ସମ୍ବଲପୁର: ରକ୍ତମୁଖା କଲରାପତରିଆ ବାଘ ସମ୍ବଲପୁର ଚିଡ଼ିଆଖାନାକୁ ଆସିଛି। ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସ ସୁରକ୍ଷା ମଧ୍ୟରେ ଏକ ପିକ୍‌ଅପ୍ ଭ୍ୟାନ୍‌ରେ କଲରାପତରିଆ ବାଘ ସମ୍ବଲପୁରରେ ପହଂଚିବା ପରେ ଉଦ୍ଧାର କେନ୍ଦ୍ର(ରେସ୍‌କ୍ୟୁ ସେଣ୍ଟର)ରେ ଏକ ସ୍ବତନ୍ତ୍ର ଖୁଆଡ଼ରେ ସଂଗରୋଧରେ ରଖାଯାଇଛି। ମଣିଷ, ଜୀବଜନ୍ତୁ ଠାରୁ ସଂପୂର୍ଣ୍ଣ ଦୂରରେ ରଖାଯାଇଛି। କଲରାପତିଆ ପାଖକୁ ଉଦ୍ଧାରକାରୀ ଦଳ ଓ ଡାକ୍ତରୀ ଟିମ୍ ଛଡ଼ା ଅନ୍ୟ କାହାରିକୁ ଛଡ଼ାଯିବ ନାହିଁ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।
ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କୋଦୋପାଲି ଗାଁରୁ ଶନିବାର ରାତିରେ ଧରାପଡ଼ିଥିବା ମଣିଷଖିଆ ବାଘ ନୂଆପଡ଼ା ବନ ବିଭାଗ ଅଫିସ୍‌ ପରିସରରେ ଯନ୍ତା ଭିତରେ ଥିଲା। ସୋମବାର ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟର ପ୍ରାଣୀ ଚିକିତ୍ସକ ଡା. ନବୀନ ମିଶ୍ରଙ୍କ ନେତୃତ୍ବରେ ସମ୍ବଲପୁର ଚିଡ଼ିଆଖାନାର ରେଞ୍ଜ ଅଫିସର କିଶୋର ବୟକାର, ଫରେଷ୍ଟର ବିକ୍ରମାଦିତ୍ୟ ବେହେରା ପ୍ରମୁଖଙ୍କୁ ନେଇ ଏକ ୪ ଜଣିଆ ପ୍ରତିନିଧି ଦଳ ନୂଆପଡ଼ା ଆସି ବାଘର ସ୍ବାସ୍ଥ୍ୟବସ୍ଥା ଦେଖିଥିଲେ। ମଙ୍ଗଳବାର ପୁଣି ସମ୍ବଲପୁର ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ, ଏସିଏଫ୍‌ ରେବତୀ ରଞ୍ଜନ ଯୋଶୀ ଓ ଉପନିର୍ଦ୍ଦେଶକ (ପ୍ରାଣୀ ଚିକିତ୍ସା) ସାରଥୀ ଦୋରା ପ୍ରମୁଖ ନୂଆପଡ଼ା ରେଞ୍ଜ ଅଫିସ୍‌ରେ ପହଞ୍ଚି ଥିଲେ। ପ୍ରାୟ ୮ ବର୍ଷ ବୟସର ଏହି କଲରାପତରିଆ ବାଘର ଶରୀରରେ ସାମାନ୍ୟ ଆଘାତ ଲାଗିଥିବାରୁ ଚିଡ଼ିଆଖାନାର ଉଦ୍ଧ‌ାର କେନ୍ଦ୍ର ପରିସରରେ ରଖାଯାଇ ଚିକିତ୍ସା କରାଯାଉଛି। ଏହାର ଗତିବିଧି ଜାଣିବା ନିମ‌ନ୍ତେ ସିସିଟିଭି କ୍ୟାମେରା ଖଞ୍ଜାଯାଇ ୨୪ ଘଣ୍ଟା ନିରୀକ୍ଷଣରେ ରଖାଯାଇଛି। କଲରାପତରିଆ ସଂକ୍ରମଣର ଶିକାର ହୋଇଛି କି ନାହିଁ, ତାହା ଜାଣିବା ନିମନ୍ତେ ମଳ, ମୂତ୍ର ଓ ରକ୍ତ ପରୀକ୍ଷା କରାଯାଉଛି। ତ‌େବେ, କଲରାପତରିଆ ଆଜି ସ୍ବାଭାବିକ ଭାବେ ଖାଦ୍ୟ ଖାଉଛି।