ବିଜେଡିରୁ ପ୍ରାର୍ଥୀ ହେବା ମହଙ୍ଗା ପଡ଼ିଲା: ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘରୁ ଭାନୁପ୍ରତାପ ସିଂହ ମାଝୀଙ୍କୁ ବହିଷ୍କାର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ଭାନୁପ୍ରତାପ ସିଂହ ମାଝୀଙ୍କୁ ବିଜେଡିରୁ ପ୍ରାର୍ଥୀ ହେବା ମହଙ୍ଗା ପଡ଼ିଛି। ରାଜ୍ୟ ଆଦିବାସୀ ସଂଘ ନିର୍ଦେଶକ୍ରମେ ଜିଲ୍ଲା ସଂଘ ସଭାପତି ପଦରୁ ତାଙ୍କୁ ବହିଷ୍କାର କରାଯାଇଛି। ଏନେଇ ରବିବାର ନୂଆପଡ଼ା ଆଦିବାସୀ କଲ୍ୟାଣ ସଂଘ ଭବନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଅସ୍ଥାୟୀ ସଭାପତି ହୋଇଥିବା ଖାମସିଂହ ମାଝୀ ସୂଚନା ଦେଇଛନ୍ତି।

ଶ୍ରୀ ମାଝୀ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ ଭାନୁପ୍ରତାପ ସିଂହ ମାଝୀ ଆଦିବାସୀ ସମାଜର ନୀତି ନିୟମକୁ ଉଲ୍ଲଂଘନ କରିବା ସହିତ ସଂଘର ନିଷ୍ପତ୍ତିକୁ ମାନି ନଥିବାରୁ ସର୍ବସମ୍ମତିକ୍ରମେ ସଂଘରୁ ବହିଷ୍କାର କରାଯାଇଛି। କୌଣସି ବି ଆଦିବାସୀ ଶ୍ରୀ ମାଝୀଙ୍କୁ ସାମାଜିକ, ରାଜନୈତିକ, ସଂଘୀୟ କାର୍ଯ୍ୟକଳାପରେ ସାହାଯ୍ୟ ସହଯୋଗ ସମର୍ଥନ କରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣରେ ଅଣଦେଖା କରାଯାଇଥିବା ସଂଘ ଅଭିଯୋଗ କରିଥିଲା। ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଅଧିକାରରୁ ଆଦିବାସୀମାନେ ବଞ୍ଚିତ ହେବାରୁ ରାଜ୍ୟବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଛି। ସଂରକ୍ଷଣ ଲାଗୁ କରିବା ଦାବିରେ ଆଦିବାସୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ସମସ୍ତ ଆଇନ ଅପରିବର୍ତ୍ତିତ ଥିବାବେଳେ ହଠାତ୍‌ ଓଡ଼ିଶା ସରକାର ଆଦିବାସୀ ସଂରକ୍ଷଣ ଉଚ୍ଛେଦ କରିବା ଘଟଣାକୁ ଆଦିବାସୀ ସମାଜ ସହଜରେ ଗ୍ରହଣ କରିପାରି ନାହିଁ। ସଂଘ ଏଥିପାଇଁ ଉଚ୍ଚନ୍ୟାୟାଳୟରେ ମାମଲା ବି ଦାୟର କରିଛି। ଜାନୁଆରି ୩ ତାରିଖରେ ୧୦ ହଜାରରୁ ଅଧିକ ଆଦିବାସୀ ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲାର ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକୁ ତାଲା ପକାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଥିଲେ। ଏଭଳି ସ୍ଥିତିରେ ସଂଘର ନିଷ୍ପତ୍ତି ବିରୋଧରେ ଯାଇ ଭାନୁପ୍ରତାପ ସିଂହ ମାଝୀ ଜିଲ୍ଲା ପରିଷଦ ଜୋନ୍‌ ନଂ ୮ ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଥମେ ଜାତି ସ୍ୱାର୍ଥ ତାପରେ ପାର୍ଟି ନାରା ଦେଉଥିବା ଆଦିବାସୀ ନେତା ଶ୍ରୀ ମାଝୀ ପ୍ରଥମେ ପାର୍ଟି ସ୍ୱାର୍ଥକୁ ଊର୍ଦ୍ଧ୍ବରେ ରଖି ଆଦିବାସୀ ସମାଜର ସାମୂହିକ ସ୍ୱାର୍ଥ ସୁରକ୍ଷାକୁ ଭୁଲିଗଲେ ବୋଲି ଆଦିବାସୀ ସଂଘ ଅଭିଯୋଗ ଆଣିଛି।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ନୂଆପଡ଼ା ବ୍ଲକ୍‌ ସଭାପତି ଭକ୍ତବନ୍ଧୁ ଧରୁଆ, ଲୋହିତ ଶବର, ଜୟରାମ ଶବର, ଗୋବର୍ଦ୍ଧନ ମାଝୀ, କମଲେଶ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପଟେ ଭାନୁପ୍ରତାପ ସିଂହ ମାଝୀ ସୂଚନା ଦେଇ କହିଛନ୍ତି; ମୁଁ ସଂଘରେ ରହି ଆଦିବାସୀଙ୍କ ସେବା କରିବି। କିଛି ବ୍ୟକ୍ତି ମୋ ବିରୋଧରେ ଷଡ଼୍‌ଯନ୍ତ୍ର କରୁଛନ୍ତି। ଆଦିବାସୀଙ୍କ ସଂରକ୍ଷଣ ପାଇଁ ଲଢ଼ୁଛି, ଆଗକୁ ମଧ୍ୟ ଏହା ଜାରି ରହିବ। ପଦରୁ ବହିଷ୍କାର କରିବା ପୂର୍ବରୁ ମୋର ମତ ନେଇ ନିଷ୍ପତ୍ତି ନେବା କଥା। ବର୍ତ୍ତମାନ ମଧ୍ୟ ମୁଁ ସଂଘର ସଭାପତି ରହିଛି। ମୁଁ ବରିଷ୍ଠ ଆଦିବାସୀ ବ୍ୟକ୍ତିଙ୍କ ମତ ନେଇ ଚଳିତ ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ କରିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର