ନୂଆପଡ଼ା: ଭାଲୁ କାମୁଡ଼ାରେ ଚାଷୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୂଆପଡ଼ା: ଦିନ ଦ୍ୱିପ୍ରହରରେ ଜଣେ ଚାଷୀ ଭାଲୁ ଆକ୍ରମଣର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଜଙ୍କ ଥାନା ଅନ୍ତର୍ଗତ ମୁଢ଼େଳା ଗ୍ରାମର ମହେଶ ମାଝୀ(୫୫) ଶୁକ୍ରବାର ଅପରାହ୍ନ ୧ଟାରେ ନିଜର ଚିନାବାଦାମ ବିଲରେ କାମ କରୁଥିଲେ। ଖରିଆରରୋଡ଼ ରେଞ୍ଜ ଥାନା ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଏହି ସମୟରେ ଏକ ଜଙ୍ଗଲି ଭାଲୁ ଆକ୍ରମଣ କରିଥିଲା। ମହେଶକୁ କ୍ଷତବକ୍ଷତ କରିବା ପରେ ଭାଲୁ ଜଙ୍ଗଲ ଅଭିମୁଖେ ଚାଲି ଯାଇଥିଲା। ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ମହେଶଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ମହେଶର ଅବସ୍ଥା ଗୁରତର ଅଛି।

ଗତ ସପ୍ତାହରେ ଜୁନାନି ଗ୍ରାମରେ ଜଣେ ମହିଳା ଶୌଚ ପାଇଁ ଯାଇଥିବା ବେଳେ, ଏକ ଜଙ୍ଗଲି ଭାଲୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମହିଳା ଗୁରୁତର ହୋଇଥିଲେ। ନୂଆପଡ଼ା ଜିଲ୍ଲାରେ ଭାଲୁ ଆକ୍ରମଣ ଭଳି ଅଭାବନୀୟ ଘଟଣା ବାରମ୍ବାର ଦେଖାଯାଉଛି। ବନ ବିଭାଗର ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକାର ମିଳୁ ନାହିଁ। ଓଲଟ ବିଭାଗୀୟ କର୍ମଚାରୀମାନେ ଘଟଣା ପାଇଁ ଲୋକଙ୍କୁ ଦାୟୀ କରୁଛନ୍ତି।

ନୂଆପଡ଼ାରେ ଭାଲୁ ଆକ୍ରମଣ ଭଳି ଘଟଣା ପାଇଁ ବେଆଇନ ଭାବରେ ପଥର ଖଣିରେ ଉତ୍ତୋଳନ ବୋଲି କୁହାଯାଉଛି। ଖଣି ମାଫିଆ ଓ ପଥର ବ୍ୟବସାୟୀମାନେ ଗୋଟିଏ ସ୍ଥାନରେ ଠିକା ନେଇ ଅନ୍ୟ ସ୍ଥାନରେ ପଥର ଖଣି ଉତ୍ତୋଳନ କରୁଛନ୍ତି। କ୍ରସର ମିଲର ଶବ୍ଦ ଯୋଗୁଁ ଭାଲୁମାନେ ଜଙ୍ଗଲ ଛାଡି ବସ୍ତି ଓ ସହରାଭିମୁଖୀ ହେଉଛନ୍ତି।

ସମ୍ବନ୍ଧିତ ଖବର