ସ୍କୁଲ ନିକଟରେ ଚାଲିଛି ଚିରଞ୍ଜି କାରଖାନା:ବସ୍ତି ବାସିନ୍ଦାଙ୍କ ଗୁହାରି ଶୁଣୁନି ପ୍ରଶାସନ

ନୂଆପଡ଼ା: ଖରିଆର ରୋଡ଼ସ୍ଥିତ ୱାର୍ଡ ନଂ.୫ ଜନଗହଳିପୂର୍ଣ୍ଣ ବସ୍ତି ଏବଂ ଶିକ୍ଷାନୁଷ୍ଠାନ ନିକଟରେ ଚାଲିଥିବା ଶିଳ୍ପ ପ୍ରତିଷ୍ଠାନକୁ ବିରୋଧ କରି ବସ୍ତି ବାସିନ୍ଧା ପ୍ରଶାସନର ବାରମ୍ଭାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୈାଣସି ସୁଫଳ ମିଳି ପାରି ନାହିଁ। ସବୁ ନିୟମକୁ ଉଲ୍ଲଂଘନ କରି ସରସ୍ୱତୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏହି ଚିରଞ୍ଜି (ଚାହାର) ପିଲିଙ୍ଗ କାରଖାନା ଚାଲିଥିବା ଚର୍ଚ୍ଚାର ବିଷୟ ହୋଇଛି। ଏହା ଉପରେ ତଦନ୍ତ କରିବା ସହ ଏହାକୁ ତୁରନ୍ତ ବନ୍ଦ କରିବାକୁ ବସ୍ତି ବାସିନ୍ଦା ଦାବି କରିଛନ୍ତି। ନହେଲେ ମହିଳା ସଙ୍ଗଠନ ସମୂହ ଆନ୍ଦୋଳନ କରିବେ ବୋଲି ସଜବାଜ ହେଉଛନ୍ତି।

ସେମାନଙ୍କ ଅଭିଯୋଗ ଅନୁସାରେ, ଖରିଆର ରୋଡ଼ ଡାଗା ଚୌକ ନିକଟରେ ଶଙ୍କରଲାଲ ସଙ୍କଲେଚା ନାମକ ଜଣେ ବ୍ୟବସାୟୀ ଏକ ଚିରଞ୍ଜି ପିଲିଙ୍ଗ ପ୍ଲାଣ୍ଟ ପ୍ରସ୍ତୁତ କରି ୪-୫ ବର୍ଷ ହେବ ଚଳାଇ ଆସୁଛନ୍ତି। ଜନଗହଳିପୂର୍ଣ୍ଣ ବସ୍ତି ରହିଥିବା ବେଳେ ନିକଟରେ ସରସ୍ୱତୀ ପ୍ରାଥମିକ ବିଦ୍ୟାଳୟ ଏବଂ ଏକ ବେସରକାରୀ ମହିଳା କଲେଜର କ୍ୟାମ୍ପସ ରହିଛି। ସବୁବେଳେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହା ଉପରେ ବସ୍ତି ବାସିନ୍ଦାଙ୍କ ତରଫରୁ ଡା. ଦୀନେଶ ଚନ୍ଦ୍ରକାର, ସଞ୍ଜୟ ଗୌଡ଼, ରିତିଶ ଗୋୟଲ, ସଚିନ ଗୋୟଲ, ରତନଲାଲ ଗୋୟଲ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ବିଭିନ୍ନ ସମୟରେ ଦାବି କରିଆସୁଛନ୍ତି। ହେଲେ ପ୍ରଶାସନ ତରଫରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଖରିଆରରୋଡ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ନାଥ ମହାରଣାଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତିକରି ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର