୩୦ ଦାଦନ ଶ୍ରମିକ ଉଦ୍ଧାର, ୪ ବସ୍‌ କର୍ମଚାରୀ ଓ ୪ଦଲାଲ ଗିରଫ

ସିନାପାଲି : ହାଇଦ୍ରାବାଦକୁ ବସ୍‌ ଯୋଗେ ବେଆଇନ ଭାବେ ଦାଦନ ଚାଲାଣ ସମୟରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପୁଲିସ ଚଢ଼ଉ କରିଛି। ବସ୍‌ରୁ ୩୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ବସ୍‌ର ୪ ଜଣ କର୍ମଚାରୀ ଓ ୪ ଜଣ ଦଲାଲଙ୍କୁ ଗିରଫ କରିଛି।

ଗିରଫମାନେ ହେଲେ ଗାଡ଼ି ଚାଳକ କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‌ ପଲାସ ଗାଁର ସୁବାସ ମେହେର (୫୩), ଭବାନୀପାଟଣାର ଚିନ୍ତାମଣି ପ୍ରଧାନ (୪୦), ବସ୍‌ କଣ୍ଡକ୍ଟର ରାଧାକାନ୍ତ ସାହୁ (୪୦), ଜୁନାଗଡ଼ ବ୍ଲକ ମହିଭର ଗ୍ରାମର ହେଲପର ରାଜକୁମାର ସୁନାନୀ, ଦଲାଲ ବଲାଙ୍ଗୀର ସହରର ଅଲିତ ମହାନନ୍ଦ (୪୮), ରିତୁ ଧରୁଆ (୨୧), ରବିନ୍ଦ୍ର ସୁନା(୨୬) ଓ ଲୋଚନ ଖର୍ସେଲ (୨୫)। ଉଦ୍ଧାର ଦାଦନ ଶ୍ରମିକମାନେ ନୂଆପଡ଼ା ଜିଲ୍ଲା ବୋଡ଼େନ, କୋମନା, ଖଡ଼ିଆଳ ଓ ସିନାପାଲି ବ୍ଲକ ସମେତ ବଲାଙ୍ଗୀର, ବରଗଡ଼ ଓ କଲାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନର ବୋଲି ଜଣାପଡ଼ିଛି। ଶ୍ରମିକମାଙ୍କ ମଧ୍ୟରେ ୨୦ଜଣ ପୁରୁଷ ଓ ୧୦ଜଣ ମହିଳା ରହିଛନ୍ତି। ଉଦ୍ଧାର ପରେ ଏମାନଙ୍କୁ ନିଜ ଗ୍ରାମରେ ଛାଡ଼ିବାର ବ୍ୟବସ୍ଥା କରାଯାଇଛି। ଏନେଇ ଥାନା କେସ୍ ନଂ ୨୬୧/୨୦ରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସିନାପାଲିରୁ ହାଇଦ୍ରାବାଦ ଚଳାଚଳ କରୁଥିବା ଜନାର୍ଦ୍ଦନ ନାମକ ବସ୍‌ (ଓଡି ୦୮ଏମ୍ ୦୬୭୫) ଯୋଗେ ଦାଦନ ଚାଲାଣ ହେଉଥିବା ଖବର ମିଳିଥିଲା। ହାତୀବନ୍ଧା ନିକଟରେ ବସ୍‌କୁ ଅଟକାଇ ପୁଲିସ ଚଢ଼ଉ କରିଥିଲା। ବସ୍‌ କର୍ମଚାରୀ, ଦଲାଲ ଓ ଶ୍ରମିକମାନଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରିଥିଲା। ଏହି ଶ୍ରମିକମାନଙ୍କୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆଣି ସିନାପାଲିରେ ରଖିବା ପରେ ଏହି ବସରେ ଚାଲାଣ କରାଯାଉଥିବା ଜଣାପଡ଼ିଥିଲା। ବସ୍‌ଟି ଭବାନୀପାଟଣାର ଜଣେ ମାଲିକଙ୍କ ବୋଲି ଜଣାପଡ଼ିଛି। ସିନାପାଲି ଥାନା ଅଧିକାରୀ ଜୌତିରଂଜନ ଗୌଡ଼ଙ୍କ ନିର୍ଦେଶରେ ଏକ ପୁଲିସ ଟିମ୍‌ ଏହି ଚଢ଼ଉରେ ସାମିଲଥିଲେ। ସୂଚନାଯୋଗ୍ୟ ଯେ, ସିନାପାଲି ଅଞ୍ଚଳରୁ ଶହ ଶହ ଦାଦନ ଶ୍ରମିକ ଇତିମଧ୍ୟରେ ଦଲାଲମାନଙ୍କ ଜରିଆରେ ଚାଲାଣ ହୋଇ ସାରିଛନ୍ତି। ଏବେ ବି ନିୟମିତ ଶ୍ରମିକ ଚାଲାଣ ହେଉଛି। ଏଥିପ୍ରତି ଶ୍ରମ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର