କ୍ୟାନସର ପୀଡ଼ିତାଙ୍କୁ ଜିଲ୍ଲାପାଳଙ୍କ ସହାୟତା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାପାଳ ଡା. ପୋମା ଟୁଡ଼ୁ ବୁଧବାର ଜଣେ କ୍ୟାନସର ପୀଡ଼ିତାଙ୍କୁ ସହାୟତା କରିଛନ୍ତି। ତାଙ୍କ ନିର୍ଦେଶରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆବଶ୍ୟକ ପରୀକ୍ଷା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯିବା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆବଶ୍ୟକ ସହାୟତା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି।
ଖଡ଼ିଆଲ ଥାନା ଗୋଡ଼ଧୁଆପଦର ଗାଁର ଗଗନେଶ୍ୱର ଶବରଙ୍କ କହିବା ଅନୁସାରେ, ତାଙ୍କ ସ୍ତ୍ରୀ ପ୍ରେମଶିଳା ଶବର ୨ ବର୍ଷ ତଳେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଖଡ଼ିଆଲ ମିସନ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଥିଲା। ପରେ ପୁଣି ତାଙ୍କ ବେକରେ କ୍ୟାନସର ହୋଇଥିଲା। ଫଳରେ ତାଙ୍କୁ ଖଡ଼ିଆଳ ସିଏଚ୍‌ସିରେ ଚିକିତ୍ସା କରାଇଥିଲେ। ଡାକ୍ତର ତାଙ୍କୁ କଟକ ଯିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପକ୍ଷରେ ଏହା ସମ୍ଭବ ନଥିବାରୁ ସେ ଅନ୍ୟ ଉପାୟ ନପାଇ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିଲେ। ଜିଲ୍ଲାପାଳ ଡା. ଟୁଡୁ ତାଙ୍କ ଦୁଃଖ ଶୁଣିବା ପରେ ଏନେଇ ସିଡିଏମଓ ଡା. ଜଗଦୀଶ ମହାନନ୍ଦଙ୍କୁ ଫୋନ ଯୋଗେ ଉକ୍ତ ମହିଳାଙ୍କ ଚିକିତ୍ସା ଠିକ୍‌ ଭାବେ କରିବାକୁ ନିର୍ଦେଶ ଦେଇଥିଲେ। ଗଗନେଶ୍ୱର ଓ ତାଙ୍କ ସ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ସିଡିଏମଓଙ୍କୁ ଦେଖା କରିଥିଲେ। ସିଡିଏମଓ ଡା. ମହାନନ୍ଦ ସେଠାରେ ଥିବା ବିଭାଗୀୟ ଡାକ୍ତରଙ୍କୁ ତାଙ୍କର ବିଭିନ୍ନ ଯାଂଚ କରିବାକୁ କହିଥିଲେ। ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରି ତାଙ୍କର କିପରି ସହଯୋଗ କରାଯାଇ ପାରିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଡା. ମହାନନ୍ଦ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର