ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପୂରପଲ୍ଲୀରେ ପାଳିତ ହୋଇ ଯାଇଛି ମହାନ ଗଣ ପର୍ବ ନୂଆଁଖାଇ। ଜୀବନଜୀବିକାର ପର୍ବ, ପେଟପାଟଣାର ପର୍ବ, ଚାଷ ଓ ଚାଷୀର ପର୍ବ ନୂଆଁଖାଇ। ଭାଇଚାରା ଓ ମିଳନର ପର୍ବ, ସ˚ସ୍କୃତି ଓ ସ୍ବାଭିମାନର ପର୍ବ ନୂଆଁଖାଇ। ନୂଆଁଖାଇ ପର୍ବ ଅତି ନିଆରା ଓ ସ୍ବତନ୍ତ୍ର ଏହା ପୁଣିଥରେ ପ୍ରମାଣିତ ହୋଇଛି ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ଼ ସୀମାନ୍ତ ଅଞ୍ଚଳର ପ୍ରତିଟି ଗାଁ ଓ ସହରରେ, ପ୍ରତି ଘରେ ଓ ପରିବାରରେ। କରୋନା କାରଣରୁ ଗତ ୨ ବର୍ଷ ନୂଆଁଖାଇ ଫିକା ପଡ଼ିଥିଲାବେଳେ ବାହାରେ ଥିବା ଅନେକ ଲୋକ ଘରକୁ ଫେରିପାରି ନଥିଲେ। ୨ ବର୍ଷ ପରେ କିନ୍ତୁ ପୁଣି ଥରେ ସ୍ଥିତି ସାମାନ୍ୟ ହୋଇଛି। ସବୁ ମନୋମାଳିନ୍ୟ ଭୁଲି ଏକାକାର ହୋଇଛନ୍ତି ଆବାଳ ବୃଦ୍ଧବନିତା। ସମସ୍ତଙ୍କ ମନରେ ଗୋଟିଏ ଖୁସି, ଗୋଟିଏ ଆଶା, ଆଜି ନିଜର ପହିଲି ଫସଲ ଈଶ୍ବରଙ୍କୁ ଅର୍ପଣ କଲୁ। ତାଙ୍କ ଆଶୀର୍ବାଦ ନେଇ ପରିବାରର ସମସ୍ତଙ୍କ ସହ ମିଶି ନୂଆ ଖାଇଲୁ। ଆଗକୁ ପୂରା ବର୍ଷ ଭଲରେ କଟିବ। ବିପଦଆପଦରେ ମାଆ ଆମକୁ ସାହା ହେବେ।
ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ଗୁରୁବାର ଦିନ ୧୦ଟା ୫୬ରୁ ୧୧ଟା ୧୦ ମଧୢରେ ତୁଳା ଲଗ୍ନ ମିଥୁନ ନବାଂଶେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲଗା ଯାଇଥିଲା। ଏହା ପୂର୍ବରୁ ପୂଜକମାନେ ମାଆଙ୍କୁ ନୂଆ ବସ୍ତ୍ର, ଅଳଙ୍କାରରେ ସଜ୍ଜିତ କରିଥିଲେ। ପୂଜକ ପରିବାରରେ ସ˚ପୂର୍ଣ ନିଷ୍ଠା ଓ ନୀତି ନିୟମର ସହ ନୂଆ ଧାନରେ ମାଆଙ୍କ ପାଇଁ ନବାନ୍ନ ଭୋଗ (ନୂଆ ଚାଉଳ ଚୁରା), ଖିରି, ପିଠା, ସାରୁ ଶାଗ ଆଦି ପ୍ରସ୍ତୁତ ହୋଇଥିଲା। ନୂଆଁ ଭୋଗ ଓ ପୂଜା ସାମଗ୍ରୀକୁ ଘଣ୍ଟ ଶ˚ଖ ବଜାଇ ପଟୁଆରରେ ନେଇ ପୂଜକ ଗଣ ମନ୍ଦିରରେ ପହଞ୍ଚିଥିଲେ। ନିର୍ଧାରିତ ଲଗ୍ନ ଠିକ୍ ୧୦ଟା ୫୬ରେ ଭିତରୁ ଶ˚ଖ ଧ୍ବନି ଶୁଭିବା