ନୂଆପଡ଼ା : ପେକ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ନୂଆପଡ଼ା ଜିଲ୍ଲାର ୮ଜଣ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି। ଏହି ଚାଷୀମାନେ ଗୁରୁବାର ନୂଆପଡ଼ା ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ ଅଫିସରେ ଉପସ୍ଥିତ ନଥିବାରୁ ଚାଷୀମାନେ ଏଆର୍ସିଏସ୍ଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ସେମାନଙ୍କ ଅଭିଯୋଗ ଅନୁସାରେ, ଚଳିତ ଖରିଫରେ ଲଖନା ଓ ଖରିଆର ରୋଡ଼ର ୮ଜଣ ଚାଷୀ ଧାର କରଜ କରି ଧାନଚାଷ କରିଥିଲେ। ମଣ୍ଡିରେ ବିକ୍ରି ହେଲେ କରଜ ଟଙ୍କା ପରିଶୋଧ କରିବା ସହ କିଛି ଟଙ୍କା ମିଳିଲେ ପରିବାର ଚଳାଇବା ପାଇଁ ଚିନ୍ତା କରୁଥିଲେ। ଚାଷୀମାନେ ଧାନ ବିକ୍ରି କରିବାକୁ ଖରିଆର ରୋଡ଼ ଓ ଲଖନା ପେକ୍ସରେ ପଞ୍ଜୀକରଣ ପାଇଁ ଅନ୍ଲାଇନ ଆବେଦନ କରିଥିଲେ। ହେଲେ ପେକ୍ସ କର୍ମଚାରଙ୍କ ଅବହେଳା ଯୋଗୁଁ ଏହି ୮ଜଣ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇ ପାରି ନାହିଁ। ଫଳରେ ବଞ୍ଚିତ ହୋଇଥିବା ଚାଷୀ ଲଖନା ପେକ୍ସ ଲିମଡିହିର ସୁଖୀରାମ ସାହୁ ୪୦ କୁଇଣ୍ଟାଲ, ଜିରାସିଂ ମାଝୀ ୧୦୦ କୁଇଣ୍ଟାଲ, ସୀଆରାମ ସାହୁ ୪୦ କୁଇଣ୍ଟାଲ, କୁରୁମପୁରୀର ଲମ୍ବୋଦର ସାହୁ ୧୩୦ କୁଇଣ୍ଟାଲ, ଖରିଆର ରୋଡ଼ ପେକ୍ସ ହଳଦୀ ଗ୍ରାମର ଛବିଲାଲ ସାହୁ ୧୩୦ କୁଇଣ୍ଟାଲ, ପୁଷ୍ପା ରାଉତ ୮୦ କୁଇଣ୍ଟାଲ, ଉଦୟଶ୍ୟାମ ପାଣ୍ଡେ ୧୨୦ କୁଇଣ୍ଟାଲ ଧାନ ବିକି ପାରୁ ନାହାନ୍ତି। ସେମାନଙ୍କ ଟୋକନ ଆସିନଥିବାରୁ ସେମାନେ ପେକ୍ସ କର୍ମଚାରୀଙ୍କୁ ପଚାରିଥିଲେ। ସେମାନଙ୍କ ପଞ୍ଜୀକରଣ ହୋଇନଥିବା ଜାଣିବା ପରେ ଆଜି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ଏନେଇ ଏଆର୍ସିଏସ୍ ଭିକାରି ସେଠୀଙ୍କୁ ପଚାରିବାରୁ ଏହି ଚାଷୀମାନଙ୍କ ଧାନ କିପରି ମଣ୍ଡିରେ ବିକ୍ରି କରିବେ ସେଉପରେ ପେକ୍ସ କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/WhatsApp-Image-2020-12-10-at-22.03.07-1.jpeg)