବଲାଙ୍ଗୀର ଲୋୟରସୁକତେଲ ପିଡିଆର୍‌ଆର୍‌ ମହେନ୍ଦ୍ର ମହାପାତ୍ର ଓ ପୌର ନିର୍ବାହୀଅଧିକାରୀ ବିପିନ ଦୀପ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୋଶଳାଞ୍ଚଳର ୧୦ଜିଲ୍ଲାର କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ବେଳେ ୪୫ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା।

ମୁଖ୍ୟତଃ ୧୦ଟି ଜିଲ୍ଲାର ବହୁ ସଂଖ୍ୟାରେ ଯୁବକ ସାମିଲ ହୋଇ କୋଶଳାଞ୍ଚଳର ବିକାଶ ପାଇଁ ଏକ ହୋଇ ନୂଆଁଖାଇ ଭେଟ୍‌ଘାଟ୍‌ ମାଧ୍ୟମରେ ଉଲ୍‌ଗୁଲାନ ଡାକରା ଦେଇଥିଲେ। ସମ୍ବର୍ଦ୍ଧିତ ଅନୁଷ୍ଠାନ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ବିଙ୍ଗହ୍ୟୁମାନ ଫାଉଣ୍ଡେସନ, ନାରୀଶକ୍ତି ଫାଉଣ୍ଡେସନ, ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଘ, ପାଟଣାଗଡର ସେବା ଚେରିଟେବୁଲ ଟ୍ରଷ୍ଟ, କୋଶଲ ସେନା, ଟିଟିଲାଗଡ଼ର ବିକାଶ ସେନା, ସୋନପୁରର ବୁଢ଼ାରଜା ସଂଗଠନ, ସମ୍ବଲପୁରର ସମ୍ବଳ ତଥା ଘେଁସ, ବରପାଲି, ସୁନ୍ଦରଗଡ଼, କଳାହାଣ୍ଡି, ବୌଦ୍ଧ, ଝାରସୁଗୁଡ଼ା, ବରଗଡ଼ ଇତ୍ୟାଦି ଅଞ୍ଚଳର ୪୫ଟି ସଂଗଠନ ରହିଛନ୍ତି।

ସମ୍ବନ୍ଧିତ ଖବର