ମାତ୍ରେ ଘଣ୍ଟ, ଶ˚ଖ, ନିସାନ୍, ମାନ୍ଦଲ୍ ଆଦି ବାଦ୍ୟ ଯନ୍ତ୍ରରେ ମନ୍ଦିର ପରିସର ଦୁଲୁକି ଉଠିଥିଲା। ମାଆଙ୍କଠାରେ ନବାନ୍ନ ଲାଗି ନୀତି ଆରମ୍ଭ ହୋଇଥିଲା। ମାଆଙ୍କ ପାଖରେ ଭୋଗ ଲାଗିଲା ପରେ ପୂଜକମାନେ ବେଢ଼ା ପୂଜା ସହ ବୁଲି ବୁଲି ପାର୍ଶ୍ବ ଦେବାଦେବୀଙ୍କୁ ନବାନ୍ନ ଭୋଗ ଲଗାଇଥିଲେ। ଏହାପରେ ମାଆଙ୍କ ପାଖରେ ସ୍ବତନ୍ତ୍ର ଆଳତି କରା ଯାଇଥିଲା। ନବାନ୍ନ ଅର୍ପଣ ପରେ ମନ୍ଦିରର ଦ୍ବାର ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲା ଯାଇଥିଲା। ନବାନ୍ନ ପୂଜା ସମୟରେ ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା।
ପାଟଣାଗଡ଼ରେ ମାଆ ପାଟଣେଶ୍ବରୀଙ୍କଠାରେ ନିଷ୍ଠାର ସହ ନବାନ୍ନ ଭୋଗ ଲାଗି ହୋଇଥିଲା। ବଲାଙ୍ଗୀରରେ ମାଆ ସମଲେଶ୍ବରୀଙ୍କୁ ଭାବ ଓ ଭକ୍ତିର ସହ ନୂଆଁ ଭୋଗ ଅର୍ପଣ କରା ଯାଇଥିଲା। ସୋନପୁରରେ ଅଧିଷ୍ଠାତ୍ରୀ ଦେବୀ ମାଆ ସୁରେଶ୍ବରୀଙ୍କଠାରେ ନୀତିନିଷ୍ଠାର ସହ ନୂଆ ଅନ୍ନ ଲାଗି ହୋଇଥିଲା। ବୌଦ୍ଧରେ ମାତା ଭୈରବୀଙ୍କ ନିକଟରେ ନୂଆ ଭୋଗ ଲାଗିଥିଲା। ଝାରସୁଗୁଡ଼ାରେ ବାବା ଝାଡ଼େଶ୍ବରଙ୍କୁ ନୂଆଁ ଭୋଗ ଲଗା ଯାଇଥିଲା। ସୁନ୍ଦରଗଡ଼, ବରଗଡ଼, ବରପାଲି, ଛତିଶଗଡ଼ର ସାରଂଗଡ଼, ରାୟଗଡ଼ ଆଦି ସ୍ଥାନରେ ମାଆ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ଲୋକେ ପରଂପରା ଅନୁଯାୟୀ ଦେବାଦେବୀଙ୍କୁ ପୂଜା କରି ନୂଆ ଭୋଗ ଲାଗି କରିଥିଲେ। ପ୍ରତି ସହର ଓ ଗାଁରେ ସେଠାକାର ଅଧିଷ୍ଠିତ ଦେବାଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରା ଯାଇଥିଲା। ଗାଁ ମାନଙ୍କରେ ଝାଙ୍କରମାନେ ଗ୍ରାମ ଦେବାଦେବୀଙ୍କୁ ପୂଜା କରିଥିଲେ। ଚାଷୀମାନେ ନିଜ କ୍ଷେତକୁ ଯାଇ ମାଟିମାଆର ପୂଜା କରିବା ସହ କ୍ଷୀର ଢାଳିଥିଲେ। ନୂଆଁଖାଇ ଅବସରରେ ଗୋମାତାଙ୍କୁ ବି ପୂଜାର୍ଚ୍ଚନା କରା ଯାଇଥିଲା। କଳାହାଣ୍ଡି ଜିଲ୍ଲାର ଅଧା ଅଞ୍ଚଳରେ ଆଜି ନୂଆଁଖାଇ ହୋଇଥିଲା। ଆସନ୍ତା ଦଶମୀ ତିଥିରେ ମାଆ ମାଣିକେଶ୍ବରୀଙ୍କଠାରେ ନବାନ୍ନ ଲାଗି ସହ ଜିଲ୍ଲାର ବାକି ଅଞ୍ଚଳରେ ନୂଆଁଖାଇ ପାଳନ ହେବ।
