ଡୁମେରପାଣି ଉନ୍ନୀତ ହାଇସ୍କୁଲର କ୍ୟାରିଅର କାଉନସେଲିଂ

ନୂଆପଡ଼ା: ନୂଆପଡ଼ା ବ୍ଲକ ଡୁମେରପାଣି ସରକାରୀ ଉନ୍ନୀତ ହାଇସ୍କୁଲ୍‌ରେ ନବମ ଓ ଦଶମ ଶ୍ରେଣୀ ଛାତ୍ରୀଙ୍କ ପାଇଁ କ୍ୟାରିୟର କାଉନସେଲିଂ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରାଧାରମଣ ଯୋଷୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କୃଷି ବିଜ୍ଞାନ କେନ୍ଦ୍ର ପ୍ରକଳ୍ପ ସଂଯୋଜକ କ୍ଷୀରୋଦ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଏହାକୁ ଉଦ୍‌ଘାଟନ କରି କୃଷି, ମତ୍ସ୍ୟ, ଫୁଲ ଚାଷ, ଗୋ ପାଳନ କରି ଛାତ୍ରଛାତ୍ରୀ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଥିଲେ। ନୂଆପଡ଼ା ଧନ୍ଦାମୂଳକ ଶିକ୍ଷାର ଅଧ୍ୟାପିକା ରଶ୍ମିରେଖା ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୈଷୟିକ ଶିକ୍ଷାର ତାଲିମ ସଂପର୍କରେ କହିଥିଲେ। ମହାମାୟା ଜୁନିୟର କଲେଜର ହେମ ନିଆଲ, ଅଧ୍ୟାପିକା ଶ୍ରଦ୍ଧା ରାଉତ, ଫାର୍ମାସି ମୀନାକ୍ଷୀ ସାହୁ ପ୍ରମୁଖ ବିଭିନ୍ନ ବୃତ୍ତି ଉପରେ ଆଲୋଚନା କରିଥିଲେ। ଗୁରୁବାର ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଖଡିଆରରୋଡ୍‌ ଆଇଟିଆଇ ଟ୍ରେନିଂ ଅଫିସର ବିଆର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଟିଆଇର ବିଭିନ୍ନ ଟ୍ରେଡ ଓ ବିଶେଷ କରି ଛାତ୍ରୀଙ୍କ ପାଇଁ ଥିବା ସୁବିଧା ଉପରେ ବୁଝାଇଥିଲେ। ଅବସରପ୍ରାପ୍ତ ବ୍ୟାଙ୍କ ଶାଖା ପରିଚାଳକ ଅଭୟ ଶଙ୍କର ଯୋଷୀ, ଅଧ୍ୟାପକ ପ୍ରବୋଧ ହୋତା ପ୍ରମୁଖ ବିଭିନ୍ନ ବୃତ୍ତି ନେଇ ଆଲୋଚନା କରିଥିଲେ। ଶିକ୍ଷକ ମନୋହର ସାହୁ, ଶିକ୍ଷୟତ୍ରୀ ପୂର୍ଣ୍ଣିମା ସାହୁ, ପ୍ରତିଭା ଦାସ, କୌସ୍ତୁଭ ସାହୁ, ଅରୁଣ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର