ମାଗୁରପାନି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପୁରସ୍କୃତ

ନୂଆପଡ଼ା: ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁୁ ୨୦୧୭-୧୮ ବର୍ଷ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ପାଇଁ ମାଗୁରପାନି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଛି। ଏ ନେଇ ଶୁକ୍ରବାର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ସଭାରେ ଡିଇଓ ଲକ୍ଷ୍ମଣ ଭୋଇ ଓ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ମହେଶ ଦଣ୍ଡସେନା ଏହି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳକଣ୍ଠ ସୁନା ଓ ଖେଳ ଶିକ୍ଷକ ମହାତାପ ଆଡ଼ଜୁଆଡ଼ଙ୍କୁ ପୁରସ୍କୃତ କରିବା ସହ ୧୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ଏହି ଅବସରରେ କିଶୋର ପରିଡା, ପ୍ରଶାନ୍ତ ପ୍ରଧାନୀ, ବରିଷ୍ଠ କିରାଣି ଶ୍ରୀ ଶବର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ, ୨୦୧୭-୧୮ ଶିକ୍ଷା ବର୍ଷରେ ଏହି ସ୍କୁଲର ୪୧ ଜଣ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ବିଭିିନ୍ନ ଖେଳରେ ଓ ୧୦ଜଣ ଜାତୀୟ ସ୍ତରରେ ଖେଳ ପ୍ରଦର୍ଶନ କରିଥିଲେ। ରାଜ୍ୟସ୍ତରୀୟ ବାଳିକା କବାଡ଼ି ପ୍ରତିଯୋଗିତାରେ ଜିଲ୍ଲାର ଦଳ ଚାମ୍ପିଅନ ହୋଇଥିବା ବେଳେ ଏଥିରେ ଏହି ସ୍କୁଲର ୬ଜଣ ଛାତ୍ରୀ ଥିଲେ। ରାଜ୍ୟସ୍ତରୀୟ ବାଳକ ବିଭାଗର କବାଡ଼ି ଚାମ୍ପିଅନ୍‌ସିପ୍‌ରେ ଜିଲ୍ଲାର ଦଳ ରନର୍ସଅପ୍‌ ହୋଇଥିବା ବେଳେ ୩ଜଣ ଖେଳାଳି ଏହି ସ୍କୁଲର ଥିଲେ। ରାଜ୍ୟ ଚୋଇକୋଣ୍ଡୋ ଚାମ୍ପିଅନସିପ୍‌ରେ ୫ଜଣ ସ୍ୱର୍ଣ୍ଣ ଓ ୨ଜଣ ରୌପ୍ୟ ଓ ଜଣେ ବ୍ରୋଞ୍ଜ ପଦକ ପାଇଥିଲେ।

ସେହିପରି ଜାତୀୟସ୍ତର କବାଡ଼ିରେ ୫ଜଣ ଖେଳାଳି ମନୋନୀତ ହୋଇଥିଲେ। ଜାତୀୟ ଚୋଇକାଣ୍ଡୋ ମାର୍ସଲଆର୍ଟରେ ଛତିଶଗଡ଼ର ବିଲାସପୁରରେ ବିଦ୍ୟାଲୟରୁ ଭାଗନେଇଥିବା କୁମାରୀ ଧରିତ୍ରୀ ରାଉତ ରୌପ୍ୟ ପଦକ ଓ ଯୁନେଶ୍ୱର ରାଉତ ବ୍ରୋଞ୍ଜ ପଦକ ପାଇଥିଲେ। ଖେଳ ଶିକ୍ଷକ ମହତାପ ଆଡଜୁଆଡଙ୍କ ଉଦ୍ୟମ ଯୋଗୁଁ ୩ବର୍ଷ ଧରି ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ ହୋଇଆସୁଛି। ଏ ଯାଏଁ ବିଦ୍ୟାଳୟରୁ ୧୨୧ଜଣ ରାଜ୍ୟସ୍ତରୀୟ ଓ ୨୧ଜଣ ଜାତୀୟସ୍ତର ପ୍ରତିଯୋଗିତାରେ ଭାଗ ନେଇ ୪ଟି ଜାତୀୟ ପଦକ ପାଇ ସାରିଛନ୍ତି।

ସମ୍ବନ୍ଧିତ ଖବର