ଗୁରୁବାର ନୂଆ ଭୋଗର ଦେବାର୍ପଣ ପରେ ପ୍ରତି ପରିବାରରେ ନୂଆଁଖାଇ ପର୍ବ ଆରମ୍ଭ ହୋଇଥିଲା। ପରିବାର ସମସ୍ତ ସଦସ୍ୟ ନୂଆ ପୋଷାକ ପିନ୍ଧି ଏକାଠି ବସିବା ପରେ ବୟୋଜ୍ୟେଷ୍ଠ ସଦସ୍ୟ ସମସ୍ତଙ୍କୁ ନୂଆଁ ଅନ୍ନ ପ୍ରସାଦ ବାଣ୍ଟି ଥିଲେ। ତାହାକୁ ସମସ୍ତେ ଏକା ସାଙ୍ଗରେ ସେବନ କରିଥିଲେ। ନୂଆ ଭୋଗ ସାଙ୍ଗକୁ ଖିରି, ପିଠାପଣାରେ ସବୁ ଘର ଉଛୁଳି ଥିଲା। ନୂଆଁ ଖାଇ ସାରିବା ପରେ ଗୁରୁଜନମାନଙ୍କୁ ଜୁହାର, ମୁଣ୍ତିଆ ମାରି ଆଶୀର୍ବାଦ ନେବାର ନିଆରା ପର˚ପରା ଆରମ୍ଭ ହୋଇଥିଲା। ସାନମାନେ ବଡ଼ମାନଙ୍କୁ ଜୁହାର ଭେଟ୍ ହୋଇଥିଲେ। ପରିବାର ସଦସ୍ୟଙ୍କ ପରେ ଗାଁ, ପଡ଼ାର ବନ୍ଧୁ, ପଡେ଼ାଶୀଙ୍କୁ ଭେଟି ଜୁହାର୍ ଭେଟ୍ ହୋଇଥିଲେ।
ଅପରାହ୍ଣରୁ ଗାଁ ମାନଙ୍କରେ ଖେଳ, କୁଦ, ନାଚ, ଗୀତ, ଭଜନ, କୀର୍ତନ ଆଦି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଥିଲା ଯାହା ରାତି ଯାଏ ଚାଲିଥିଲା। ସହରମାନଙ୍କରେ ବି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୂଆଁଖାଇ ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କବିତା ପାଠ, ଭଜନ, ସମ୍ବଲପୁରୀ ନାଚ, ଗୀତ, ମିଠା ଖିଆ ପ୍ରତିଯୋଗିତା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଜମିଥିଲା। ସେହିପରି ପଶ୍ଚିମ ଓଡ଼ିଶାର ସବୁ ମନ୍ଦିରରେ ଦେବାଦେବୀଙ୍କ ଦର୍ଶନ ପାଇଁ ଅପରାହ୍ଣରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଧାଡ଼ି ଲମ୍ବିଥିଲା। ଆଜି ନୂଆଁଖାଇ ପର୍ବ ଶେଷ ହୋଇଥିଲେ ବି ଭେଟ୍ଘାଟ୍ କାର୍ଯ୍ୟକ୍ରମ ଆହୁରି ଅନେକ ଦିନ ଚାଲିବ। ଭିନ୍ନ ଭିନ୍ନ ଅନୁଷ୍ଠାନମାନଙ୍କ ପକ୍ଷରୁ ପର୍ଯ୍ୟାୟ କ୍ରମେ ଭିନ୍ନଭିନ୍ନ ଦିନରେ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ରହିଛି।