ନିମ୍ନମାନର ଗାଡୁଆଳ ନିର୍ମାଣକାମ ବର୍ଷାରେ ଭାଙ୍ଗିଗଲା: ନିରପେକ୍ଷ ତଦନ୍ତ ଦାବି କଲେ ଅଞ୍ଚଳବାସୀ

ନୂଆପଡ଼ା: ସଦର ବ୍ଲକ ଧରମବନ୍ଧା ଓ ପତୋରା ମଧ୍ୟସ୍ଥ ଜୋଙ୍କ ନଦୀରେ ନିମ୍ନମାନର ଗାଡୁଆଲ ନିର୍ମାଣ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ସାମାନ୍ୟ ବର୍ଷାରେ ନିର୍ମାଣାଧୀନ ଗାଡୁଆଳ ଭାଙ୍ଗିଯାଇଛି। ଏହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ସଦର ବ୍ଲକ ପତୋର ଅପର ଜୋଙ୍କ ଜଳସେଚନ ବିଭାଗ ଅଧୀନରେ ପତୋରା ଓ ଧରମବନ୍ଧା ମଧ୍ୟସ୍ଥ ଜୋଙ୍କ ନଦୀରେ କୂଳ ଖାଇବାକୁ ରକ୍ଷା ପାଇବା ପାଇଁ ଗାଡୁଆଲ ନିର୍ମାଣ କରିବାକୁ ବହୁ ନଦୀରୁ ଦାବି ହୋଇ ଆସୁଥିଲା।

ଚଳିତ ବର୍ଷ ପତୋରା ଓ ଧରମବନ୍ଧା ରାସ୍ତାରେ ଜୋଙ୍କ ନଦୀର ବ୍ରିଜ କାମ ମଧ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜଳସେଚନ ବିଭାଗ ତରଫରୁ ୧୫ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଗାଡୁଆଳ ନିର୍ମାଣ କରିବାକୁ ଅର୍ଥ ମଂଜୁର ହୋଇଥିଲା। ଗତ ସପ୍ତାହରେ ଜୋଙ୍କ ନଦୀ ପୋଲର ଡାହାଣ ପାଶ୍ବରେ ଗାଡୁଆଳ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଗାଡୁଆଳ ନିର୍ମାଣରେ କାମରେ ଆବଶ୍ୟକତା ଠାରୁ କମ୍ ପରିମାଣର ଗାତ ଖୋଳି ଗାଡୁଆଳ ନିର୍ମାଣ କରିଥିଲେ। ଏଥିରେ ଗାଡୁଆଳ କାମ ପ୍ରାୟ ସମ୍ପୂର୍ଣ୍ଣ ହେବା ସ୍ଥିତିରେ ରହିଥିବା ବେଳେ ଫିନିସିଂ କାମ ହୋଇ ପାରିନାହିଁ।

ବିଭାଗୀୟ ଅଧିକାରୀଙ୍କୁ ହାତ ବାରିଶି କରି ସମ୍ପୃକ୍ତ ଠିକାଦାର ନିଜ ମନମୁଖି କରି ନିମ୍ନମାନର କାମ କରିଥିଲେ। ଏମିତିକି ବିଭାଗୀୟ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀଙ୍କ ସଠିକ ତଦାରଖ ଅଭାବରୁ ସମ୍ପୃକ୍ତ ଠିକାଦାର ମନମଜିର୍ରେ କାମ କରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଭଳି ନିମ୍ନମାନର ବ୍ୟାପକ ଅନିମିତତା ହୋଇଥିଲା। ଗତ ବୁଧବାର ରାତିରେ ଧରମବନ୍ଧା ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଥିଲା। ଏହି ବର୍ଷା ପାଣି ଉପର ମୁଣ୍ତରୁ ଗାଡୁଆଳ ଦେଇ ଜୋଙ୍କ ନଦୀକୁ ପ୍ରଦେଶ କରିଥିଲା। ଏହି ସମୟରେ ବର୍ଷା ପାଣିରେ ପ୍ରାୟ ୩୦ ଫୁଟ ଗାଡୁଆଳ ଭାଙ୍ଗି ନଦୀରେ ମିଶି ଯାଇଥିଲା। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଲାଭଖୋର ନୀତି ଯୋଗୁଁ ନିର୍ମାଣାଧୀନ ଗାଡୁଆଳ ସାମାନ୍ୟ ବର୍ଷା ପାଣିରେ ଧୋଇ ଯାଇଛି। ବିଭାଗୀୟ ଅଧିକାରୀ ଓ ଠିକାଦାର ମଧୁଚନ୍ଦ୍ରିକା କରି ନିମ୍ନ ମାନର କାମ କରି ସରକାରୀ ଅନୁଦାନକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।

ଏଭଳି ନୂଆପଡ଼ା ଜଳ ସେଚନ ବିଭାଗରେ ବର୍ଷ ବର୍ଷ ଧରି ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇ ଆସୁଥିଲେ ବି ଜିଲ୍ଲା ପ୍ରଶାସନ କୌଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏଭଳି ଜଳ ସେଚନ ବିଭାଗର ସବୁ ଦୁନୀର୍ତିକୁ ଜିଲ୍ଲା ପ୍ରଶାସନ ଆଖି ବୁଜି ଦେଇଥିଲା। ଏବେ ଏକ ନିର୍ମାଣଧୀନ ଗାଡୁଆଳ ଅସରାଏ ବର୍ଷାରେ ଭାଙ୍ଗିଯିବା ନିମ୍ନମାନର କାମ କରି ବିଭାଗୀୟ ଅଧିକାରୀଙ୍କ ପିସି ଖୋର ମନୋଭାବ ପଦାରେ ପଡିଛି। ଏହି ଦୁନୀର୍ତିର ନୀରପେକ୍ଷ ତଦନ୍ତ କରି ଦୋଷୀ ଅଧିକାରୀ ଓ ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନରେ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଇଂ ଗୌରାଙ୍ଗ ଚରଣ ସାହୁଙ୍କୁ ପଚାରିବାରୁ ଏହା ପ୍ରାୟ ୧୫ ଲକ୍ଷ ଅଟକଳର ଟେଣ୍ତର କାମ ଓ ନିର୍ମାଣାଧୀନ ଅବସ୍ଥାରେ ଭାଙ୍ଗି ଯାଇଛି। ଏହି କାମର କୌଣସି ବିଲ୍ ହୋଇନାହିଁ। ଏହାକୁ ସମ୍ପୃକ୍ତ ଠିକାଦାର ସମ୍ପୂର୍ଣ୍ଣ କାମର ମରାମତି କରିବା। ନିମ୍ନମାନର କାମ ଯୋଗୁଁ ଭାଙ୍ଗି ନାହିଁ। କାମ ଚାଲିଥିବା ସମୟରେ ବର୍ଷା ହେବାରୁ ଭାଙ୍ଗି ଯାଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର