ନୂଆପଡ଼ା/ସମ୍ବଲପୁର/ଝାରସୁଗୁଡ଼ା: ନୂଆପଡ଼ା ଜିଲ୍ଲାରେ ଗତ୨୦ ବର୍ଷରେ ଜିଲ୍ଲାରେ ୯୫୯ ଏଡସ୍ ରୋଗୀ ଚିହ୍ନଟ ହୋଇଥିବା ବେଲେ ୨୫୯ ଜଣ ରୋଗୀ ଏଡସ୍ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବିଭାଗୀୟ ସୂଚନା ଦେଇଛି। ନୂଆପଡ଼ା ଜିଲ୍ଲାରେ ୨୦୦୩ରୁ ଚଳିତ ମାସ ନଭେମ୍ବର ମାସ ସୁଦ୍ଧା ଜିଲ୍ଲାରେ ୯୫୯ ଜଣ ଏଡସରେ ଅକ୍ରାନ୍ତ ଥିବା ବେଲେ ୬୧୯ ଜଣ ଏଡ଼ସ ରୋଗର ଔଷଧ ଖାଉଥିବା ବେଳେ ୮୧ ଜଣ ଏଡସ୍ ରୋଗୀଙ୍କ ପତ୍ତା ମିଳି ନଥିବାରୁ ୪୦୧ ଜଣ ମଧୁବାବୁ ପେନସନ ପାଉଥିବା ବିଭାଗୀୟ ପକ୍ଷରୁ ଜଣାପଡିଛି।

Advertisment

ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୫୧୨ ଜଣ ଏଡସ୍ ରୋଗରେ ଚିହ୍ନଟ ହୋଇଥିବା ବେଲେ ୩୩୬ ଜଣ ଔଷଧ ସେବନ କରୁଥିବା ବେଲେ ୧୨୨ ଜଣଙ୍କ ମୃତ୍ୟୁ ହୋଇଛି। ୫୧ ଜଣ ଏଡସ୍ ରୋଗୀଙ୍କ ଖବର ନାହିଁ। ଖରିଆର ରୋଡ଼ରେ ୨୦୦ ଜଣ ଏଡସ୍ ରେ ଆକ୍ରନ୍ତ ହୋଇଥିବା ବେଲେ୧୪୪ ଜଣ ଔଷଧ ସେବନ କରୁଥିବା ବେଲେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣଙ୍କ ପତ୍ତା ମିଳୁନି। ଏଣେ ୮୯ ଜଣ ପେନସନ ପାଉଛନ୍ତି। ସିନାପାଲି ବ୍ଳକରେ ୨୧ ଜଣ ଆକ୍ରନ୍ତ ହୋଇଥିବା ବେଳେ ୧୩ ଜଣ ଔଷଧ ନେଇଛନ୍ତି ୬ ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ୨ ଜଣଙ୍କ ପତ୍ତା ମିଳୁନି। ୧୨ ଜଣ ପେନସନ ପାଉଛନ୍ତି। ଖଡ଼ିଆଳ ବ୍ଳକରେ ୧୫୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬୫ ଜଣ ଔଷଧ ନେଉଛନ୍ତି ୪୭ ଜଣ ମୃତ୍ୟୁବରଣ କରିଥିବା ବେଲେ ୩ ଜଣଙ୍କ ପତ୍ତା ମିଳୁନି। ୬୪ ଜଣ ପେନସନ ପାଉଛନ୍ତି। ସେହିପରି ଜିଲ୍ଲା ବାହାରେ ଯାଇ ଏଡସ୍ ପରୀକ୍ଷାରେ ୧୧୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬୧ ଜଣ ଔଷଧ ନେଇଛନ୍ତ ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଖବର ପତ୍ତା ମିଳୁନି। ୪୩ ଜଣ ପେନସନ ପାଉଛନ୍ତି। ସେପରି ଜିଲ୍ଲାରେ ସଂକ୍ରମଣରେ ତାଲିକାରେ (ସି) ବର୍ଗରେ ରହିଥିବା ଜଣାପଡିଛି। ଏଡସ୍ ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ିଥିବା ବେଳେ ନିଖୋଜ ଥିବା ୮୧ ଜଣ ବର୍ତ୍ତମାନ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତାରେ ପକାଇଛି।

ସମ୍ବଲପୁର ଜିଲ୍ଲାରେ ଏଚ୍‌ଆଇଭି ନେଲାଣି ୪୭୭ ଜୀବନ

ସମ୍ବଲପୁର ଜିଲ୍ଲାରେ ଏଡ୍‌ସ ନେଲାଣି ୪୭୭ ମୁଣ୍ଡ। ତେବେ, ଏଚ୍‌ଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ସମ୍ବଲପୁର ଜିଲ୍ଲାରେ ସାଂଘାତିକ ଭାବେ ବଢ଼ିବାରେ ଲାଗିଛି। ବର୍ଷେ ମଧ୍ୟରେ ୪୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।
ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଗତ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲାରେ ୪୬୫ ଜଣ ଏଡ୍‌ସ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହି ଅବଧି ମଧ୍ୟରେ ଏଚ୍‌ଆଇଭିରେ ସର୍ବମୋଟ ୩୯୫୭ ଜଣ ଆକ୍ରାନ୍ତ ହୋଇଥିଲେ। ତେବେ, ଅକ୍ଟୋବର ୨୦୨୩ ସୁଦ୍ଧା ଜିଲ୍ଲାରେ ଏଥିରେ ୪୭୭ ଜଣ ଏଡ୍‌ସ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬୯୭ ଜଣ ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଛନ୍ତି। ଅର୍ଥାତ ଏହି ଅବଧି ମଧ୍ୟରେ ୧୨ ଜଣ ମୃତ୍ୟୁ ଘଟିଛି। କିନ୍ତୁ, ୭୪୦ ଜଣ ନୂଆ ଲୋକ ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାର ୬ଟି ଆଇସିଟିସି କେନ୍ଦ୍ରରେ ଏଚ୍‌ଆଇଭି ପରୀକ୍ଷା କରାଯାଉଛି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରରେ ଏପର୍ଯ୍ୟନ୍ତ ୬୭୦ ଜଣ ପୁରୁଷ, ୧୨ ଜଣ କିନ୍ନର, ୨୧୦ ଜଣ ସାଧାରଣ ମହିଳା ଓ ୭୬ ଜଣ ଗର୍ଭବତୀ ମହିଳା ଏଚ୍‌ଆଇଭି ଦ୍ବାରା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। ସେହିପରି ବୁର୍ଲା ଭିମ୍‌ସାରର ପ୍ରଥମ କେନ୍ଦ୍ରରେ ୧୬୨୭ ଜଣ ପୁରୁଷ, ୧୦ ଜଣ କିନ୍ନର, ୭୪୮ ଜଣ ସାଧାରଣ ମହିଳା ଏବଂ ଦ୍ବିତୀୟ କେନ୍ଦ୍ରରେ ୮୨୧ ଜଣ ପୁରୁଷ, ୫ ଜଣ କିନ୍ନର, ୨୯୫ ଜଣ ସାଧାରଣ ମହିଳା ଓ ୭୫ ଜଣ ଗର୍ଭବତୀ ମହିଳା ଏହି ରୋଗରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। ରେଢ଼ାଖୋଲ କେନ୍ଦ୍ରରେ ୭୨ ଜଣ ପୁରୁଷ, ୧୪ ଜଣ କିନ୍ନର, ୧୬ ଜଣ ସାଧାରଣ ମହିଳା ଓ ୧୫ ଜଣ ଗର୍ଭବତୀ ମହିଳା, କୁଚିଣ୍ଡା କେନ୍ଦ୍ରରେ ୧୬ ଜଣ ପୁରୁଷ, ୫ ଜଣ ସାଧାରଣ ମହିଳା ଓ ୪ ଜଣ ଗର୍ଭବତୀ ମହିଳା ଏବଂ ଲଇଡ଼ା କେନ୍ଦ୍ରରେ ୪ ଜଣ ପୁରୁଷ ଏବଂ ୨ ଜଣ ସାଧାରଣ ମହିଳା ଏଚ୍‌ଆଇଭି ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। ବୁର୍ଲା ଭିମ୍‌ସାରକୁ ସମ୍ବଲପୁର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ସୀମାନ୍ତ ଅଂଚଳର ରୋଗୀ ଆସିଥିବାରୁ ସେଠାକାର ଦୁଇଟି କେନ୍ଦ୍ରରେ ଅଧିକ ସଂଖ୍ୟକ(ସର୍ବମୋଟ ୩୫୭୧ ଜଣ) ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଥିବା କହାଯାଇଛି। ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ସରକାରଙ୍କ ପକ୍ଷରୁ ଏଆର୍‌ସି କେନ୍ଦ୍ର ଜରିଆରେ ମାଗଣା ଔଷଧ ଯୋଗାଇବା ସହିତ ଅନ୍ୟ କେତେକ ସୁବିଧା ବି ପ୍ରଦାନ କରାଯାଉଛି। ତ‌େବେ, ଏହି ୬ଟି କେନ୍ଦ୍ରରୁ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୪୬୯୭ ଜଣ ଏଚ୍ଆଇଭି ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୪୦୪୯ ଜଣ ବୁର୍ଲା ଏଆର୍‌ଟି କେନ୍ଦ୍ରରୁ ଔଷଧ ନେଉଛନ୍ତି। ୪୭୭ ଜଣ ମୃତ୍ୟୁ ବ୍ୟକ୍ତିଙ୍କୁ ଛାଡ଼ି ଦେଲେ ଅନ୍ୟମାନେ ଔଷଧ ସେବନ କରୁନଥିବା ଆଶଙ୍କା କରାଯାଉଛି। ତେବେ, ନିୟମିତ ଔଷଧ ସେବନ ଦ୍ବାରା ମୃତ୍ୟୁହାର ପୂର୍ବାପେକ୍ଷା ହ୍ରାସ ପାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୦,୮୮୬ ଜଣ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧,୬୮୭ ଜଣଙ୍କ ମୃତ୍ୟୁ ଘଟିଲାଣି। ୪୭,୩୯୦ ଜଣ ଆକ୍ରାନ୍ତଙ୍କୁ ଏଆର୍‌ଟି କେନ୍ଦ୍ରରୁ ଔଷଧ ଯୋଗାଇ ଦିଆଯାଉଛି। ଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ୧୯୩୧ ଜଣ ଏହି ରୋଗୀଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ କହୁଛି।

୪୪ ପ୍ରତିଶତ ଆକ୍ରାନ୍ତ ପାଉନାହାନ୍ତି ଭତ୍ତା

ଝାରସୁଗୁଡ଼ା: ଶିଳ୍ପବହୁଳ ଜିଲ୍ଲା ଝାରସୁଗୁଡ଼ାରେ ଏଡ୍‌ସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୦୦୨ ମସିହାରୁ ଗତ ଅକ୍ଟୋବର ମାସ ଯାଏ ଜିଲ୍ଲାରେ ମୋଟ୍‌ ୫୧୪ ଜଣ ଏଡ୍‌ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ମାସିକ ୫୦୦ ଟଙ୍କା ଭତ୍ତା ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଜିଲ୍ଲାରେ ୫୬ ପ୍ରତିଶତ ଅର୍ଥାତ୍‌ ୨୮୮ ଜଣ ଆକ୍ରାନ୍ତ ଏହି ଯୋଜନା ଅନ୍ତର୍ଗତ ଭତ୍ତା ପାଉଥିବା ବେଳେ ଅନ୍ୟ ୪୪ ପ୍ରତିଶତ ଆକ୍ରାନ୍ତ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏଡ୍‌ସ ବିଭାଗରେ ଯୋଗାଯୋଗ କରିବାରେ, ଅନେକ ଆକ୍ରାନ୍ତ ସାମାଜିକ ଲଜ୍ଜା ଭୟରେ ଏହି ଯୋଜନାରେ ସାମିଲ୍‌ ହେବାକୁ ଇଚ୍ଛା ପ୍ରକାଶ କରୁନଥିବା ଉତ୍ତର ମିଳିଛି।

ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୧ ବର୍ଷରେ ମୋଟ ୪୭ ଲକ୍ଷ ୮୫ ହଜାର ୫୭୨ ଜଣଙ୍କର ଏଚ୍‌ଆଇଭି ପାଇଁ ରକ୍ତ ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୪ ଜଣ ତୃତୀୟ ଲିଙ୍ଗୀ, ୩୫୪ ଜଣ ପୁରୁଷ, ୯୮ ଜଣ ମହିଳା ଓ ୪୮ ଜଣ ଗର୍ଭବତୀ ରହିଛନ୍ତି। ସମସ୍ତ ୫୧୪ ଜଣ ଆକ୍ରାନ୍ତ ଏଆର୍‌ଟି କେନ୍ଦ୍ର ସହିତ ଯୋଡ଼ା ଯାଇଥିବା ବେଳେ ୫୪ ଜଣ ସେଠାକୁ ଯିବାପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ବର୍ତ୍ତମାନ ସୁଦ୍ଧା ୨୭୨ ଜଣ ଆକ୍ରାନ୍ତ ଏଆର୍‌ଟି କେନ୍ଦ୍ରରୁ ଔଷଧ ସେବନ କରୁଛନ୍ତି। ୧୦୬ ଜଣ ଆକ୍ରାନ୍ତ ଅନ୍ୟ ରାଜ୍ୟକୁ ଚାଲି ଯାଇଥିବା ବେଳେ ୭୭ ଜଣଙ୍କର ଅଦ୍ୟାବଧି ମୃତ୍ୟୁ ହେଲାଣି। ବିଶେଷ କରି ଏଆର୍‌ଟି କେନ୍ଦ୍ର ଯିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ତଥା ନିୟମିତ ଔଷଧ ସେବନ କରୁନଥିବା ଆକ୍ରାନ୍ତଙ୍କର ହିଁ ମୃତ୍ୟୁ ଘଟୁଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ୨୦୨୦ ମସିହାରେ ଜିଲ୍ଲାରେ ୨୯ ଜଣ, ୨୦୨୧ରେ ୪୦ ଜଣ, ୨୦୨୨ରେ ୪୭ ଜଣ ଓ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଝାରସୁଗୁଡ଼ା ଜେଲ୍‌ରେ ହିଁ ୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କିଛି କଲେଜର ଛାତ୍ରଛାତ୍ରୀ ମଧ୍ୟ ଏହି ତାଲିକାରେ ରହିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଶିଳ୍ପାନୁଷ୍ଠାନ ଓ ଖଣି ଖାଦାନରେ କାମ କରିବାକୁ ଆସୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହୁଥିବା ଜଣାପଡ଼ିଛି। ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡ଼ିକ ଆଗ୍ରହ ଦେଖାଉ ନଥିବାରୁ ଜିଲ୍ଲାରେ ଏଚ୍‌ଆଇଭି ପରୀକ୍ଷା ହାର ଯଥେଷ୍ଟ କମ୍‌ ରହିଛି। ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାରେ ମାତ୍ର ୪୩ ପ୍ରତିଶତ ପରୀକ୍ଷା ହୋଇଥିବା ବେଳେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଶତ ପ୍ରତିଶତ ପରୀକ୍ଷା ହେଲେ ଏହି ସଂଖ୍ୟା ଦ୍ବିଗୁଣିତ ହେବାର ସମ୍ଭାବନା ରହିଛି।

କେବଳ ଯେ ଏଡ୍‌ସ ନୁହେଁ ବରଂ ସିଫିଲିସ୍‌ ବା ସେକ୍ସୁଆଲ୍‌ ଟ୍ରାନ୍ସମିଟେଡ୍‌ ଡିଜିଜ୍‌ (ଯୌନକ୍ରିୟାରେ ବ୍ୟାପୁଥିବା ରୋଗ)ର ଆକ୍ରାନ୍ତଙ୍କ ସଂଖ୍ୟା ବି ଜିଲ୍ଲାରେ ଯଥେଷ୍ଟ ଅଧିକ ରହିଛି। ୨୦୦୮ରୁ ଅଦ୍ୟାବଧି ଜିଲ୍ଲାରେ ୧୨୩୨୪ ଜଣଙ୍କର ସିଫିଲିସ୍‌ ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ୬୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୪୨୪ ଜଣ ପୁରୁଷ, ୧୨୫ ଜଣ ମହିଳା, ୧୯ ଜଣ ତୃତୀୟ ଲିଙ୍ଗୀ, ୬୪ ଜଣ ଗର୍ଭବତୀ ରହିଛନ୍ତି। ବିଶେଷ କରି ଯୁବଗୋଷ୍ଠୀଙ୍କ ସଂଖ୍ୟା ଏହି ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ରହିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।