ହରିଆଣାରୁ ବଣ୍ଟି ଅଗ୍ରୱାଲ ଓ ବାପା, ସ୍ତ୍ରୀ ଗିରଫ

ଟିଡିଆର୍‌ ଚଞ୍ଚକତା ମାମଲା

ଭବାନୀପାଟଣା/ ନୂଆପଡ଼ା: ବହୁ ଚର୍ଚ୍ଚିତ ଟିଡିଆର ଚଞ୍ଚକତା ମାମଲାର ମୁଖ୍ୟଅଭିଯୁକ୍ତ ବଣ୍ଟି ଅଗ୍ରୱାଲଙ୍କ ସହ ତାଙ୍କ ପତ୍ନୀ ସବିତା ଅଗ୍ରଓ୍ଵାଲ ଓ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରଓ୍ଵାଲଙ୍କୁ ସୋମବାର ନୂଆପଡ଼ା ପୁଲିସ ହରିଆଣାରୁ ଗିରଫ କରିଛି। ସଂପୃକ୍ତ ୩ ଜଣଙ୍କୁ ସେଠାକାର କୋର୍ଟରେ ହାଜର କରାଯିବା ପରେ ନୂଆପଡା ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣୁଥିବା ଜଣାଯାଇଛି।

ରାଜ୍ୟର କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟଉନ୍ନୟନ ବିଭାଗରେ ଜାଲ ଟିଡିଆର ଚଞ୍ଚକତା କରି କୋଟି କୋଟି ଟଙ୍କା ଟେଣ୍ଡର ହାତେଇବା ଘଟଣା ଗତ ଅକ୍ଟୋବର ମାସରେ ‘ସମ୍ବାଦ’ ମାଧ୍ୟମରେ ପ୍ରଥମେ ଲୋକଲୋଚନକୁ ଆସିଥିଲା । ଗତ ଅକ୍ଟୋବର ୭ ତାରିଖରେ କଳାହାଣ୍ଡି ପୂର୍ତ୍ତ ବିଭାଗ ପକ୍ଷରୁ ୪୮ଟି ନକଲି ଟିଡିଆର ଦାଖଲ କରି ୨କୋଟି ୩୧ ଲକ୍ଷ ଟଙ୍କା ଠକେଇ ହୋଇଥିବା ନେଇ ଭବାନୀପାଟଣା ଟାଉନଥାନାରେ ସୁପର କ୍ଲାସ ଠିକାଦାର ବଣ୍ଟି ଅଗ୍ରୱାଲ ବିରୋଧରେ ମାମଲା ରୁଜୁ ହୋଇଥିଲା । ଥାନାରେ ମାମଲା ହେବାପରେ ସେ ଆତ୍ମଗୋପନ କରିଥିଲେ । ପରେ ଖରିଆର, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର ଥାନାରେ ମାମଲା ପରେ ମାମଲା ରୁଜୁ ହୋଇଥିଲା ।

ଏହି ଘଟଣାରେ ବଣ୍ଟି ଅଗ୍ରୱାଲର ସ୍ତ୍ରୀ ସବିତା ଦେବୀ ଅଗ୍ରୱାଲ ଓ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲଙ୍କ ବିରୋଧରେ ବିଭିନ୍ନ ଥାନରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣା ନେଇ ରାଜ୍ୟ ପୁଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଏସପି ସ୍ମିତ ପି. ପରମାରଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା । ବଣ୍ଟି ଅଗ୍ରୱାଲ ହରିଆଣାରେ ଆତ୍ମଗୋପନ କରିଥିବା ଖବର ପାଇ ଏହି ଟିମ ହରିଆଣା ଯାଉଥିଲେ। ସୋମବାର ବଣ୍ଟି ଅଗ୍ରୱାଲଙ୍କୁ ପୁଲିସ ଠାବ କରି ଗିରଫ କରିବାରେ ସଫଳ ହୋଇଥିଲା । ବଣ୍ଟିଙ୍କୁ ପଚରା ଉଚୁରା କରି ତାଙ୍କ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲ ଓ ସ୍ତ୍ରୀ ସବିତାଦେବୀ ଅଗ୍ରୱାଲଙ୍କୁ ମଧ୍ୟ ଠାବ କରି ପୁଲିସ ଗିରଫ କରିଥିଲା ।

 

ସମ୍ବନ୍ଧିତ ଖବର