ନୂଆପଡ଼ା ଜିଲ୍ଲାରେ ଭୁଶୁଡ଼ି ପଡ଼ିଛି ଶିକ୍ଷା ବ୍ୟବସ୍ଥା:ମଧ୍ୟାହ୍ନ ଭୋଜନ ପାଇଁ କାଠ ବୋହୁଛନ୍ତି ଛାତ୍ରଛାତ୍ରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଦୁର୍ଗମ ଗ୍ରାମଗୁଡ଼ିକରେ ଥିବା ସ୍କୁଲରେ ଶିକ୍ଷକଙ୍କ ଦେଖା ମିଳୁ ନାହିଁ। ସ୍କୁଲ ଥିଲେ ଶିକ୍ଷକ ନାହାନ୍ତି। ଶିକ୍ଷକ ଥିଲେ ପିଲା ନାହାନ୍ତି ପରି ପରିସ୍ଥିତ ଦେଖିବାକୁ ମିଳୁଛି। ଗତ ମାସରେ କୋମନା ବ୍ଲକ୍‌ ଠଙ୍ଗୋ ପଞ୍ଚାୟାତର ଏକ ସ୍କୁଲରେ ଶିକ୍ଷକ ଅନୁପସ୍ଥିତି ଯୋଗୁଁ ସ୍କୁଲ ବନ୍ଦ ରହିଥିଲା ଏବଂ ବାହାରେ ପିଲା ବସିଥିଲେ। ପିଲାଙ୍କୁ ପଚାରିବାରୁ ଶିକ୍ଷକ ତାଙ୍କ ଶାଳୀ ବାହାଘର ଯାଇଛନ୍ତି ବୋଲି କହିଥିଲେ। ସେହିପରି କୋମନା ବ୍ଲକ୍‌ ବିଶିବାହାଲ ୟୁପି ସ୍କୁଲର ଜଣେ ୮ମ ଶ୍ରେଣୀ ଭିନ୍ନକ୍ଷମ ଛାତ୍ରଙ୍କୁ ଜଣେ ଶିକ୍ଷକ ମାନସିକ ନିର୍ଯାତନା ଦେଉଥିବାରୁ ସେ ୭ଦିନ ହେବ ସ୍କୁଲ ଯାଉନଥିବା ନେଇ ମଧ୍ୟ ଖବର ପ୍ରକାଶିତ ହୋଇସାରିଛି। ଗତ ଗୁରୁବାର ପୁଣି ଏପରି ଏକ ଘଟଣା ଘଟିଛି ସେହି କୋମନା ବ୍ଲକ୍‌ ଅନ୍ତର୍ଗତ ସାଲେପଡ଼ା (ମାନିଗୁଡ଼ା) ପ୍ରାଥମିକ ବିଦ୍ୟାଳୟରେ। ଏହି ସ୍କୁଲରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ପାଇଁ ଜାଳେଣି କାଠ ବୋହି ଆଣୁଥିବା ଚର୍ଚ୍ଚାର ବିଷୟ ହୋଇଛି।

ଏହି ସ୍କୁଲ୍‌ରେ ୧ମରୁ ୫ମ ଶେଣ୍ରୀ ପର୍ଯ୍ୟନ୍ତ ମୋଟ ୨୪ ଜଣ ପିଲା ପଢ଼ୁଛନ୍ତି। ଗୁରୁବାର ଦିନ ପ୍ରାୟ ୨ଟା ୩୦ରେ ଏନଏଚ ୩୫୩କୁ ଲାଗି ରହିଥିବା ଉକ୍ତ ସ୍କୁଲକୁ ଏକ ପିକଅପ ଦ୍ୱାରା ମଧ୍ୟାହ୍ନ ଭୋଜନ ପାଇଁ କାଠ ବୋଝେଇ ହୋଇ ଆସିଥିଲା। ଶିକ୍ଷକଙ୍କ ନିର୍ଦେଶରେ ଛାତ୍ରଛାତ୍ରୀମାନେ ଉକ୍ତ କାଠକୁ ଘୋଷାଡ଼ି ଘୋଷାଡ଼ି ସ୍କୁଲ୍‌କୁ ନେଇଥିଲେ। ଏନେଇ ସ୍କୁଲ୍‌ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମିଶ୍ରଙ୍କୁ ପଚାରିବାରୁ ‘ସେମାନେ ମତେ କାଠ ଆଣିବାରେ ସହଯୋଗ କରିଥିଲେ; ସେମାନେ ଜଙ୍ଗଲ ଯାଇ ନାହାନ୍ତି’ ବୋଲି ଉତ୍ତର ଦେଇଥିଲେ। ସେହିପରି ଅନ୍ୟ ଜଣେ ଶିକ୍ଷକ କୁଆଡ଼େ ଗଲେ ବୋଲି ପଚାରିବାରୁ ‘ତାଙ୍କୁ ମଧ୍ୟ କାଠ ଆଣିବାକୁ ମୁଁ ପଠେଇଛି’ ବୋଲି ସେ କହିଥିଲେ। ଗୁରୁବାର ଉକ୍ତ ସ୍କୁଲ୍‌ର ଗୋଟିଏ କୋଠରିରେ କେବଳ ୯ଜଣ ଛାତ୍ରଛାତ୍ରୀ ଥିଲେ। ଏନେଇ ଉକ୍ତ ଶିକ୍ଷକଙ୍କୁ ପଚାରିବାରୁ ପରୀକ୍ଷା ଚାଲିଥିବାରୁ କମ ପିଲା ଆସିଥିବା ପ୍ରକାଶ କରିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର