ବଣ୍ଟିଙ୍କୁ ଆଉ ୪ ଦିନ ରିମାଣ୍ଡରେ ନେଲା ନୂଆପଡ଼ା ପୁଲିସ

ଟିଡିଆର୍‌ ଚଞ୍ଚକତା ମାମଲା

ନୂଆପଡ଼ା : ଟିଡିଆର୍‌ ଚଞ୍ଚକତା କରି ୨୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ମାମଲାର ମୁଖ୍ୟ ଅଭିଯୁକ୍ତ ଠିକାଦାର ବଣ୍ଟି ଅଗ୍ରୱାଲଙ୍କୁ ନୂଆପଡ଼ା ପୁଲିସ ଆଉ ୪ ଦିନ ରିମାଣ୍ଡରେ ନେଇଛି। ତାଙ୍କ ଠାରୁ ଅଧିକ ତଥ୍ୟ ହାସଲ ପାଇଁ ନୂଆପଡ଼ା ପୁଲିସ ଗୁରୁବାର ନୂଆପଡ଼ା ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଆବେଦନ କରିଥିଲା। ଅଦାଲତ ୪ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

ଗତ ୧୪ ତାରିଖ ଦିନ ନୂଆପଡ଼ା ପୁଲିସ ଠିକାଦାର ବଣ୍ଟିଙ୍କ ସମେତ ତାଙ୍କ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲ ଓ ସ୍ତ୍ରୀ ସବିତା ଅଗ୍ରଓ୍ଵାଲଙ୍କୁ ହରିଆଣାରୁ ଗିରଫ କରିଥିଲା। ଗତ ୧୫ତାରିଖ ବଣ୍ଟିଙ୍କ ବାପା ରାଜେନ୍ଦ୍ର ଓ ସ୍ତ୍ରୀ ସବିତାଙ୍କୁ ଖଡ଼ିଆଳ ଜେଏମଏଫସି କୋର୍ଟରେ ହାଜର କରିବା ପରେ ଜାମିନ ନାମଞ୍ଜୁର ହେବା ପରେ ଖଡ଼ିଆଳ ଉପ କାରାଗାରକୁ ପଠା ଯାଇଥିଲା। ଅଧିକ ତଥ୍ୟ ହାସଲ ପାଇଁ ବଣ୍ଟିଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ପୁଲିସ ନୂଆପଡ଼ା ଏସଡିଜେଏମଙ୍କ ଅଦାଲତରେ ଆବେଦନ କରିଥିଲା। ହେଲେ ଅଦାଲତ ୩ ଦିନ ରିମାଣ୍ଡ ଅନୁମତି ଦେଇଥିଲେ।

ପୁଣି ନୂଆପଡ଼ା ପୁଲିସ ଗତ ୧୮ତାରିଖରେ ଅଦାଲତରେ ୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିଲା। ଅଦାଲତ ମଧ୍ୟ ତାହା ମଞ୍ଜୁର କରିଥିଲେ। ଗତ ୧୮ତାରିଖ ହିଁ ଅଭିଯୁକ୍ତଙ୍କ ତରଫରୁ ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ। ଅଦାଲତ ତାହା ନାମଞ୍ଜୁର କରିଥିଲେ। ସମସ୍ତ ରିମାଣ୍ଡ ସମୟରେ ବଣ୍ଟିଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଏସ୍‌ପି ସ୍ମିତ ପି. ପରମାରଙ୍କୁ ପଚାରିବାରୁ ପୁଲିସ ଏବଂ ଅର୍ଥନୈତିକ ଅପରାଧ ଶାଖା ତରଫରୁ ମଧ୍ୟ ତଦନ୍ତ ଚାଲୁ ରହିଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର